ଭୁବନେଶ୍ୱରରେ ଏପ୍ରିଲ୍‌ ୩୦ରୁ ୱିମେନ୍ସ ବିଜନେସ୍ ମେଳା ୨.୦

ଭୁବନେଶ୍ବର: ମହିଳାଙ୍କ ସ୍ବପ୍ନରେ ଲାଗିବ ଡେଣା। ବ୍ୟବସାୟର ବିରାଟ ଦୁନିଆ ଏବଂ ଉଦ୍ୟୋଗର ଏ ନୀଳ ଆକାଶରେ ଉଡାଣ ଭରିବେ ପ୍ରତିଟି ମହିଳା ଉଦ୍ୟୋଗୀ। ଗାଁରୁ ଗ୍ଲୋବ ସଶକ୍ତ ହେବେ ମାଆ। ମହିଳାଙ୍କ ସାର୍ବଜନୀନ ବିକାଶ, ମହିଳାଙ୍କ ଉନ୍ନତି ଏବଂ ସେମାନଙ୍କୁ ଏକ ସୁନ୍ଦର ସୁଯୋଗ ଦେଇ ସେମାନଙ୍କ ସାମର୍ଥ୍ୟକୁ ସାରା ଦୁନିଆ ଆଗରେ ପ୍ରତିପାଦିତ କରିବା ଲାଗି ପୁନଶ୍ଚ ଆରମ୍ଭ ହେଉଛି ୱିମେନ୍ସ ବିଜନେସ୍ ମେଳା ୨.୦ । ଭୁବନେଶ୍ବରସ୍ଥିତ ଇଡକୋ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ହେବ ଏହି ମହିଳା ବ୍ୟବସାୟ ମେଳା ।

ଇଣ୍ଡିଆନ୍ ଚାମ୍ବର ଅଫ୍ କମର୍ସ (ଆଇସିସି)ର ସହଯୋଗୀ ସଂଗଠନ ଇଣ୍ଡିଆନ୍ ଚାମ୍ବର ଅଫ୍ କମର୍ସ ନ୍ୟାସନାଲ୍ ୱିମେନ୍ସ ଏଣ୍ଟରପ୍ରିନ୍ୟୁରସିପ୍ କାଉନସିଲ୍ (INWEC) ପକ୍ଷରୁ ଏପ୍ରିଲ ୩୦ରୁ ଆରମ୍ଭ ହୋଇ ମେ ୪ ତାରିଖ ପର୍ଯ୍ୟନ୍ତ ୫ ଦିନ ଧରି ଚାଲିବ ଏହି ବ୍ୟବସାୟିକ ମେଳା ଯେଉଁଥିରେ ଶତାଧିକ ମହିଳା ଉଦ୍ୟୋଗୀ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି । ୨୦୨୨ରେ ଏହାର ପ୍ରଥମ ସଂସ୍କରଣର ବୃହତ୍ ସଫଳତା ଏବଂ ଉଚ୍ଚ ପ୍ରଶଂସା ସାଉଁଟିଥିବା ବେଳେ ଦ୍ୱିତୀୟ ସଂସ୍କରଣ ମଧ୍ୟ ମହିଳା ଉଦ୍ୟୋଗୀ କ୍ଷେତ୍ରରେ ଏକ ମାଇଲଖୁଣ୍ଟ ତିଆରି କରିବ ବୋଲି ଆଶା ଓ ବିଶ୍ବାସ । ୨୦୨୦ରେ INWEC ପ୍ରତିଷ୍ଠା ହେବା ପରଠାରୁ ଏଭଳି ବ୍ୟବସାୟିକ ମେଳାର ଆୟୋଜନ କରାଯାଇ ଓଡ଼ିଶା ଏବଂ ଓଡ଼ିଶା ବାହାରର ମହିଳା ଉଦ୍ୟୋଗୀଙ୍କୁ ଆଗକୁ ବଢ଼ିବା ପାଇଁ ଏକ ବିରାଟ ପ୍ଲାଟଫର୍ମ ଯୋଗାଇ ଦିଆଯାଇଛି ।

ଏହି ମେଳା ବ୍ୟବସାୟ କ୍ଷେତ୍ରରେ ମହିଳାଙ୍କୁ ଖାଲି ସ୍ବପ୍ନ ଦେଖାଇବ ତାହା ନୁହେ ବରଂ ସ୍ବପ୍ନକୁ କେମିତି ସାକାର କରିହେବ ସେ ଦିଗରେ ମଧ୍ୟ ସହଯୋଗ କରିବ । ଅର୍ଥାତ ସଂକ୍ଷେପରେ କହିବାକୁ ଗଲେ- ମେଳା ଦେବ ମହିଳାଙ୍କୁ ବ୍ୟବସାୟର ମନ୍ତ୍ର । ସଶକ୍ତ ମହିଳାମାନେ ରାଜ୍ୟର ସବୁ ମହିଳାଙ୍କୁ ସଶକ୍ତ କରିବାକୁ ଏହି ବ୍ୟବସାୟ ମେଳାର ପରିକଳ୍ପନା କରିଥିବା ବେଳେ ସବୁ ବର୍ଗର ମହିଳାଙ୍କ ବିକାଶ ପାଇଁ ଏହା ସହଯୋଗର ସୁଦୃଢ ସେତୁ ସାଜିବ ।

