କାନାଡାରେ ଦୁଇଟି ଗୋଷ୍ଠୀ ମଧ୍ୟରେ ଗୁଳି ବିନିମୟ ସମୟରେ ଜଣେ ୨୧ ବର୍ଷୀୟା ଭାରତୀୟ ଛାତ୍ରୀଙ୍କ ମୃତ୍ୟୁ ଘଟିଛି। ହାମିଲଟନ୍ ପୁଲିସ୍ କହିଛି ଯେ ଭାରତୀୟ ଯୁବତୀ ହରସିମରତ୍ ରନ୍ଧାୱା ଏକ ବସ୍ ଷ୍ଟପରେ ଅପେକ୍ଷା କରିଥିଲେ।
ସେହି ସମୟରେ ଦୁଇଟି ଗୋଷ୍ଠୀ ମଧ୍ୟରେ ଗୁଳି ବିନିମୟ ହୋଇ ଏକ ଗୁଳି ତାଙ୍କ ଦେହରେ ବାଜିଲା। ଅଣ୍ଟାରିଓର ହାମିଲଟନ୍ ସ୍ଥିତ ମୋହକ୍ କଲେଜର ଛାତ୍ରୀ ରନ୍ଧାୱା କାମକୁ ଯାଉଥିବା ସମୟରେ ଏହି ଘଟଣା ଘଟିଥିଲା। ତେବେ ସେ ହେଉଛନ୍ତି ଗତ ଚାରି ମାସ ମଧ୍ୟରେ କାନାଡାରେ ମୃତ୍ୟୁବରଣ କରିଥିବା ଚତୁର୍ଥ ଭାରତୀୟ।
ଟୋରଣ୍ଟୋରେ ଥିବା ଭାରତୀୟ କନସୁଲେଟ୍ ଜେନେରାଲ କହିଛନ୍ତି ଯେ ରାନ୍ଧୱା ଜଣେ ନିର୍ଦ୍ଦୋଷ ପଥିକ। ଯେତେବେଳେ ତାଙ୍କ ଦେହରେ ଗୁଳି ବାଜିଥିଲା ସେ ତାଙ୍କ କାମକୁ ଯିବା ପାଇଁ ଅପେକ୍ଷାରତ ଥିଲେ।
କନସୁଲେଟ୍ ଜେନେରାଲ ପକ୍ଷରୁ ହୋଇଥିବା ଏକ ଟ୍ବିଟ୍ରେ ଲେଖାଯାଇଛି, “ଭାରତୀୟ ଛାତ୍ରୀ ହରସିମରତ ରନ୍ଧାୱାଙ୍କ ଦୁଃଖଦ ମୃତ୍ୟୁରେ ଆମେ ଗଭୀର ଦୁଃଖିତ। ସ୍ଥାନୀୟ ପୁଲିସ ଅନୁଯାୟୀ, ସେ ଜଣେ ନିର୍ଦ୍ଦୋଷ ପୀଡିତା ଥିଲେ। ଦୁଇଟି ଗାଡି ମଧ୍ୟରେ ଗୁଳିକାଣ୍ଡ ସମୟରେ ଏକ ଗୁଳିରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ହତ୍ୟାର ତଦନ୍ତ ବର୍ତ୍ତମାନ ଚାଲିଛି। ଆମେ ତାଙ୍କ ପରିବାର ସହିତ ଯୋଗାଯୋଗରେ ଅଛୁ ଏବଂ ସମସ୍ତ ଆବଶ୍ୟକୀୟ ସହାୟତା ଯୋଗାଇ ଦେଉଛୁ,” ।

