ଅଣସରରେ ମହାପ୍ରଭୁ ଆଜିଠୁ ଆରମ୍ଭ ଅଲାରନାଥ ଦର୍ଶନ। ମହାପ୍ରଭୁ ଶ୍ରୀଜଗନ୍ନାଥ ୧୦୮ କଳସରେ ମହାସ୍ନାନ କରିବାପରେ ଅଣସର ପିଣ୍ଡିରେ ଗୁପ୍ତସେବା ପାଇବା ସମୟରେ ଭକ୍ତମାନେ ବ୍ରହ୍ମଗିରିରେ ଅଲାରନାଥଙ୍କୁ ଦର୍ଶନ କରିଥାନ୍ତି ।ପୁରୀ ଜିଲା ବ୍ରହ୍ମଗିରି ସ୍ଥିତ ଅଲାରନାଥ ପୀଠରେ ଆଜିଠୁ ଆରମ୍ଭ ହୋଇଛି ଅନବସର ଦର୍ଶନ ।
ସୂଚନା ଅନୁଯାୟୀ , ଆଜି ଭୋର ୪ଟାରୁ ଦ୍ବାର ଫିଟାଯାଇ ସମସ୍ତ ନୀତିକାନ୍ତି ସରିବା ପରେ ସର୍ବସାଧାରଣଙ୍କୁ ଦର୍ଶନ ଦେଲେ ପ୍ରଭୁ ଅଲାରନାଥ । ନବ ଯୌବନ ଦର୍ଶନ ପର୍ଯ୍ୟନ୍ତ ଏହି ଦର୍ଶନ ଚାଲିଥାଏ । ଅଣସର ସମୟରେ ଅଲାରନାଥଙ୍କୁ ଦର୍ଶନ କଲେ କୋଟି ପୂଣ୍ୟ ପ୍ରାପ୍ତି ହୁଏ ବୋଲି କୁହାଯାଇଛି ।
ଶ୍ରୀମନ୍ଦିର ଭୋଗନୀତି ପରି ଏଠାରେ ମଧ୍ୟ ଭୋଗ ଅନୁଷ୍ଠିତ ହୁଏ । ମଧ୍ୟାହ୍ନରେ କ୍ଷୀର ଭୋଗ କରାଯାଇ ପହୁଡ଼ ପଡ଼େ । ରାତିରେ ଦହି ପଖାଳ ଓ ଭଜା ଭୋଗ କରାଯାଏ । ଶ୍ରୀ ଅଲାରନାଥଙ୍କ କ୍ଷୀରି ଭୋଗ ସବୁଠାରୁ ପ୍ରିୟ । ଶ୍ରୀମନ୍ଦିର ଭଳି ଏଠାରେ ପ୍ରଭୁ ଅଲାରନାଥଙ୍କ ଦୈନଦିନ ଆଳତୀ, ଅବକାଶ, ବଲ୍ଲଭ, ଅନ୍ନଭୋଗ, ଚନ୍ଦନ ଲାଗି, ବଡ଼ସିଂହାର ବେଶ, ପହୁଡ଼ ଇତ୍ୟାଦି ନୀତି ଅନୁଷ୍ଠିତ ହୋଇଥାଏ ।

