ଗିରଫ ହେଲେ ରେଞ୍ଜର ବିଭୁଦାନନ୍ଦ

ରେଞ୍ଜର ବିଭୁଦାନନ୍ଦଙ୍କୁ ଗିରଫ କଲା ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗତକାଲି ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯଇଥିଲା। ବନ୍ୟପ୍ରାଣୀ ଆଇନ ଉଲ୍ଲଙ୍ଘନ ନେଇ ମାମଲା ରୁଜୁ ହୋଇଛି। ଫାର୍ମରେ ବେଆଇନ ଭାବେ ମୟୂର ରଖିଥିଲେ । ୪ଟି ଯାକ ମୟୂରକୁ ବନବିଭାଗକୁ ହସ୍ତାନ୍ତର କରାଯାଇଛି। କାଲି ରେଡ୍ ବେଳେ ବିଭୁଦାନନ୍ଦଙ୍କ ମିଳିଛି ଅମାପ ସମ୍ପତ୍ତି। ଢେଙ୍କାନାଳ ସଦର ବନାଞ୍ଚଳ ଅଧିକାରୀ ବିଭୁଦାନନ୍ଦ ମିଶ୍ରଙ୍କ ବାସଭବନ ସମେତ ୮ଟି ଜାଗାରେ ଭିଜିଲାନ୍ସ ଚଢ଼ଉ କରି ତାଙ୍କର ବିପୁଳ ସଂପତ୍ତି ଠାବ କରିଛି। ଶ୍ରୀ ମିଶ୍ରଙ୍କର ଢେଙ୍କାନାଳ ରତ୍ନବଜାରରେ ୩ ମହଲା ଘର, ଆଠଗଡ଼ରେ ୫ଏକର ଜାଗାରେ ଏକ ବିଳାସପୂର୍ଣ୍ଣ ଫାର୍ମ ହାଉସ୍‌, ବ୍ୟାଙ୍କରେ ନଗଦ ୧ କୋଟି ଟଙ୍କା, ୫୫୭ ଗ୍ରାମ୍‌ର ସୁନା ଅଳଙ୍କାର ସହ ନଗଦ ୫.୧୫ ଲକ୍ଷ ଟଙ୍କା ଠାବ ହୋଇଛି। ସେହିପରି ରସୁଲଗଡ଼ ଜିଜିପି କଲୋନୀରେ ତାଙ୍କର ଗୋଟିଏ ଫ୍ଲାଟ୍‌‌ ରହିଥିବା ବେଳେ ହାଇଦ୍ରବାଦରେ କୌଶଲ୍ୟା ଇନଫା ପ୍ରୋଜେକ୍ଟ ପ୍ରାଇଭେଟ୍‌‌ ଲିମିଟେଡ୍‌‌ରେ ଦୁଇଟି ଫ୍ଲାଟ୍‌‌ ରହିଛି।

