ଶିମିଳିପାଳ ଫେରିଲା ବାଘୁଣୀ ‘ଜିନ୍ନତ’

ଟ୍ରାଙ୍କୁଲାଇଜ୍‌ ପରେ ମରାଠା ବାଘୁଣୀ ଜିନତ୍‌କୁ ପଶ୍ଚିମବଙ୍ଗ ଆଲିପୁର ଚିଡିଆଖାନାକୁ ପଠାଯିବାକୁ ନେଇ ପ୍ରଶ୍ନ ଉଠାଇଛି ରାଷ୍ଟ୍ରୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ (ଏନ୍‌ଟିସିଏ) । ବାଘୁଣୀକୁ କାହିଁକି ଓଡିଶା ଶିମଳିପାଳକୁ ଫେରାଇ ଅଣାଗଲାନି ବୋଲି ପଶ୍ଚିମବଙ୍ଗ ବନ ବିଭାଗକୁ ପ୍ରଶ୍ନ କରିଛି । ପଶ୍ଚିମବଙ୍ଗ ମୁଖ୍ୟ ବନ୍ୟପ୍ରାଣୀ ତତ୍ତ୍ୱାବଧାରକଙ୍କୁ ଭର୍ତ୍ସନା କରିବା ସହ ଏହାର ଜବାବ ମାଗିଛନ୍ତି । ତୁରନ୍ତ ବାଘୁଣୀକୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏନ୍‌ଟିସିଏର ଏଭଳି ତାଗିଦ୍‌ ପରେ ଚେତିଛି ପଶ୍ଚିମବଙ୍ଗ ସରକାର । ବାଘୁଣୀକୁ ତରବରିଆ ଭାବେ ଶିମିଳିପାଳ ପଠାଇବା ବ୍ୟବସ୍ଥା କରିଛି । ଓଡିଶା ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ବନ୍ୟପ୍ରାଣୀ) ପ୍ରେମ କୁମାର ଝା କହିଛନ୍ତି, ଜିନତ୍‌କୁ ଆଲିପୁର ଚିଡିଆଖାନାରୁ ସ୍ୱତନ୍ତ୍ର କାରକେଡ୍‌ରେ ଅଣାଯିବ । ନୂଆବର୍ଷ ପହିଲା ସକାଳ ଜିନତ୍‌ ଶିମିଳିପାଳର ଫେରିଛି।

ବାଘୁଣୀକୁ ପିଛା କରୁଥିବା ୧୫ ଜଣିଆ ଟିମ୍‌ ମଧ୍ୟ ଓଡିଶା ଫେରୁଛନ୍ତି । ବାଘୁଣୀକୁ ଏଥର ଶିମିଳିପାଳ ଯମୁନାଗଡ଼ରେ ଥିବା ସ୍ୱତନ୍ତ୍ର ଏନ୍‌କ୍ଲୋଜରରେ ରଖାଯିବ । ଯେଉଁଠି ଅନ୍ୟ ମରାଠା ବାଘୁଣୀ ଯମୁନାକୁ ରଖାଯାଇଥିଲା । ମରାଠା ବାଘୁଣୀ ଜିନତ୍‌କୁ ପଶ୍ଚିମବଙ୍ଗ ଆଲିପୁର ଚିଡିଆଖାନାରେ ଛଡ଼ାଯିବା ପରେ ନୂଆ ଅଡୁଆ ଆରମ୍ଭ ହୋଇଥିଲା ।

କାହିଁକି ନା ବନ୍ୟପ୍ରାଣୀ (ସୁରକ୍ଷା) ଆଇନ୍‌-୧୯୭୨ ସେକ୍ସନ ୩୮୦(୨) ଅନୁସାରେ, ଜିନତ୍‌ ଯେଉଁ ଜଙ୍ଗଲରୁ ଖସି ପଳାଇଥିଲା । ଟ୍ରାଙ୍କୁଲାଇଜ୍‌ ପରେ ତାକୁ ସେହି ଜଙ୍ଗଲକୁ ଫେରାଇ ଆଣିବା କଥା । ଟ୍ରାଙ୍କୁଲାଇଜ୍‌ ବେଳେ ଆଇନ୍‌ରେ ଥିବା ମାର୍ଗଦର୍ଶିକାକୁ ମଧ୍ୟ ଦଳିମକଚି ଦେଇଥିଲେ । ବାଙ୍କୁଡ଼ାର କଂସାବତୀ ଜଳଭଣ୍ଡାର ନିକଟରେ ବାଘୁଣୀକୁ ଟ୍ରାଙ୍କୁଲାଇଜ୍‌ ପରେ ପଶ୍ଚିମବଙ୍ଗ ସରକାରର କାରସାଦି ଆରମ୍ଭ ହୋଇଥିଲା । ଟ୍ରାଙ୍କୁଲାଇଜ୍‌ ବେଳର ମାର୍ଗଦର୍ଶିକାକୁ ଭୃକ୍ଷେପ କରିନଥିଲେ ।

