୧୫ ଦିନ ଭିତରେ ‘ସୁଭଦ୍ରା’ ରିଜେକ୍ସନ ଯାଞ୍ଚ ହେବ। ଯେଉଁଠି ଅଧିକ ସୁଭଦ୍ରା ଫର୍ମ ରିଜେକ୍ଟ ହୋଇଛି, ସେହି ସ୍ଥାନକୁ ଅଧିକ ଗୁରୁତ୍ୱ ଦିଆଯାଉଛି। ମାଲକାନଗିରି, ଗଜପତି, କୋରାପୁଟରେ ଅଧିକ ରିଜେକ୍ସନ ହୋଇଛି। ଆସନ୍ତାକାଲି ଅର୍ଥାତ୍ ଶୁକ୍ରବାର ମାଲକାନଗିରିରେ ଯାଞ୍ଚ ଆରମ୍ଭ ହେବ।
ଅନ୍ୟପକ୍ଷରେ ୨୦୨୫ ମାର୍ଚ୍ଚ ୭ ‘ସୁଭଦ୍ରା’ ପ୍ରଥମ କିସ୍ତି ପାଇଁ ଆବେଦନ କରିପାରିବେ। ୨୦୨୫ ମାର୍ଚ୍ଚ ୭ହି ଆବେଦନର ଶେଷ ତାରିଖ। ଏ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। ଏହା ସହ ମାର୍ଚ୍ଚ ୮ ମହିଳା ଦିବସରେ ଦ୍ବିତୀୟ କିସ୍ତି ସୁଭଦ୍ରା ଟଙ୍କା ମିଳିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି।
ସୂଚନାଯୋଗ୍ୟ, ରବିବାର ମଧ୍ୟାହ୍ନରେ ସୁଭଦ୍ରା ହିତାଧିକାରୀଙ୍କ ଆକାଉଣ୍ଟକୁ ଟଙ୍କା ଆସିଥିଲା । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୁନ୍ଦରଗଡ଼ ଗସ୍ତରେ ଯାଇ ଏହି ଟଙ୍କା ବଣ୍ଟନର ଶୁଭାରମ୍ଭ କରିଥିଲେ।
୨୦ ଲକ୍ଷରୁ ଅଧିକ ଯୋଗ୍ୟ ହିତାଧିକାରୀଙ୍କ ଆକାଉଣ୍ଟକୁ ଏହି ଟଙ୍କା ଯାଇଥିଲା। ଉପମୁଖ୍ୟମନ୍ତ୍ରୀ ସୂଚନା ଦେଇ କହିଥିଲେ, ୨ ଲକ୍ଷ ୬୭ ହଜାର ବାଦ୍ ପଡ଼ିଥିବା ହିତାଧିକାରୀଙ୍କ ତାଲିକା ବ୍ଲକରେ ପହଞ୍ଚିଛି। ବ୍ଲକରେ ଏ ନେଇ ସମୀକ୍ଷା ସରିଛି। ପ୍ରାୟ ୨୫ ପ୍ରତିଶତ ସଂଶୋଧନ ହୋଇଯାଇଛି। ବାକି ଜମି ସମସ୍ୟା ଯୋଗୁ ଯେଉଁମାନଙ୍କ ନାମ ତାଲିକାରେ ନାହିଁ, ତାଙ୍କ ନାଁରେ ଜମି ନାହିଁ। କିନ୍ତୁ ସେମାନେ ଧାନ ବିକିଛନ୍ତି । ଏହି ବିବାଦରେ ସରଜମିନ ଯାଞ୍ଚ କରାଯିବ ।

