କିଛି ଏଭଳି ଥିଲା ରତନ ଟାଟାଙ୍କ ଜୀବନ ଯାତ୍ରା

ପଦ୍ମଭୂଷଣ ଓ ପଦ୍ମ ବିଭୂଷଣ ରତନ ଟାଟା ୮୬ ବର୍ଷ ବୟସରେ ବୁଧବାର ବିଳମ୍ବିତ ରାତିରେ ପରଲୋକ ଗମନ କରିଛନ୍ତି। ଦୁଇଦିନ ତଳେ ସେ ଅସୁସ୍ଥ ହୋଇଥିଲେ ଓ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ। ଏହି ଖବର ପ୍ରଚାର ହେବା ପରେ ନିଜେ ରତନ ସୁସ୍ଥ ଥିବା ଓ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଡାକ୍ତରଖାନା ଆସିଥିବା ‘ଏକ୍ସ’ ଆକାଉଣ୍ଟରେ ପୋଷ୍ଟ କରିଥିଲେ। ମାତ୍ର ଏହାର ଦୁଇଦିନ ପରେ ଭାରତର ଏହି ମହାନ ରତ୍ନ ପରପାରିକୁ ଚାଲି ଯାଇଛନ୍ତି। ତାଙ୍କ ପରଲୋକରେ ଦେଶର ଶିଳ୍ପ ଜଗତ ସମ୍ପୂର୍ଣ୍ଣ ହତବାକ୍‌‌ ହୋଇ ଯାଇଛି ।

ରତନ ଟାଟା ଛୋଟ ସମୟରେ ଭାଓଲିନ୍ ଶିଖିବାକୁ ଚାହୁଁଥିଲେ। କିନ୍ତୁ ତାଙ୍କ ପିତାଙ୍କ ଇଚ୍ଛା ଥିଲା ସେ ପିଆନୋ ଶିଖନ୍ତୁ। ଏହାକୁ ନେଇ ବାପ-ପୁଅଙ୍କ ଭିତରେ ମତଭେଦ ସୃଷ୍ଟି ହୋଇଥିଲା। ଆମେରିକା ଯାଇ ପାଠ ପଢ଼ିବା ପାଇଁ ରତନ ଚାହୁଁ ଥିବାେବଳେ ବାପା ତାଙ୍କୁ ବ୍ରିଟେନ୍ ପଠାଇବାକୁ ଚାହୁଁଥିଲେ। କ୍ୟାରିଅର ଆରମ୍ଭରୁ ଉଭୟଙ୍କ ମଧ୍ୟରେ ମତଭେଦ ହୋଇଥିଲା। ଥରେ ଏକ ସାକ୍ଷାତକାରରେ ରତନ ଟାଟା ନିଜ ପିତାଙ୍କ ସହିତ ମତଭେଦର କାରଣ ସଂପର୍କରେ ଖୋଲି କହିଥିଲେ। ରତନ ଟାଟାଙ୍କ ଲାଳନପାଳନ ତାଙ୍କ ଜେଜେମା’ କରିଥିଲେ ।

ଆମେରିକାର କର୍ଣ୍ଣଲ ବିଶ୍ବବିଦ୍ୟାଳୟ ରତନ ଟାଟା ପାଠ ପଢୁଥିଲେ। ସେହି ସମୟରେ ସେ ଜଣେ ତରୁଣୀଙ୍କ ପ୍ରେମରେ ପଡ଼ିଥିଲେ। ଉଭୟେ ବିବାହ କରିବାକୁ ମନବଳାଇ ଥିଲେ। ଥରେ ରତନ ଟାଟା କହିଥିଲେ – ‘‘ ମୁଁ ଯେଉଁ ଝିଅକୁ ଭଲ ପାଉଥିଲି ସେ ମୋ ସହିତ ଭାରତ ଆସିଥାନ୍ତା। କିନ୍ତୁ ଠିକ୍ ଏହି ସମୟରେ ଭାରତ-ଚୀନ୍‌ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଯାଇଥିଲା। େତଣୁ ଯୁବତୀଙ୍କ ବାପାମା’ ଚାହୁଁ ନଥିଲେ ମୋ ସହିତ ସେ ଭାରତ ଆସନ୍ତୁ। ଫଳରେ ଆମ ସଂପର୍କ ତୁଟିଗଲା। ଏହାପରେ ମୁଁ ବ୍ୟବସାୟ ଦୁନିଆରେ ଏତେ ବୁଡ଼ି ରହିଗଲି ଯେ, ନିଜ ଭବିଷ୍ୟତ କଥା ଭାବିବାକୁ ସୁଯୋଗ ହିଁ ମିଳିଲା ନାହିଁ’’ ।

୧୯୯୧ ମସିହାରେ ରତନ ଟାଟା ଟାଟା ଗ୍ରୁପ୍‌ର ଦାୟିତ୍ବ ନେଇଥିଲେ। ୨୦୧୨ ମସିହାରେ ସେ ଟାଟା ସନ୍ସର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇ ସାଇରସ୍ ମିସ୍ତ୍ରୀଙ୍କୁ କମ୍ପାନୀର ଦାୟିତ୍ବ ଅର୍ପଣ କରିଥିଲେ। କିନ୍ତୁ କେତେକ ପ୍ରସଙ୍ଗକୁ ନେଇ ବୋର୍ଡ ପକ୍ଷରୁ ମିସ୍ତ୍ରୀଙ୍କୁ ଅଧ୍ୟକ୍ଷ ପଦରୁ ହଟାଇ ୨୦୧୬ ମସିହାରେ ପୁଣି ଥରେ ରତନ ଟାଟାଙ୍କୁ ଦାୟିତ୍ବ ପ୍ରଦାନ କରାଗଲା। ୨୦୧୭ ମସିହାରେ ସେ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇ ନଟରାଜନ୍‌ ଚନ୍ଦ୍ରଶେଖରନ୍‌ଙ୍କୁ ଦାୟିତ୍ବ ସମର୍ପଣ କରିଥିଲେ ।

ଦେଶର ପ୍ରଥମ ବିଳାସପୂର୍ଣ୍ଣ ହୋଟେଲଠାରୁ ଆରମ୍ଭ କରି ପ୍ରଥମ ଏୟାର୍‌ଲାଇନ୍ସ ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ବ୍ୟବସାୟ ଆରମ୍ଭ କରି ଟାଟା ଗ୍ରୁପ୍‌ ରେକର୍ଡ ସୃଷ୍ଟି କରିଛି। ୨୦୨୩-୨୪ ଆର୍ଥିକ ବର୍ଷରେ ଟାଟା ଗ୍ରୁପ୍ ୧୬୫୦୦୦ କୋଟି ବ୍ୟବସାୟ କରିଛି। ସାରା ବିଶ୍ବରେ ଟାଟା ଗ୍ରୁପ୍‌ର ଶତାଧିକ କମ୍ପାନୀରେ ୧,୦୨୮,୦୦୦ କର୍ମଚାରୀ କାର୍ଯ୍ୟରତ।

Post Views32 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!