ଜ୍ଞାନ ଗୁଣୀର ନେତା ଦିଲ୍ଲୀପ କୁମାର ମହାନ୍ତି

ମହଙ୍ଗା ଦୁନିଆରେ ଯେତେବେଳେ ରାଜନୀତିର ପରିଭାଷା ବଦଳୁଛି, କ୍ଷମତାକୁ ଟଙ୍କାର ନିକିତିରେ ତଉଲାଯାଉଛି ସେତେବଳେ ଅର୍ଥବିହୀନ ରାଜନୀତି କରି ଉଦାହରଣ ସାଜିଥିବା ନିଆରା ଓ ପ୍ରେରଣାଦାୟୀ ରାଜନେତା ହେଲେ ଦିଲ୍ଲୀପ କୁମାର ମହାନ୍ତି । ବରିଷ୍ଠ ବିଜେପି ନେତା ତଥା ଭୁବନେଶ୍ବର ଉତ୍ତର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଜେପି ପ୍ରାର୍ଥୀ ଏବଂ ଓଡ଼ିଶାରେ ବିଜେପିର ପ୍ରଥମ କର୍ପୋରେଟର ଭାବେ ନିର୍ବାଚିତ ନେତା ହେଉଛନ୍ତି ଦିଲ୍ଲୀପ ମହାନ୍ତି ।

ବିଜେପିର ନୀତିଆଦର୍ଶରେ ଅନୁପ୍ରାଣିତ ଦିଲ୍ଲୀପ ଛାତ୍ରବସ୍ଥାରୁ ହିଁ ରାଜନୀତି ପ୍ରତି ଆକୃଷ୍ଟ ହୋଇଥିଲେ । ଲୋକଙ୍କ ନେତୃତ୍ବ ନେବାର ଇଚ୍ଛା ଓ ସେବା କରିବାର ମନୋଭାବ ନେଇ ରାଜନୀତିର ଦୁନିଆରେ ପାଦ ପକାଇଥିଲେ ।

ଦିଲ୍ଲୀପଙ୍କ ସହ ନା କେଉଁ ରାଜନୈତିକ ପରିବରର ଟ୍ୟାଗ ଥିଲା ନା କୌଣସି ବଡ଼ ରାଜନେତାଙ୍କ ଆଶୀର୍ବାଦ । କେବଳ ଲୋକଙ୍କ ଭଲପାଇବାକୁ ପୁଞ୍ଜି କରି ଓ ସେବା ମନୋଭାବକୁ ନେଇ ରାଜନୀତିର ମଇଦାନକୁ ସେ ଓହ୍ଲାଇଥିଲେ । ଯେତେବେଳେ ଓଡ଼ିଶାର ବିଜେପି ଏକଦମ ସୁପ୍ତ ଅବସ୍ଥାରେ ରହିଥିଲା । ଦଳୀୟ ସଂଗଠନ ସେତେ ସୁଦୃଢ ନଥିଲା, ସେତେବେଳେ ବିଜେପିକୁ ଆସି ସେବାର ନୀତିଆଦର୍ଶ ସହ ସେ ରାଜନୀତି ଆରମ୍ଭ କରିଥିଲେ ।

ଭୁବନେଶ୍ବର ଉତ୍ତର ନିର୍ବାଚନମଣ୍ଡଳୀରେ ବିଜେପି ସଂଗଠନକୁ ବଳ ଦେଇ ଦିନକୁ ଦିନ ଦଳକୁ ବିସ୍ତାର କରିଥିଲେ । ପ୍ରତି ଓ୍ବାର୍ଡରେ ବୁଲିବୁଲି ବିଜେପି ପାଇଁ ଜନମତ ସୃଷ୍ଟି କରିଥିଲେ । ଏକାକୀ ସଂଗଠନ ଗଢିବା ସହ ବିଜେପିକୁ ଏକ ପରିଚୟ ପ୍ରଦାନ କରିଥିଲେ ଦିଲ୍ଲୀପ ମହାନ୍ତି । ଯାହାର ଫଳାଫଳ ଆଗାମୀ ସମୟରେ ଜନତା ତାଙ୍କୁ ଭେଟି ଦେଇଥିଲେ ।

