ପ୍ୟାରିସ୍ ପାରାଲିମ୍ପିକ୍ସ, ଷଷ୍ଠ ଦିନରେ ଭାରତକୁ ୮ ପଦକ

ପ୍ୟାରିସ୍‌ ପାରାଲିମ୍ପିକ୍ସର ଷଷ୍ଠ ଦିବସରେ ଭାରତକୁ ମୋଟ୍ ୮ଟି ପଦକ ମିଳିଛି । ସେଥିମଧ୍ୟରେ ୨ଟି ସ୍ୱର୍ଣ୍ଣ, ୩ଟି ରୌପ୍ୟ ଏବଂ ୩ଟି ବ୍ରୋଞ୍ଜ ମେଡାଲ ସାମିଲ ରହିଛି । ବ୍ୟାଡମିଣ୍ଟନରେ ନିତେଶ କୁମାର ଚାମ୍ପିଅନ ହୋଇଥିବାବେଳେ ପୁରୁଷ ଜାଭେଲିନରେ ସୁମିତ ଅଣ୍ଟିଲ ପାରାଲିମ୍ପିକ୍ସ ରେକର୍ଡ଼ ସହ ଟାଇଟଲ୍‌ ବଜାୟ ରଖିଛନ୍ତି । ଅନ୍ୟ ପଟରେ ବ୍ୟାଡ଼ମିଣ୍ଟନ ଖେଳାଳି ସୁହାସ ୟଥିରାଜ ଓ ତୁଳସୀମତୀ ମୁରୁଗେସାନ ରୌପ୍ୟ, ମନୀଷା ରାମଦାସ ଓ ନିତ୍ୟା ସୁମତି ଶିବନ ବ୍ରୋଞ୍ଜ, ପୁରୁଷ ଡିସ୍କସ ଥ୍ରୋରେ ଯୋଗେଶ କାଠୁନିଆ ରୌପ୍ୟ ଏବଂ ତୀରନ୍ଦାଜୀ ମିକ୍ସଡ୍‌ ଟିମ୍‌ରେ ଶୀତଲ ଦେବୀ ଓ ରାକେଶ କୁମାର ଯୋଡ଼ି ବ୍ରୋଞ୍ଜ ପଦକ ଜିତିଛନ୍ତି ।

ପ୍ୟାରିସ କ୍ରୀଡ଼ାରେ ଭାରତର ପଦକ ସଂଖ୍ୟା ୧୫କୁ ବୃଦ୍ଧି ହୋଇଛି । ସେଥିମଧ୍ୟରେ ୩ ସ୍ୱର୍ଣ୍ଣ, ୫ ରୌପ୍ୟ ଓ ୭ ବ୍ରୋଞ୍ଜ ପଦକ ସାମିଲ ରହିଛି । ଆସନ୍ତା ୮ ତାରିଖରେ କ୍ରୀଡ଼ା ଉଦ୍‌ଯାପିତ ହେବ । ଗତ ଟୋକିଓ ପାରାଲିମ୍ପିକ୍ସରେ ଭାରତ ମୋଟ ୧୯ଟି ପଦକ ମିଳିଥିଲା । ଏଥିରେ ୫ସ୍ୱର୍ଣ୍ଣ, ୮ରୌପ୍ୟ, ୬ବ୍ରୋଞ୍ଜ ପଦକ ରହିଛି । ତୀରନ୍ଦାଜୀ: କମ୍ପାଉଣ୍ଡ୍‌ ମିକ୍ସଡ୍‌ ଟିମ୍‌ ଇଭେଣ୍ଟରେ ଶୀତଲ ଓ ରାକେଶ ଯୋଡ଼ି ବ୍ରୋଞ୍ଜ ପଦକ ମୁକାବିଲାରେ ଇଟାଲୀର ଏଲିଓନୋରା ସର୍ତି ଓ ମାଟେଓ ବୋନାସିନା ଯୋଡ଼ିଙ୍କୁ ୧୫୬-୧୫୫ରେ ପରାଜିତ କରିଥିଲେ । ପୂର୍ବରୁ ସେମି ଫାଇନାଲ୍‌ରେ ଭାରତୀୟ ଯୋଡ଼ି ପରାଜିତ ହୋଇ ସ୍ୱର୍ଣ୍ଣ/ରୌପ୍ୟ ଆଶା ଧୂଳିସାତ୍‌ କରିଥିଲେ । ଉଭୟ ସୁଟ୍‌ ଅଫ୍‌ ରେ ଇରାନର ଫତେମେହ ହେମତି ଓ ହାଡି ନୋରି ଯୋଡ଼ିଙ୍କ ନିକଟରୁ ହାରି ଯାଇଥିଲେ । ଟପ୍‌ ସିଡ୍‌ ଶୀତଲ-ରାକେଶ ଯୋଡ଼ି କ୍ୱାର୍ଟରରେ ୧୫୪-୧୪୩ରେ ଇଣ୍ଡୋନେସିଆର ଟିଓଡୋରା ଅଡି ଆୟୁଡିୟା ଫେରେଲିନ ଓ କେନ୍‌ ସ୍ୱାଗୁମିଲାଙ୍ଗ୍‌ ଯୋଡ଼ିଙ୍କୁ ପରାସ୍ତ କରିଥିଲେ ।

