ଜାନୁୟାରୀ ୨୦୨୫ଠାରୁ ମାସିକିଆ ରାସନ ପ୍ରଦାନ

ଜାନୁୟାରୀ ୨୦୨୫ଠାରୁ ମାସିକିଆ ରାସନ ପ୍ରଦାନ କରାଯିବ। ଏଥି ନିମନ୍ତେ ରାଜ୍ୟ ସରକାର ସରକାରୀ ଗୋଦାମରୁ ନିର୍ଦ୍ଧାରିତ ସମୟରେ ପିଡିଏସ୍‌ ସାମଗ୍ରୀ ଉଠାଣ ଓ ବଣ୍ଟନ ବ୍ୟବସ୍ଥା କରିବା ପାଇଁ ସମସ୍ତ ଜିଲାର ଜିଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଏହି ମର୍ମରେ ଗତ ୬ ତାରିଖରୁ ସରକାରୀ ଗୋଦାମଗୁଡ଼ିକରେ ଡିଲରମାନେ ଚାଉଳ ଉଠାଣ ଜାରି ରଖିଛନ୍ତି । ଗତ ୧୪ ଦିନ ମଧ୍ୟରେ ଉଭୟ ନବରଙ୍ଗପୁର ଏବଂ ଦେବଗଡ଼ ଜିଲାର ଜିଲାପାଳମାନେ ସେମାନଙ୍କ ଜିଲା ପାଇଁ ଧାର୍ଯ୍ୟ ଚାଉଳ ଉଠାଣ ଶୁକ୍ରବାର ସୁଦ୍ଧା ଶେଷ କରି ସାରିଛନ୍ତି । ଅନ୍ୟ ଜିଲାଗୁଡ଼ିକରେ ଶନିବାର ସୁଦ୍ଧା ସେମାନଙ୍କ ନିମନ୍ତେ ଧାର୍ଯ୍ୟ ପିଡିଏସ୍‌ ଚାଉଳ ଉଠାଣ ଶେଷ କରିବେ ।

ଏଥି ସହ ରାଜ୍ୟର ଅନେକ ସ୍ଥାନରେ ଡିଲରମାନେ ସରକାରୀ ସୁଲଭ ମୂଲ୍ୟ ଦୋକାନ ତଥା ଡିଲର ପଏଣ୍ଟଠାରେ ହିତାଧିକାରୀମାନଙ୍କୁ ବଣ୍ଟନ ପ୍ରକ୍ରିୟା ଜାରି ରଖିଛନ୍ତି। ବାକିଥିବା ଅନ୍ୟ ଡିଲର ପଏଣ୍ଟଠାରେ ଆସନ୍ତା ୨୫ ତାରିଖ ସୁଦ୍ଧା ଏହି ବଣ୍ଟନ ପ୍ରକ୍ରିୟା ଶେଷ ହେବା ନେଇ ସମସ୍ତ ଜିଲାପାଳଙ୍କୁ ପରାମର୍ଶ ଦିଆଯାଇଛି । ଯୋଗ୍ୟ ହିତାଧିକାରୀମାନେ ସେମାନଙ୍କ ଡିଲର ପଏଣ୍ଟଗୁଡ଼ିକରୁ ଚାଉଳ ନେଇପାରିବେ।
ହିତାଧିକାରୀମାନଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ସେମାନଙ୍କୁ ମାସିକିଆ ରାସନ ପ୍ରଦାନ କରାଯାଉଛି । ଏହି ମର୍ମରେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଏବଂ ବିଭାଗୀୟ ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂହଙ୍କ ଉପସ୍ଥିତିରେ ବିଭାଗର ବରିଷ୍ଠ ଅଧିକାରୀମାନଙ୍କୁ ନେଇ ଅନୁଷ୍ଠିତ ବୈଠକରେ ମାସିକିଆ ରାସନ ପ୍ରଦାନ ସଂକ୍ରାନ୍ତରେ ନିଷ୍ପତ୍ତି ନିଆଯାଇଛି। ଏପରିକି ଏଥିପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ସମସ୍ତ ଜିଲାପାଳ ଏବଂ ଜିଲା ମୁଖ୍ୟ ଯୋଗାଣ ଅଧିକାରୀମାନଙ୍କୁ ପରାମର୍ଶ ଦିଆଯାଇଛି ।

Post Views1 Total Count

Apply Now


This will close in 0 seconds

error: Content is protected !!