ତେବେ ଆଏନ୍ଡବ୍ଲୁଇସିର ଆବାହକ ପ୍ରୀତି ପଲ୍ଲବୀ ପଟ୍ଟନାୟକ ଏବଂ ଦୁଇ ସହ-ଆବାହକ ସ୍ୱାତୀ କେଜ୍ରିୱାଲ୍ ଓ ସୁମା ଦେବୀ ଦାଶଙ୍କ ନେତୃତ୍ବରରେ ଏହି ଅଭିନବ କାର୍ଯ୍ୟକ୍ରମ ରୂପାୟିତ ହେବ। ସମ୍ପୂର୍ଣ୍ଣ ରୂପେ ମହିଳା ଉଦ୍ୟୋଗୀମାନଙ୍କ ଦ୍ବାରା ପରିଚାଳିତ ହେଉଥିବା ଏହି ମେଳାରେ ୨୦୦ରୁ ଅଧିକ ଷ୍ଟଲ୍‌ ସ୍ଥାପନ କରାଯିବ। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ସବୁ ଷ୍ଟଲକୁ ବ୍ରାଣ୍ଡିଂ କରାଯିବ ମାନେ ଷ୍ଟଲ ବାବଦରେ ସବିଶେଷ ତଥ୍ୟ ରହିବ ଏବଂ ମେଳା ବୁଲି ଆସିଥିବା ମହିଳାମାନେ ଉକ୍ତ ଷ୍ଟଲକୁ ଆସି ସେମାନଙ୍କ ସହ କଥା ହୋଇ ବ୍ୟବସାୟର ଗୁରୁମନ୍ତ୍ର ନେଇପାରିବେ ।

ଅନ୍ୟ ମେଳା ପରି ଏହି ମେଳା କେବଳ ବୁଲାବୁଲି-କିଣାକିଣି ପାଇଁ ନୁହେଁ । ଆପଣ ଏହି ମେଳାକୁ ଆସି ବ୍ୟବସାୟର ମୌଳିକ ତଥ୍ୟ ଅବା ଉଦ୍ୟୋଗ ବାବଦରେ ସାଧାରଣ ଜ୍ଞାନ ଅର୍ଜନ କରିପାରିବେ ଯାହାକି ସମ୍ପୂର୍ଣ୍ଣ ରୂପେ ମାଗଣା । ସାଧାରଣତଃ ମେଳାର କିଣାବିକା ଟ୍ରେଣ୍ଡରୁ ଟିକେ ଉର୍ଦ୍ଧ୍ବକୁ ଯାଇ ଏଭଳି ପରିକଳ୍ପନା କରାଯାଇଛି ତାହା ପୁଣି କେବଳ ଆମ ମାଆ ଭଉଣୀ ମାନଙ୍କ ପାଇଁ… ସବୁଠାରୁ ବଡ କଥା ହେଲା ଏହି ମେଳାରେ କିଛି ରାଜ୍ୟର ବିଭିନ୍ନ ଜିଲ୍ଲାରୁ ବଛାବଛା ଉଦ୍ୟୋଗ, ଜନଜାତି ଉଦ୍ୟୋଗୀ, ଏସଏଚଜି ଗ୍ରୁପ୍ ଏବଂ ଶିଶୁ ଉଦ୍ୟୋଗୀଙ୍କୁ ସମ୍ପୂର୍ଣ୍ଣ ଭାବେ ମାଗଣା ଷ୍ଟଲ ଦିଆଯିବ । ମହିଳା ବିଜନେସ୍ ମେଳା ୨.୦ ଓଡ଼ିଶାର ଜିଲ୍ଲାଗୁଡ଼ିକରେ କ୍ଷୁଦ୍ର ଉଦ୍ୟୋଗୀଙ୍କୁ ପ୍ରୋତ୍ସାହିତ କରିବା ସହ ଅନ୍ତର୍ଭୁକ୍ତ ଉଦ୍ୟୋଗିତାକୁ ଆଗକୁ ନେବ ଏବଂ ସ୍ଥାୟୀ ଅର୍ଥନୈତିକ ବ୍ୟବସ୍ଥାକୁ ସୁଦୃଢ କରିବ ।

