ଅଚ୍ୟୁତଙ୍କୁ ଅଢ଼େଇ ଘଣ୍ଟା ଜେରା

କିଟ୍ ବିଶ୍ୱବିଦ୍ୟାଳୟରେ ନେପାଳୀ ଛାତ୍ରୀ ପ୍ରକ୍ରିତି ଲାମ୍ସଲଙ୍କ ମୃତ୍ୟୁ, ଆନ୍ଦୋଳନରତ ନେପାଳୀ ଛାତ୍ରୀଛାତ୍ରଙ୍କୁ ଆକ୍ରମଣ ସହ ବଳପୂର୍ବକ ବସ୍ରେ ନେଇ କଟକ ରେଳଷ୍ଟେଶନରେ ଛାଡ଼ିବା ଘଟଣାକୁ ଗୁରୁତ୍ୱର ସହ ନେଇଛନ୍ତି ରାଜ୍ୟ ସରକାର। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଗଠିତ ଉଚ୍ଚସ୍ତରୀୟ କମିଟି ଘଟଣାର ତଦନ୍ତ କରୁଛି।

ଶୁକ୍ରବାର କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ରାଜ୍ୟ ଅତିଥି ଭବନରେ ଏହି ଉଚ୍ଚସ୍ତରୀୟ ତଦନ୍ତ କମିଟି ନିକଟରେ ହାଜର ହୋଇ ଜେରାର ସମ୍ମୁଖୀନ ହୋଇଛନ୍ତି। ସେହିଭଳି କିଟ୍ କୁଳପତି ସରନଜିତ୍ ସିଂ, ରେଜିଷ୍ଟ୍ରାରଙ୍କ ସହ କର୍ମଚାରୀ ଜୟନ୍ତୀ ନାଥ ଓ ଆସୋସିଏଟ୍ ପ୍ରଫେସର ମଞ୍ଜୁଷା ପାଣ୍ଡେ ମଧ୍ୟ ହାଜର ହୋଇଥିଲେ।

ଅଚ୍ୟୁତଙ୍କ ସମେତ ମୋଟ ୮ଜଣଙ୍କୁ ଅଢ଼େଇ ଘଣ୍ଟା ଧରି ଘନଘନ ଜେରା କରି ତଥ୍ୟ ହାସଲ କରିଥିଲା ୩ଜଣିଆ ତଦନ୍ତ କମିଟି। ତେବେ ଜେରା ପରେ ଅଚ୍ୟୁତଙ୍କ ସହ ଅନ୍ୟମାନେ ରାଜ୍ୟ ଅତିଥି ଭବନରୁ ବାହାରିବା ସମୟରେ ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧିଙ୍କୁ କିଛି ବି କହି ନ ଥିଲେ।

ତଦନ୍ତ କମିଟି ନିକଟରେ ହାଜର ହେବାକୁ ଗୁରୁବାର ଅଚ୍ୟୁତ ସାମନ୍ତଙ୍କୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନୋଟିସ କରାଯାଇଥିଲା। ଏହି ଅନୁସାରେ ନିର୍ଦ୍ଧାରିତ ସମୟର ପ୍ରାୟ ଅଧଘଣ୍ଟା ପୂର୍ବରୁ ଅର୍ଥାତ୍ ଶୁକ୍ରବାର ସନ୍ଧ୍ୟା ୬ଟାରେ ଅଚ୍ୟୁତ ଓ ଅନ୍ୟମାନେ ରାଜ୍ୟ ଅତିଥି ଭବନରେ ପହଞ୍ଚତ୍ଥିଲେ। ତଦନ୍ତ କମିଟିରେ ଥିବା ମହିଳା ଓ ଶିଶୁ କଲ୍ୟାଣ ସଚିବ ଶୁଭା ଶର୍ମା, ଗୃହ ବିଭାଗର ଅତିରିକ୍ତ ଶାସନ ସଚିବ ସତ୍ୟବ୍ରତ ସାହୁ ଏବଂ ଉଚ୍ଚଶିକ୍ଷା ସଚିବ ଅରବିନ୍ଦ ଅଗ୍ରଓ୍ବାଲ ଘଟଣା ସଂକ୍ରାନ୍ତରେ ଅଚ୍ୟୁତ ଓ ଅନ୍ୟମାନଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିଥିଲେ।

Post Views2 Total Count

Apply Now


This will close in 0 seconds

error: Content is protected !!