ପୌରନିର୍ବାଚନରେ ଓଡ଼ିଶାରେ ବିଜେପିର ଏକମାତ୍ର ପ୍ରାର୍ଥୀ ଭାବେ ଦିଲ୍ଲୀପ ନିର୍ବାଚନ ଜିତି ବିଜେପିର ଏକମାତ୍ର କର୍ପୋରେଟର ହୋଇ ରେକର୍ଡ କରିଥିଲେ । କର୍ପୋରେଟର ଭାବେ ନିଜ ଓ୍ବାର୍ଡର ବିକାଶ ଓ ଉନ୍ନତି ପାଇଁ ସବୁବେଳେ ଲାଗିପଡ଼ିଥିଲେ । ସେତେବେଳେ ଆଚାର‌୍ୟ୍ୟବିହାରରେ ତାଙ୍କ ଉଦ୍ୟମରେ ହୋଇଥିଲା ଅତ୍ୟାଧୁନିକ ସ୍ବରେଜ ବ୍ୟବସ୍ଥା । ଯାହାକି ଆଜି ପର୍ଯ୍ୟନ୍ତ ମଧ୍ୟ କାର‌୍ୟ୍ୟକ୍ଷମ ରହିଛି । ତାଙ୍କ ସମୟରେ କରାଯାଇଥିବା ପ୍ରତିଟି ବିକାଶ କାମ ଆଜି ବି ଜନତା ମନେରଖିଛନ୍ତି ।

ଦୃଢ ନେତୃତ୍ବ ଓ ଲୋକପ୍ରିୟତା କାରଣରୁ ୨୦୧୪ ମସିହାରେ ଦିଲ୍ଲୀପଙ୍କୁ ଭୁବନେଶ୍ବର ଉତ୍ତର ନିର୍ବାଚନମଣ୍ଡଳୀରୁ ବିଧାୟକ ପ୍ରାର୍ଥୀ କରିଥିଲା ବିଜେପି । ସେତେବେଳେ ବିଜେଡି ପ୍ରାର୍ଥୀଙ୍କୁ କଡ଼ା ଟକ୍କର ଦେଇଥିଲେ ଦିଲ୍ଲୀପ । ବିନା ଟଙ୍କାରେ ନିର୍ବାଚନ ଲଢି ଭଲ ଭୋଟ ମଧ୍ୟ ପାଇଥିଲେ । ନିର୍ବାଚନରେ ସେ ୨୪ ହଜାର ୯୭୧ ଖଣ୍ଡ ଭୋଟ ପାଇ ଜନପ୍ରିୟତାକୁ ପ୍ରମାଣିତ କରିଥିଲେ ।

ବିଭିନ୍ନ ସମୟରେ ସେ ଦଳର ଗୁରୁଦାୟିତ୍ବ ମଧ୍ୟ ତୁଲାଇଛନ୍ତି । ମୁଖପାତ୍ର ଭାବେ ସେତବେଳର ବିଜୁ ଜନତା ଦଳ ସରକାରକୁ ପ୍ରଶ୍ନ କରି ଅଡୁଆରେ ପକାଇଛନ୍ତି । ତାଙ୍କ ସ୍ପଷ୍ଟବାଦିତା ଓ ଦୃଡ ନେତୃତ୍ବ ପାଇ ଦଳରେ ସବୁବେଳେ ସେ ଆଗଧାଡ଼ିରେ ଖୋଜାପଡନ୍ତି । ପୂର୍ବତନ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନଙ୍କ ଖାସ ଲୋକ ଭାବେ ସେ ବେଶ୍ ଜଣାଶୁଣା । ସେବା ନୀତିରେ ଦୀକ୍ଷିତ ଦିଲ୍ଲୀପ ଆଜି ପର‌୍ୟ୍ୟନ୍ତ ଅବିବାହିତ ରହି ଲୋକଙ୍କର ସେବା କରିଆସୁଛନ୍ତି । ଆଗକୁ ମଧ୍ୟ ଜୀବନ ଥିବା ପର‌୍ୟ୍ୟନ୍ତ ଏହିପରି ଲୋକଙ୍କ ସେବା କରିବେ ବୋଲି ସେ ପ୍ରତିଶୃତିବଦ୍ଧ ।

Post Views33 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!