ସୂଚନାଯୋଗ୍ୟ, ୧୭ବର୍ଷୀୟା ଶୀତଲ ବ୍ୟକ୍ତିଗତ କମ୍ପାଉଣ୍ଡ୍‌ରେ ପ୍ରି-କ୍ୱାର୍ଟର ଫାଇନାଲ୍‌ରେ ହାରି ବିଦାୟ ନେଇଥିଲେ । ମାତ୍ର ଦୁଇ ହାତ ନଥିଲେ ମଧ୍ୟରେ ସେ ଚମକପ୍ରଦ ପ୍ରଦର୍ଶନ କରି ସମସ୍ତଙ୍କ ମନ ଜିଣି ନେଇଥିଲେ । ପାରାଲିମ୍ପିକ୍ସ ପଦାର୍ପଣରେ ସେ ମିକ୍ସଡ୍‌ ଟିମ୍‌ରେ ପଦକ ସ୍ୱପ୍ନ ପୂରଣ କରିଛନ୍ତି । ଅନ୍ୟ ପଟରେ ରାକେଶ ବ୍ୟକ୍ତିଗତ ବର୍ଗରେ ବ୍ରୋଞ୍ଜ ପଦକ ହାତଛଡ଼ା କରିଥିଲେ । ମହିଳା ୪୦୦ମିଟର: ବିଶ୍ୱ ଚାମ୍ପିଅନ୍‌ ଭାରତର ମହିଳା ଆଥଲେଟ୍‌ ଦୀପ୍ତି ଜୀବାଞ୍ଜି ୪୦୦ମିଟର ଫାଇନାଲ୍‌ରେ ପ୍ରବେଶ କରି ପଦକ ଆଶା ଦେଇଛନ୍ତି । ହିଟ୍‌-୧ ଦୌଡ଼ିଥିବା ଜୀବାଞ୍ଜି ୫୫.୪୫ ସେକେଣ୍ଡ ନିର୍ଦ୍ଧାରିତ ଦୂରତା ଅତିକ୍ରମ କରି ପ୍ରଥମ ସ୍ଥାନ ଅଧିକାର କରିଥିଲେ ।

ସେହିପରି ହିଟ୍‌-୨ରେ ଦୌଡ଼ିଥିବା ତୁର୍କୀର ଆୟସେଲ ଓଣ୍ଡର ୫୪.୯୬ ସେକେଣ୍ଡ ସହ ବିଶ୍ୱ ରେକର୍ଡ଼ ସ୍ଥାପନ କରିଥିଲେ । ସେ ଜୀବାଞ୍ଜି (୫୫.୦୭ ସେକେଣ୍ଡ)ଙ୍କ ନାମରେ ଥିବା ପୂର୍ବ ରେକର୍ଡ଼ ଭଙ୍ଗ କରିଥିଲେ । ଆଜି ଫାଇନାଲ୍‌ ଅନୁଷ୍ଠିତ ହେବ । ଶିବରାଜନ-ନିତ୍ୟା, ସୁକାନ୍ତ ପଦକ ହାତଛଡ଼ା କଲେ ବିଶ୍ୱ ଚାମ୍ପିଅନସିପ୍‌ ବ୍ରୋଞ୍ଜ ପଦକ ବିଜେତା ସୁକାନ୍ତ କଦମ ନିରାଶ କରିଥିଲେ । ସେ ପୁରୁଷ ସିଙ୍ଗଲ୍ସ (ଏସ୍‌ଏଲ୍‌୪) ବ୍ରୋଞ୍ଜ ପଦକ ମ୍ୟାଚ୍‌ରେ ୧୭-୨୧, ୧୮-୨୧ରେ ଇଣ୍ଡୋନେସିଆର ଫ୍ରେଡି ସିତିଆୱାନଙ୍କ ନିକଟରୁ ହାରି ଯାଇଥିଲେ । ସେହିପରି ମିକ୍ସଡ୍‌ ଡବଲ୍ସରେ ଶିବରାଜନ ଓ ନିତ୍ୟା ସୁମତି ଶିବନ ଯୋଡ଼ି ବ୍ରୋଞ୍ଜ ପଦକ ହାତଛଡ଼ା କରିଥିଲେ । ଭାରତୀୟ ଯୋଡ଼ି ୧୭-୨୧, ୧୨-୨୧ରେ ଇଣ୍ଡୋନେସିଆର ଶୁଭନ ଓ ରିନା ମାର୍ଲିନା ଯୋଡ଼ିଙ୍କଠୁ ପରାଜିତ ହୋଇଥିଲେ ।

 

 

Post Views6 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!