ଦେଶରେ ଏକକ ନିର୍ବାଚନକୁ ନେଇ ଚର୍ଚ୍ଚା ଜାରି ରହିଛି । ଏକ ଦେଶ-ଏକ ନିର୍ବାଚନ ବିଲ୍କୁ କ୍ୟାବିନେଟ୍ ମଞ୍ଜୁରୀ ମଧ୍ୟ ମିଳିସାରିଛି । ଚଳିତ ଶୀତକାଳୀନ ଅଧିବେଶନରେ ଏହି ବିଲ୍ ପାରିତ ହେବା ନେଇ କାର୍ଯ୍ୟସୂଚୀ ମଧ୍ୟ ହୋଇଛି । ଆସନ୍ତାକାଲି ଅର୍ଥାତ୍ ସୋମବାର ବିଧେୟକ ଲୋକସଭାରେ ପାରିତ ହୋଇଥାନ୍ତା । ହେଲେ ଏହାକୁ ଘୂଞ୍ଚାଇ ଦିଆଯାଇଥିବା ସୂଚନା ମିଳିଛି । ଲୋକସଭାର ସଂଶୋଧିତ କାର୍ଯ୍ୟସୂଚୀରୁ ଏହାକୁ ହଟାଇ ଦିଆଯାଇଛି ।ଏହାପୂର୍ବରୁ ଶୁକ୍ରବାର ଜାରି ହୋଇଥିବା କାର୍ଯ୍ୟସୂଚୀରେ ଏକକ ନିର୍ବାଚନ ବିଧେୟକ ଉପସ୍ଥାପିତ ହେବା ନେଇ ସୂଚୀବଦ୍ଧ ହୋଇଛି । ତେବେ କାହିଁକି ଏହାକୁ ହଟାଇ ଦିଆଗଲା ଏହାର କାରଣ ଅସ୍ପଷ୍ଟ ରହିଛି । ଡିସେମ୍ବର ୨୦ ତାରିଖରେ ସଂସଦର ଶୀତକାଳୀନ ଅଧିବେଶନ ଶେଷ ହେଉଛି । ତେଣୁ କେବେ ଲୋକସଭାରେ ଏହି ବିଲ୍ ପାରିତ ହେବ ତାହା ଏବେ ସ୍ପଷ୍ଟ ହୋଇନାହିଁ ।
ସୂଚନା ଅନୁଯାୟୀ, କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଏକ ଦେଶ-ଏକ ନିର୍ବାଚନ ନିମନ୍ତେ ୧୨୯ତମ ସମ୍ବିଧାନ ସଂଶୋଧନ ବିଲ୍ ଲୋକସଭାରେ ଆଗତ କରିଥାନ୍ତେ । ରାମନାଥ କୋବିନ୍ଦ କମିଟି ସମ୍ବିଧାନର ଧାରା ୮୨ରେ ସଂଶୋଧନ ଲାଗି ସୁପାରିସ୍ କରିଥିଲେ । ସୁପାରିସ ଅନୁସାରେ ଧାରା ୮୨(ଏ) ଯୋଡ଼ି ଲୋକସଭା ଓ ବିଧାନସଭା କାର୍ଯ୍ୟକାଳ ଏକସଙ୍ଗେ ଭାଙ୍ଗିବାର ବ୍ୟବସ୍ଥା କରାଯିବ । ସରକାର ବିଲ୍କୁ ନେଇ ସାର୍ବଜନିକ ସହମତି ଆଣିବେ ।
ବିଲ୍କୁ ଯୁଗ୍ମ ସଂସଦୀୟ କମିଟି (ଜେପିସି)କୁ ପଠାଯିବା ସମ୍ଭାବନା ରହିଥିଲା । ଏହାବ୍ୟତୀତ କେନ୍ଦ୍ରଶାସିତ ଅଞ୍ଚଳ ସହ ଜଡ଼ିତ ୩ଟି ଆଇନରେ ବି ସଂଶୋଧନ ପାଇଁ ଅଣାଯିବ । ସେଥିରୁ ଗୋଟିଏ ଦି ଗଭର୍ଣ୍ଣମେଣ୍ଟ ଅଫ୍ ୟୁନିୟନ ଟେରିଟୋରିଜ ଆକ୍ଟ ୧୯୬୩, ଦି ଗଭର୍ଣ୍ଣମେଣ୍ଟ ଅଫ୍ ନ୍ୟାସନାଲ କ୍ୟାପିଟାଲ ଟେରିଟୋରି ଅଫ୍ ଦିଲ୍ଲୀ ୧୯୯୧ ଏବଂ ଦି ଜମ୍ମୁ ଆଣ୍ଡ କାଶ୍ମୀର ରିଅର୍ଗାନାଇଜେସନ ଆକ୍ଟ ୨୦୧୯ ଅନ୍ତର୍ଭୁକ୍ତ । ଏଥିରେ ଜମ୍ମୁ-କାଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦେବା ନିମନ୍ତେ ସଂଶୋଧନ ହୋଇଥାନ୍ତା ।

