ଦିଲ୍ଲୀ ଅଭିମୁଖେ ଯାତ୍ରା କରିବା ଜିଦ୍ରେ ଅଟଳ ଚାଷୀ। ହେଲେ ସ୍ଥିତିକୁ ଦୃଷ୍ଟିରେ ରଖି ଏବେ ଖୋଲିବନି ଶମ୍ଭୁ ବର୍ଡର। ଏଭଳି ଏକ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ। ଖୋଲିବା ନେଇ ହୋଇଥିବା ଆବେଦନକୁ ଖାରଜ କରିଛନ୍ତି ସର୍ବୋଚ୍ଚ ଅଦାଲତ। ଏହା ସହ କହିଛନ୍ତି, ଏହି ମାମଲାରେ ପୂର୍ବରୁ ହିଁ ଆବେଦନ ପଡି ରହିଛି, ତେଣୁ ଏହା ଉପରେ ଆଉ ହେବନି ଚର୍ଚ୍ଚା ।
ଚାଷୀ ଦିଲ୍ଲୀ ଚଲୋ ଆନ୍ଦୋଳନକୁ ନାରାକୁ ଝଟକା। ଦିଲ୍ଲୀ-ହରିୟାଣାକୁ ଯୋଡୁଥିବା ଶମ୍ଭୁ ବର୍ଡର ଏବେ ଆଉ ଖୋଲିବନି। ସର୍ବୋଚ୍ଚ ଅଦାଲତ ଏହାକୁ ଖୋଲିବା ନେଇ କରାଯାଇଥିବା ଆବେଦନକୁ ଖାରଜ କରିଛନ୍ତି। ଏହା ସହ ବର୍ତ୍ତମାନ ମାମଲା ଉପରେ ଚର୍ଚ୍ଚା କରିବାକୁ ମଧ୍ୟ ମନା କରିଛନ୍ତି। ସୋମବାର ଶୁଣାଣି ବେଳେ ସୁପ୍ରିମକୋର୍ଟ କହିଛନ୍ତି, ପୂର୍ବରୁ ମାମଲାର ଆବେଦନ ପଡି ରହିଛି, ତେଣୁ ନୂତନ ଭାବରେ କିଛି ଚର୍ଚ୍ଚା ହେବନି। ପଞ୍ଜାବ ନିବାସୀ ଗୌରବ ଲୁଥେରାଙ୍କ ପକ୍ଷରୁ ଏହି ଆବେଦନ ହୋଇଥିଲା। ଗୌରବ ସୁପ୍ରିମକୋର୍ଟ, କେନ୍ଦ୍ର ସରକାର, ପଞ୍ଜାବ ଓ ହରିୟାଣା ସରକାରଙ୍କୁ ସବୁ ରାଜ୍ୟର ସୀମା ଖୋଲିବାର ନିର୍ଦେଶ ଦେବାର ଦାବି କରିଥିଲେ। ହେଲେ ତାହା ସୁପ୍ରିମକୋର୍ଟରେ ଖାରଜ ହୋଇଛି।
ସରକାରଙ୍କ ନିକଟରେ ବିଭିନ୍ନ ଦାବି ନେଇ ଚାଷୀମାନେ ଦେଇଛନ୍ତି ଦିଲ୍ଲୀ ଚଲୋ ଡାକାରା। ହେଲେ ଚାଷୀଙ୍କୁ ଦିଲ୍ଲୀ ଭିତରକୁ ମିଳିପାରିନି ପ୍ରବେଶ ଅନୁମତି। ଶମ୍ଭୁ ବର୍ଡର ନିକଟରେ ଅଟକାଇ ରଖିଛି ପୋଲିସ। ସେଥିପାଇଁ ରବିବାର ଆନ୍ଦୋଳନକାରୀ ଚାଷୀ ଓ ପୋଲିସ ମଧ୍ୟରେ ହୋଇଥିଲା ସଂଘର୍ଷ। ପୁଲିସ୍ ପକ୍ଷରୁ ଚାଷୀମାନଙ୍କୁ ଦିଲ୍ଲୀ ଚଲୋ ଯାତ୍ରା ପାଇଁ ମିଳିଥିବା ଅନୁମତିପତ୍ର ଦେଖାଇବାକୁ କୁହାଯାଇଥିଲା। ଏହାକୁ ନେଇ ପ୍ରଥମେ ଯୁକ୍ତିତର୍କ ଓ ପରେ ଧସ୍ତାଧସ୍ତି ସ୍ଥିତି ସୃଷ୍ଟି ହୋଇଥିଲା। ବେଶ କିଛି ସମୟ ଉତ୍ତେଜନା ପରେ ଚାଷୀମାନେ ପୁଣି ବ୍ୟାରିକେଡ ଠାରୁ ପଛକୁ ଘୁଞ୍ଚି ରାସ୍ତାରେ ବିକ୍ଷୋଭ ଆରମ୍ଭ କରିଥିଲେ।

