ରାଜ୍ୟରେ କ୍ଷମତାସୀନ ବିଜେପି ସରକାର ନିଜର ନିର୍ବାଚନୀ ପ୍ରତିଶ୍ରୁତି ପାଳନ ପାଇଁ ଜଳସମ୍ପଦ ବିଭାଗରେ ୪ଟି ବୈଷୟିକ କମିଟି ଗଠନ କରିବ ।
ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଜି ଜଳସମ୍ପଦ ବିଭାଗର ବରିଷ୍ଠ ଅଧିକାରୀମାନଙ୍କ ସହ ଚଳିତ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସଂକ୍ରାନ୍ତ ସମୀକ୍ଷା ବୈଠକରେ ଏହି ନିର୍ଦ୍ଦେଶ ଦେଇଛନ୍ତି । ମୋହନ ସରକାରର ୧୦୦ଦିନର କାର୍ଯ୍ୟକ୍ରମ ଆଧାରରେ ଏହି ବୈଷୟିକ କମିଟିକୁ ନିଜର ରିପୋର୍ଟ ଦେବାକୁ କୁହାଯାଇଛି ।
ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆଜି ସମୀକ୍ଷା ବୈଠକରେ ବିଭାଗୀୟ ଅଧିକାରୀମାନଙ୍କୁ ସମସ୍ତ ଦୁର୍ବଳ ନଦୀବନ୍ଧଗୁଡ଼ିକର ତୁରନ୍ତ ସୁଦୃଢ଼ୀକରଣ ସହ ବନ୍ୟା ସମୟରେ ସଜାଗ ରହି ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ଏହାବ୍ୟତୀତ ଜଳସମ୍ପଦ ବିଭାଗର ବିଭିନ୍ନ ଯୋଜନା ଅଧୀନରେ ଚାଲୁ ରହିଥିବା କାର୍ଯ୍ୟ ସମ୍ପର୍କରେ ସବିଶେଷ ସମୀକ୍ଷା କରି ଧାର୍ଯ୍ୟ ଅବଧି ମଧ୍ୟରେ ପ୍ରକଳ୍ପଗୁଡ଼ିକ ସମ୍ପୂର୍ଣ୍ଣ କରିବାକୁ ମଧ୍ୟ କହିଛନ୍ତି ।

