ଦାବି ପୂରଣ ନେଇ ବାରମ୍ବାର ବିଏମ୍ସି ଅଫିସକୁ ଦୌଡି ନିରାଶ ହେବା ପରେ ଶେଷରେ ଅଫିସ୍ ଚାମ୍ବର ଭିତରେ ପରିସ୍ରା କରି ପ୍ରତିବାଦ ଜଣାଇଛନ୍ତି ୪୫ ନମ୍ବର ୱାର୍ଡର ଶବର ସାହି ବାସିନ୍ଦା ।
ଭୁବନେଶ୍ବର ମ୍ୟୁନିସପାଲ କର୍ପୋରେସନ ଅଫିସ୍ । ଶୁକ୍ରବାର । ସିଟି ଇଞ୍ଜିନିୟର ବିଳାସ କୁମାର ବେହେରାଙ୍କ ଚାମ୍ବରରେ ପଶିଥିଲେ ୪୫ ନମ୍ବର ୱାର୍ଡର ଶବର ସାହି ବାସିନ୍ଦା । ନଗର ଯନ୍ତ୍ରୀଙ୍କୁ ଶୁଣାଇଥିଲେ ରାତି ପାହିଲେ ସେମାନେ ସାମ୍ନା କରୁଥିବା ଦୁଃଖ ଓ ଯନ୍ତ୍ରଣାର କାହାଣୀ। ଅଫିସର ଓ ବସ୍ତିବାସିନ୍ଦାଙ୍କ ଭିତରେ ଚାଲିଲା ଯୁକ୍ତି ତର୍କ । ପରେ ପ୍ରତିବାଦ ପୂର୍ବକ ଅଫିସ ଚାମ୍ବର ଭିତରେ ପରିସ୍ରା କରିଦେଲେ କିଛି ବସ୍ତି ବାସିନ୍ଦା । କହିଥିଲେ, ୪ ମାସ ହେଲା ଘରେ ନାଳପାଣି ଭାସୁଛି । ବିଏମସିକୁ ଦୌଡି ଦୌଡି ନୟାନ୍ତ ହେଲୁଣୁ । ଆପଣ ବି ଥରେ ଅନୁଭବ କରନ୍ତୁ ଘରେ ଝାଡା ପରିସ୍ରା ପଶିଲେ କେମିତି ଅନୁଭବ ହୁଏ । କେବଳ ଏତିକି ନୁହେଁ, ତୁରନ୍ତ ଦାବି ପୂରଣ ନ ହେଲେ ଆଗକୁ ଅଫିସରେ ମଳ ତ୍ୟାଗ କରିବାକୁ ଦେଇଥିଲେ ଖୋଲା ଚେତାବନୀ ।