ଚଢ଼ଉ ସମୟରେ ଭିଜିଲାନ୍ସ ଶ୍ରୀ ମିଶ୍ରଙ୍କ ସମ୍ପତ୍ତି ଏବଂ ଘରର ଆସବାବପତ୍ର ଓ ସାଜସଜ୍ଜା ସାମଗ୍ରୀ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲା। ଘରର ଆସବାବପତ୍ରଗୁଡ଼ିକ ଦାମୀ କାଠରେ ନିର୍ମିତ ହୋଇଛି। ଖାଲି ସେତିକି ନୁହେଁ, ବାବୁଙ୍କର ଆଠଗଡ଼ରେ ୫ ଏକର ଜାଗାରେ ବିଳାସପୂର୍ଣ୍ଣ ବିରାଟ ଫାର୍ମ ହାଉସ୍‌ ରହିଛି। ପାର୍କଠୁ ବଡ଼ ଏହି ଫାର୍ମ ହାଉସକୁ ଅତି ସୁନ୍ଦର ଭାବେ ସଜାଯାଇଛି। ଫାର୍ମ ହାଉସରେ ରହିଥିଲେ ମୟୂର, ଠେକୁଆ, ଶୁଆ ଓ ବତକ ଭଳି ଅନେକ ଜୀବଜନ୍ତୁ। ମନୋରଞ୍ଜନ ପାଇଁ ମଧ୍ୟ ବ୍ୟାପକ ବ୍ୟବସ୍ଥା ରହିଥିଲା। ଫାର୍ମ ହାଉସ ମଝିରେ ରହିଛି ଭ୍ୟୁ-ପଏଣ୍ଟ, ଥକା ମେଣ୍ଟାଇବାକୁ କିମ୍ୱା ଝୁଲିବା ପାଇଁ ରହିଛି ବିଳାସପୂର୍ଣ୍ଣ ଦୋଳି। ସେହିପରି ପିଲାଙ୍କ ଖେଳିବା ପାଇଁ କେତେ କ’ଣ ଉପକରଣ ରହିଛି। ଏହାଛଡ଼ା ମର୍ଣ୍ଣିଂୱାକ କରିବାକୁ ରାସ୍ତା ମଧ୍ୟ ରହିଛି। ସେହି ରାସ୍ତା କଡ଼ରେ ରହିଛି ସୁନ୍ଦର ସୁନ୍ଦର ମାର୍ବଲ ମୂର୍ତ୍ତି ଫାର୍ମ ହାଉସ୍‌ର ସୌନ୍ଦର୍ଯ୍ୟ ବଢ଼ାଉଛନ୍ତି। ଚଢ଼ଉ ବେଳେ ରେଞ୍ଜର ବାବୁଙ୍କ ଫାର୍ମ ହାଉସରେ ଏସବୁ ଜିନିଷ ଦେଖି ଚକିତ ହୋଇଯାଇଥିଲେ ଭିଜିଲାନ୍ସ ଅଧିକାରୀ। ଏହି ଫାର୍ମ ହାଉସ୍‌‌ର ମୂଲ୍ୟ ୨ କୋଟିରୁ ଊର୍ଦ୍ଧ୍ବ ହେବ ବୋଲି ଭିଜିଲାନ୍ସ ଟିମ୍‌‌ ଆକଳନ କରିଛି। ସେହିପରି ଶ୍ରୀ ମିଶ୍ରଙ୍କର ଭୁବନେଶ୍ୱର ଏବଂ ଢେଙ୍କାନାଳରେ ୮ଟି ପ୍ଲଟ୍‌‌ ରହିଛି। ଏହାର ବର୍ତ୍ତମାନ ମୂଲ୍ୟ ୧ କୋଟି ହେବ ବୋଲି ଭିଜିଲାନ୍ସ ସୂଚନା ଦେଇଛି। ବ୍ୟାଙ୍କ୍‌‌, ପୋଷ୍ଟାଲ, ସେୟାର ବିନିଯୋଗ ଏବଂ ଇନ୍ସ୍ୟୁରାନ୍ସରେ ୧.୦୫ କୋଟି ଟଙ୍କା ଜମା ରହିଛି। ତାଙ୍କ ଘରୁ ନଗଦ ୫ ଲକ୍ଷ ୧୫ହଜାର ୮୪୦ ଟଙ୍କା ଜବତ କରାଯାଇଛି।

‌କୌତୂହଳର ବିଷୟ ହେଲା, ଭିଜିଲାନ୍ସ ଚଢ଼ଉ ବେଳେ ଅଧିକାରୀମାନଙ୍କୁ ଚକ୍‌‌ମା ଦେବା ପାଇଁ ରେଞ୍ଜର ଶ୍ରୀ ମିଶ୍ର ଢେଙ୍କାନାଳସ୍ଥିତ ଘରେ ଥିବା ଟଏଲେଟ୍‌‌ ଫ୍ଲସ୍‌ରେ ଲୁଚାଇ ରଖିଥିଲେ ଦୁଇଟି ୫ଶହ ଟଙ୍କିଆ ଦୁଇଟି ନୋଟ୍‌‌ ବିଡ଼ା। ରେଞ୍ଜର ଭାବିଥିଲେ ତାଙ୍କର ଏହି ଚାଲାକି ଭିଜିଲାନ୍ସ ଅଧିକାରୀ ଜାଣିପାରିବେ ନାହିଁ। କିନ୍ତୁ ସବୁ ଫସର ଫାଟି ଯାଇଥିଲା। ରେଞ୍ଜରଙ୍କ ଟଏଲେଟ୍‌‌ ଫ୍ଲସ୍‌‌ ଟାଙ୍କିରୁ ୧ଲକ୍ଷ ଟଙ୍କା ଜବତ କରିଥିଲା ଭିଜିଲାନ୍ସ। ଏହାବ୍ୟତୀତ ତାଙ୍କ ଘରୁ ୫୫୭ ଗ୍ରାମର ସୁନା ଅଳଙ୍କାର, ୨ଟି ହୀରା ହାର ଏବଂ ୫୦୦ ଗ୍ରାମର ରୁପା ଅଳଙ୍କାର ଠାବ କରାଯାଇଛି। ଏହି ସବୁ ସମ୍ପତ୍ତିର ହିସାବ ବିଭୁଦାନନ୍ଦଙ୍କୁ ଭିଜିଲାନ୍ସ ମାଗିଥିଲେ ମଧ୍ୟ ସେ ସନ୍ତୋଷଜନକ ଉତ୍ତର ଦେଇ ପାରି ନଥିଲେ। ତେଣୁ ତାଙ୍କୁ ଅଟକ ରଖାଯାଇ ତାଙ୍କ ନାମରେ ଡିଏ ମାମଲା ରୁଜୁ କରାଯାଇଥିଲା

Post Views2 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!