ଆଏନ୍ଡବ୍ଲୁଇସି ର ଜାତୀୟ ମହିଳା ବ୍ୟବସାୟ ମେଳା ୨.୦ରେ ମୁଖ୍ୟ ଆକର୍ଷଣ ସାଜିଛନ୍ତି ବଲିଉଡ୍‌ ସେଲିବ୍ରିଟି, ଶିଳ୍ପ କ୍ଷେତ୍ରରେ ପରିଚୟ ସୃଷ୍ଟି କରିଥିବା ଅନ୍ତର୍ଜାତୀୟ ଚେହେରା ଏବଂ ପ୍ରସିଦ୍ଧ ବକ୍ତା । ଯେଉଁମାନେ ଏହି ମେଳାରେ ସାମିଲ ହୋଇ ଆଲୋଚନା କରିବା ସହ ପ୍ରେରଣାଦାୟୀ ବକ୍ତବ୍ୟ ପ୍ରଦାନ କରିବେ । ଏହି ଅଧିବେଶନଗୁଡ଼ିକ ନୂଆ ଚିନ୍ତାଧାରାକୁ ଅଧିକ ପ୍ରଭାବିତ କରିବା ସହ ମହିଳାଙ୍କୁ ଉଦ୍ୟୋଗ କ୍ଷେତ୍ରରେ ପ୍ରେରଣା ଦେବ ନିଶ୍ଚୟ । ଏହି ମେଳା ମହିଳାମାନଙ୍କୁ ସେମାନଙ୍କର ବ୍ରାଣ୍ଡ୍ ଲଞ୍ଚ, ବଜାର ସଂଯୋଗ, ଗ୍ରାହକ ସମ୍ପର୍କ, ଷ୍ଟାର୍ଟଅପ୍ ଏବଂ ଏମଏସଏମଇ ଗୁଡ଼ିକୁ ଉନ୍ନତି ପାଇଁ ଆବଶ୍ୟକ ଯୋଜନା ସଂପର୍କରେ ଅବଗତ କରିବ । ଏହା ଫ୍ୟାସନ୍, ସ୍ବାସ୍ଥ୍ୟ, ଖାଦ୍ୟ ଓ କୃଷି ଠାରୁ ଆରମ୍ଭ କରି ପ୍ରଯୁକ୍ତିବିଦ୍ୟା, ଶିକ୍ଷା, ଅର୍ଥନୀତି, ରିଅଲ୍ ଇଷ୍ଟେଟ୍, ଅଟୋମୋବାଇଲ୍ ଭଳି ବିବିଧ ଶିଳ୍ପଗୁଡ଼ିକୁ ଅନ୍ତର୍ଭୁକ୍ତ କରିବ।

ଏହି ମେଳା ମହିଳାଙ୍କୁ ସ୍ବାବଲମ୍ବୀ କରି କିମ୍ବା ସ୍ବାବଲମ୍ବୀ ହେବାକୁ ସାହସ ଦେଇ ‘ଆତ୍ମନିର୍ଭର ଭାରତ ଯୋଜନା’ର ସ୍ବପ୍ନକୁ ଆଗକୁ ବଢ଼ାଇବାରେ ସାହାଯ୍ୟ କରିବ । ଆସନ୍ତୁ ମହିଳାଙ୍କ ସ୍ବପ୍ନରେ ଉଡାଣ ଭରିବାକୁ ଏବଂ ସେମାନଙ୍କୁ ପାଦେ ଆକାଶ ଦେବାକୁ ଏହି ମେଳାରେ ବହୁମାତ୍ରାରେ ଯୋଗଦାନ କରି ଏହାକୁ ପୂର୍ବପରି ପୁନଶ୍ଚ ସଫଳତାର ଶୀଖରରେ ପହଞ୍ଚାଇବା ।
ଏହି ସାମ୍ବାଦିକ ସମ୍ମିଳନୀରେ ଆଇଏନଡବ୍ଲୁଇସି ଆବାହକ ପ୍ରୀତି ପଲ୍ଲବୀ ପଟ୍ଟନାୟକ, ସହଆବାହକ ସ୍ବାତୀ କେଜ୍ରିଓ୍ବାଲ, ସୁମାଦେବୀ ଦାସ, ଆଇସିସି ଚେୟାରମ୍ୟାନ ରାଜୀବ ସାହୁ, ଉପାଧ୍ୟକ୍ଷ ନୀଳାଞ୍ଜନା ମୁଖାର୍ଜୀ, ଏମଏସଏମଇ ବିଭାଗ ସ୍ବତନ୍ତ୍ର ସଚିବ ଶୁଭେନ୍ଦ୍ର କୁମାର ନାୟକ ଉପସ୍ଥିତ ଥିଲେ।

Post Views15 Total Count

Apply Now


This will close in 0 seconds

error: Content is protected !!