ଭାରତ ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଶୁକ୍ରବାର ମେଜର ଧ୍ୟାନଚାନ୍ଦ ଖେଳରତ୍ନ ଓ ଅର୍ଜୁନ ପୁରସ୍କାର ପ୍ରଦାନ କରାଯାଇଛି। ରାଷ୍ଟ୍ରପତି ଭବନରେ ଦେଶର ପ୍ରଥମ ନାଗରିକ ଦ୍ରୌପଦୀ ମୁର୍ମୁ ସମସ୍ତ ଖେଳାଳିଙ୍କୁ ପୁରସ୍କୃତ କରିଥିଲେ। ମନୁ ଭାକର, ଡି ଗୁକେଶ, ହରମନପ୍ରୀତ ସିଂ ଏବଂ ପାରା ଆଥଲେଟ୍ ପ୍ରବୀଣ କୁମାରଙ୍କୁ ଖେଳରତ୍ନରେ ସମ୍ମାନିତ କରାଯାଇଥିଲା। ଅନ୍ୟ ପକ୍ଷରେ ୩୨ ଜଣ ଖେଳାଳିଙ୍କୁ ଅର୍ଜୁନ ପୁରସ୍କାର ପ୍ରଦାନ କରାଯାଇଥିଲା।
ପ୍ୟାରିସ ୨୦୨୪ରେ ଡବଲ ମେଡାଲ ବିଜେତା ମନୁ ଭାକରଙ୍କୁ ଶୁକ୍ରବାର ସମ୍ମାନିତ କରାଯାଇଥିଲା। ମନୁ ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟ ଓ ୧୦ ମିଟର ଏୟାର ପିସ୍ତଲ ମିକ୍ସଡ ଟିମ ଇଭେଣ୍ଟରେ ଦୁଇଟି ବ୍ରୋଞ୍ଜ ପଦକ ଜିତିଥିଲେ। ପ୍ରଥମ ଭାରତୀୟ ମହିଳା ଆଥଲେଟ ଭାବେ ମନୁ ଗୋଟିଏ ସଂସ୍କରଣରେ ଦୁଇଟି ପଦକ ଜିତିଥିବା ବେଳେ ପି.ଭି. ସିନ୍ଧୁଙ୍କ ପରେ ଦ୍ବିତୀୟ ମହିଳା ଖେଳାଳି ଭାବେ ଏଭଳି କୃତିତ୍ବ ନିଜ ନାମରେ କରିଥିଲେ। ଏହା ସହିତ ସେ ଶୁଟିଂରେ ରହିଥିବା ୧୨ ବର୍ଷର ପଦକ ମରୁଡି ଶେଷ କରିଥିଲେ।