ଜିନ୍‌ତକୁ ଜଗିଥିବା` ଓଡିଶା ବନ ବିଭାଗର ଟିମ୍‌ର କୌଣସି କଥା ଶୁଣିନଥିଲେ । ଆଲିପୁର ଚିଡିଆଖାନା ଯାଏ ବାଘୁଣୀକୁ ଭିଭିଆଇପିଙ୍କୁ କଡ଼ା ସୁରକ୍ଷାରେ ନେବା ଭଳି ଏକ ବିରାଟ କାରକେଡ୍‌ରେ ତରବରିଆ ଭାବେ ନେଇଗଲେ । ଏନେଇ ଏନ୍‌ଟିସିଏ ପ୍ରଶ୍ନ କରିବା ସହ ଜବାବ୍‌ ମାଗିବା ପରେ ପଶ୍ଚିମବଙ୍ଗ ବନ ବିଭାଗ ହରଡ଼ ଘଣାରେ ପଡି଼ବାରୁ ଜିନତ୍‌କୁ ଛାଡ଼ିବା ପାଇଁ ବ୍ୟାକୁଳ ହୋଇଉଠିଥିଲା । ମହାରାଷ୍ଟ୍ର ତଡ଼ଭା ଅନେ୍ଧରୀ ବ୍ୟାଘ୍ର ପ୍ରକଳ୍ପରୁ ଆସିବା ପରେ ପ୍ରାୟ ମାସେ ଧରି ଜିନତ୍‌ ମନଖୁସିରେ ୩ ରାଜ୍ୟର ୭ଟି ଜଙ୍ଗଲ ଘୁରି ବୁଲିଥିଲା । ଟ୍ରାଙ୍କୁଲାଇଜ୍‌ ହେବାପରଠୁ ତା’ ହାବଭାବ ବଦଳିଯାଇଛି । ଚିଡିଆଖାନାରେ ୪୮ ଘଣ୍ଟା ବିତାଇଥିବା ଜିନତ୍‌ ସବୁବେଳେ ଗୁମସୁମ ରହୁଥିଲା । ପଶ୍ଚିମବଙ୍ଗ ବନ ବିଭାଗ ଓ ଚିଡିଆଖାନାର ମିଳିତ ଡାକ୍ତରୀ ଦଳ ଜିନତ୍‌ ଚିକିତ୍ସାରେ ଚରମ ଅବହେଳା କରିଥିବାର ଅଭିଯୋଗ ଉଠିଛି । ୨ ଥର ଟ୍ରାଙ୍କୁଲାଇଜ ଡୋଜ୍‌ ଖାଇ ଘାଇଲା ହୋଇପଡିଥିବା ଜିନତ୍‌କୁ ଠିକଣା ସମୟରେ ଆଣ୍ଟିଡୋଜ୍‌ ଦେବାରୁ ତା’ ସ୍ୱାସ୍ଥାବସ୍ଥା ସ୍ଥିର ହୋଇଥିଲା । କିନ୍ତୁ ଚିଡିଆଖାନାରେ ଚିକିତ୍ସା ବେଳେ ବାଘୁଣୀକୁ ପର୍ଯ୍ୟାପ୍ତମାତ୍ରାରେ ସାଲାଇନ୍‌ ଦିଆଯାଇନାହିଁ ।

ଶ୍ରୀ ଝା କହିଛନ୍ତି, ଯମୁନାଗଡ଼ସ୍ଥିତ ଏନ୍‌କ୍ଲୋଜର ପାଖରେ ଜିନତ୍‌ର ଚିକିତ୍ସା ପାଇଁ ଅନ୍ୟ ବନ କର୍ମଚାରୀ ଓ ଅଭିଜ୍ଞ ପ୍ରାଣୀ ଚିକିତ୍ସକ ଉପସ୍ଥିତ ଅଛନ୍ତି । ତୁରନ୍ତ ଉପଯୁକ୍ତ ଚିକିତ୍ସା ଆରମ୍ଭ କରିବେ । ଦୁଇ ତିନି ସପ୍ତାହ ବାଘୁଣୀର ଗତିବିଧି ଉପରେ ନଜର ରଖାଯିବ । ତା’ ସ୍ୱଭାବରେ ସୁଧାର ଆସିବା ପରେ କୋର୍‌ ଏରିଆରେ ଛଡ଼ାଯିବ । ଆଗାମୀ ଦିନରେ ଜିନତ୍‌ ଯେପରି ଶିମିଳିପାଳ ସୀମା ନ ଡେଇଁବ, ସେଥିପାଇଁ ନୂଆ ରଣନୀତି ଆପଣାଇବୁ ବୋଲି ସେ ସୂଚନା ଦେଇଛନ୍ତି ।

Post Views20 Total Count

Apply Now


This will close in 0 seconds

error: Content is protected !!