ତେବେ ବାତ୍ୟା ଆସିବା ପୂର୍ବରୁ ରାଜ୍ୟରେ ପ୍ରାୟ ୧୬୦୦ ଛୁଆ ଜନ୍ମ ହୋଇଛନ୍ତି। ଆଜି ରାତି ପ୍ରାୟ ୧୧ଟା ବେଳେ ଏସ୍ଆରସିଙ୍କ କାର୍ଯ୍ୟାଳୟରେ ଗଣମାଧ୍ୟମକୁ ବାତ୍ୟା ମୁକାବିଲା ସଂପର୍କିତ ସୂଚନା ଦେବା ବେଳେ ଏଭଳି କିଛି ତଥ୍ୟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ମୁଖ୍ୟମନ୍ତ୍ରୀ କହିଛନ୍ତି, ବାତ୍ୟାକୁ ଦୃଷ୍ଟିରେ ରଖି ଏଯାବତ ୫ ଲକ୍ଷ ୮୪ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଗଲାଣି। ମୋଟ ପ୍ରାୟ ୬ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତରଣ କରାଯିବ। ୮୩୮୨ଟି ବାତ୍ୟା ଆଶ୍ରୟସ୍ଥଳୀରେ ଲୋକମାନଙ୍କୁ ରଖାଯାଇଛି। ବାଲେଶ୍ୱର ଜିଲ୍ଲାରେ ସର୍ବାଧିକ ୧.୭୨ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ମୟୂରଭଂଜ ଜିଲ୍ଲାରେ ଲକ୍ଷେ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିବା ବେଳେ ଭଦ୍ରକରେ ୭୫ ହଜାର, ଯାଜପୁରରେ ୬୦ ହଜାର ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ୪୬ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ମୋଟ ୪୪୨୧ ଆସନ୍ନ ପ୍ରସବାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା।
ଅନ୍ୟପଟେ କେନ୍ଦ୍ରାପଡ଼ା ଡାଙ୍ଗମାଳ ପଞ୍ଚାୟତ ବାଙ୍କୁଆଳ ଗାଁରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି । ବାଙ୍କୁଆଳ କଲ୍ୟାଣମଣ୍ଡପ ବାତ୍ୟା ଆଶ୍ରୟସ୍ଥଳୀରେ ବୃଦ୍ଧା ଅସୁସ୍ଥ ହୋଇ ପଡ଼ିଥିଲେ । ଆଶ୍ରୟସ୍ଥଳୀରୁ ବୃଦ୍ଧାଙ୍କୁ ଘରକୁ ନେବା ବେଳେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ।

