ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଚାଷୀମାନଙ୍କୁ ୮୦୦ ଟଙ୍କାର ଇନପୁଟ୍ ସବସିଡି ପ୍ରଦାନ କରିଛନ୍ତି। ୨୩୦୦ ଟଙ୍କାର ଏମଏସପି ସହ ଇନପୁଟ୍ ସବସିଡି ପ୍ରଦାନ କରାଯାଇଛି। ଯେଉଁ ଚାଷୀମାନେ ଡିସେମ୍ବର ୬ ତାରିଖ ସୁଦ୍ଧା ଧାନ ବିକ୍ରି କରିଛନ୍ତି, ସେମାନଙ୍କୁ ଏହି ଟଙ୍କା ମିଳିଛି। ବରଗଡ଼ ଜିଲ୍ଲା ସୋହେଲାର ଇଚ୍ଛାପାଲି ପଡ଼ିଆଠାରେ ଆୟୋଜିତ ବିଶାଳ ଚାଷୀ ସମାବେଶର ମଞ୍ଚରେ ୧୩ଜଣ ଚାଷୀଙ୍କୁ ୮୦୦ ଟଙ୍କାର ବୋନସ୍ ପ୍ରଦାନ କରିଛନ୍ତି।
ଏହି ସମୟରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଆଜିର ଦିନ ଓଡ଼ିଶା ଇତିହାସରେ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ। ଚାଷୀଙ୍କ ମିଛ ପ୍ରତିଶ୍ରୁତି ଦେଇଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ ପ୍ରତିଶ୍ରୁତି ରକ୍ଷା କରି ନଥିଲେ। ଆପଣମାନେ ରାଜ୍ୟରେ ବିଜେପି ସରକାରକୁ ଆଣିଥିବାରୁ ଧନ୍ୟବାଦ। ସରକାର ଶପଥ ପାଠ କରିବାର ଏକ ଘଣ୍ଟା ପରେ କ୍ୟାବିନେଟରେ ୨୩୦୦ ଟଙ୍କାର ଏମଏସପି ସହ ଇନପୁଟ୍ ସବସିଡି ପ୍ରଦାନ କରାଯିବାଲାଗି ନିଷ୍ପତ୍ତି ନିଆଯାଇଥିଲା। ଆଉ ଛଅ ମାସ ଭିତରେ ସରକାର ଚାଷୀଙ୍କୁ ଏହି ବୋନସ୍ ପ୍ରଦାନ କରି ନିଜର ପ୍ରତିଶ୍ରୁତି ପୂରଣ କରିଛନ୍ତି।

