ଆଉ ଦିନକ ପରେ ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହେବ। ରାଜ୍ୟରେ ବିଜେପି କ୍ଷମତାକୁ ଆସିବା ପରେ ଏହା ହେବ ଦ୍ୱିତୀୟ ଅଧିବେଶନ। ଶାସନ କ୍ଷମତାକୁ ଆସିବାର ୫ ମାସ ପୂରିଥିବା ବେଳେ ମାଳମାଳ ପ୍ରସଙ୍ଗକୁ ନେଇ ରାଜ୍ୟ ବିଜେପି ସରକାର ଖୁବ୍ ବିବାଦୀୟ ହୋଇ ପଡ଼ିଲାଣି। ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା, ନାରୀ ନିର୍ଯାତନା, ସାମାଜିକ ସୁରକ୍ଷା ବ୍ୟବସ୍ଥାକୁ ସୁନିଶ୍ଚିତ କରିବାରେ ରାଜ୍ୟ ସରକାରଙ୍କ ବିଫଳତା, ଧାନକିଣାରେ ଅବ୍ୟବସ୍ଥା, ଖାଉଟି ସାମଗ୍ରୀର ଅହେତୁକ ଆକାଶଛୁଆଁ ଦର, ରାଜ୍ୟବ୍ୟାପୀ ବେଧଡ଼କ ଲଘୁ ଖଣିଜ ସମ୍ପଦ ଲୁଟ୍ ସର୍ବୋପରି ଉନ୍ନୟନମୂଳକ କାମ ଠପ୍ ହୋଇଯିବା ନେଇ ସରକାରଙ୍କ ପାଖରେ କୌଣସି ନିର୍ଦ୍ଦିଷ୍ଟ ଉତ୍ତର ନାହିଁ। ନୂଆ ସରକାରଠାରୁ ଅନେକ କିଛି ଆଶା କରିଥିବା ଜନତାଙ୍କ ମଧ୍ୟରେ ଧୀରେ ଧୀରେ ଅସନ୍ତୋଷ ମୁଣ୍ଡ ଟେକିଲାଣି। ଏସବୁକୁ ନେଇ ଆସନ୍ତା ଅଧିବେଶନ ଖୁବ୍ ଉଷ୍ମ ହେବାକୁ ଯାଉଛି। ସୋମବାର ଉଭୟ ବିରୋଧୀ ବିଜେଡି ଓ କଂଗ୍ରେସ ନିଜ ନିଜର ବିଧାୟକ ଦଳ ବୈଠକରେ ସରକାରଙ୍କୁ ଘେରିବାକୁ ରଣନୀତି ପ୍ରସ୍ତୁତ କରିବାକୁ ଯାଉଛନ୍ତି। ସରକାରଙ୍କ ବିରୋଧରେ ଏକାଧିକ ସମ୍ବେଦନଶୀଳ ପ୍ରସଙ୍ଗ ଥିବା ବେଳେ ଏସବୁକୁ ସାମ୍ନା କରିବା କାଠିକର ପାଠ ହେବ ବୋଲି ରାଜନୀତିକ ସମୀକ୍ଷକ ମତପ୍ରକାଶ କରିଛନ୍ତି।
ଆସନ୍ତାକାଲି ସନ୍ଧ୍ୟା ୫ଟା ବେଳେ ଶଙ୍ଖ ଭବନରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବିଜେଡି ବିଧାୟକ ଦଳ ବୈଠକ ବସିବ। ସେହିପରି ସନ୍ଧ୍ୟା ୬ଟା ବେଳେ କଂଗ୍ରେସ ଦଳ ନେତା ରାମଚନ୍ଦ୍ର କାଡାମଙ୍କ ଅଧ୍ୟକ୍ଷତାରେ କଂଗ୍ରେସ ବିଧାୟକ ଦଳ ବୈଠକ ଅନୁଷ୍ଠିତ ହେବ। ଉଭୟ ବିରୋଧୀ ସରକାରଙ୍କୁ ଘେରିବା ପାଇଁ ରଣନୀତି ପ୍ରସ୍ତୁତ କରିବେ। ତେବେ ଅଧିବେଶନରେ ଉଭୟ ବିରୋଧୀ ରାଜ୍ୟରେ ସାମାଜିକ ସୁରକ୍ଷା ଯୋଜନା ଏବଂ ଧାନକିଣାରେ ମାଳମାଳ ତ୍ରୁଟି ବିଚ୍ୟୁତିକୁ ମୁଖ୍ୟ ପ୍ରସଙ୍ଗ କରିବେ ବୋଲି ଜଣାପଡ଼ିଛି। ବିରୋଧୀଙ୍କ କହିବା ଅନୁଯାୟୀ ସରକାର ନିଜର ତ୍ରୁଟି, ବିଚ୍ୟୁତିକୁ ସ୍ୱୀକାର କରି ଏହାକୁ ସୁଧାରିବା ପରିବର୍ତ୍ତେ ଅଯଥା ମୁହଁ ଫୁଟାଣି ମାରୁଛନ୍ତି। ଯାହାକୁ ନେଇ ତୃଣମୂଳସ୍ତରରେ ସାଧାରଣ ଲୋକେ ତାତିଲେଣି। କନ୍ଧମାଳର ଆମ୍ବ କୋଇଲି ଜାଉ ଖାଇ ୩ ଜଣଙ୍କ ମୃତ୍ୟୁ ଘଟିଲା। ଚାଉଳ ଅଭାବରୁ ଏପରି ଦୁର୍ଭାଗ୍ୟଜନକ ଘଟଣା ଘଟିଥିଲେ ହେଁ, ଆମ୍ବ କୋଇଲି ଆଦିବାସୀଙ୍କ ପାରମ୍ପରିକ ଖାଦ୍ୟ କହି ରାଜ୍ୟ ସରକାର ନିଜ ଉପରୁ ସବୁ ଦୋଷତ୍ରୁଟିକୁ ଝାଡ଼ିଦେଲେ। ସରକାରକୁ ଆସିବା ପରେ ରାଜ୍ୟରେ ମହିଳା, ନାବାଳିକାଙ୍କ ଉପରେ ଏକାଧିକ ଜଘନ୍ୟ ଅପରାଧିକ ତଥା ଅସଦାଚରଣ ଘଟଣା ବାରମ୍ବାର ଘଟିଚାଲିଛି। ରାଜ୍ୟରେ ବିଭିନ୍ନ ସ୍ଥାନରେ ଅଭାବ, ଅନଟନ କାରଣରୁ ମାଆ ପିଲା ବିକ୍ରି କରୁଥିବା ବେଳେ ସରକାର କେବଳ ଭାଷଣବାଜିରେ ନିଜକୁ ସୀମିତ ରଖିଛନ୍ତି। ସେହିପରି ଆଇନଶୃଙ୍ଖଳା ପରିସ୍ଥି୍ତି ବିପର୍ଯ୍ୟସ୍ତ ହୋଇ ପଡ଼ିଥିବା ବେଳେ ପୁଲିସର ଶାସକ ଦଳର ହାତବାରିସୀ ହୋଇ କାମ କରୁଥିବା ନେଇ ବିରୋଧୀ ଦଳ ଅଭିଯୋଗ କରିଛନ୍ତି।

