ଲାଞ୍ଚ କାରବାର ନେଇ ଇଡି ଉପନିର୍ଦ୍ଦେଶକକୁ ବାନ୍ଧିଲା ସିବିଆଇ

ଏକ ବେଆଇନ ଖଣି କାରବାର ମାମଲାର ରଫାଦଫା କରିବାକୁ ୨୦ ଲକ୍ଷ ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଭକ୍ତି ବେହେରା ନାମକ ଜଣେ ଯୁବକକୁ ଆଜି ସିବିଆଇ ମାଡ଼ିବସିବା ପରେ ଘଟଣାଟି ନୂଆ ମୋଡ଼ ନେଇଛି। ଏହି ମାମଲାରେ ସିବିଆଇ ଅଧିକ ଖୋଳତାଡ଼ କରି ଭୁବନେଶ୍ବର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଡେପୁଟି ଡାଇରେକ୍ଟର ଚିନ୍ତନ ରଘୁବଂଶୀଙ୍କ ପାଖରେ ପହଞ୍ଚିଛି। ଭକ୍ତି ବେହେରାଙ୍କ ଫୋନ୍‌ ଓ ଅନ୍ୟାନ୍ୟ ତଥ୍ୟ ପ୍ରମାଣକୁ ଆଧାର କରି ସିବିଆଇ, ଶ୍ରୀ ରଘୁବଂଶୀଙ୍କୁ ନିଜ ହେପାଜତକୁ ନେଇ ପଚରାଉଚରା କରୁଛି। କେବଳ ସେତିକି ନୁହେଁ, ଆଜି ଦିନତମାମ ସିବିଆଇ ଶ୍ରୀ ରଘୁବଂଶୀଙ୍କ ଘର ଓ ଆଇଆର୍‌ସି ଭିଲେଜ୍‌ସ୍ଥିତ କାର୍ଯ୍ୟାଳୟରେ ଚଢ଼ଉ କରି ବହୁ ଗୁରୁତ୍ବପୂର୍ଣ୍ଣ ନଥିପତ୍ର ଜବତ କରିଛି।

ମିଳିଥିବା ସୂଚନା ଅନୁସାରେ, ଜାନୁଆରି ୮ ତାରିଖରେ ଢେଙ୍କାନାଳ ଖଣି ମାଲିକ ରତିକାନ୍ତ ରାଉତଙ୍କ କାରବାର ଉପରେ ଇଡି ଚଢ଼ଉ କରିଥିଲା। କଟକ, ଢେଙ୍କାନାଳ, ଖୋର୍ଦ୍ଧା, ଅନୁଗୁଳ, ଯାଜପୁର ଆଦି ୧୫ ସ୍ଥାନରେ ଇଡି ଏକକାଳୀନ ଚଢ଼ଉ କରିଥିଲା। ଖଣି ବ୍ୟବସାୟୀ ଶ୍ରୀ ରାଉତଙ୍କ କୋଲ୍‌ ମାଇନିଂ, ମେଟାଲ୍‌ ଓର୍‌ ମାଇନିଂ, ଅଏଲ୍‌ ଓ ଗ୍ୟାସ୍‌ ଉତ୍ତୋଳନ, କନ୍‌ଷ୍ଟ୍ରକ୍‌ସନ୍‌, ମିନେରାଲ୍‌ ଆଣ୍ଡ ମାଇନିଂ କ୍ବାରି ଭଳି ଅନେକ ବ୍ୟବସାୟ ରହିଛି। ଖଣି ମାଲିକ ଶ୍ରୀ ରାଉତଙ୍କ ନାଁରେ ଆସିଥିଲା ବେଆଇନ ଖଣି କାରବାର ଅଭିଯୋଗ। ଏହି ମାମଲାର ତଦନ୍ତଭାର ନେଇଥିଲା ଇଡି। ଶ୍ରୀ ରଘୁବଂଶୀ ଖଣି ମାଲିକ ଶ୍ରୀ ରାଉତଙ୍କୁ ବାରମ୍ବାର କାର୍ଯ୍ୟାଳୟକୁ ଡକାଇ ଜେରା କରୁଥିଲେ।

ହେଲେ ଆଜି ଏକ ଗୁରୁତ୍ବପୂର୍ଣ୍ଣ ଘଟଣା କ୍ରମରେ ମଧ୍ୟସ୍ଥ ଭକ୍ତି ବେହେରା ଶ୍ରୀ ରାଉତଙ୍କଠାରୁ ୨୦ଲକ୍ଷ ଟଙ୍କା ନେବା ବେଳେ ସିବିଆଇ ମାଡ଼ିବସିଥିଲା। ମାମଲା ରଫାଦଫା କରିବା ପାଇଁ ଶ୍ରୀ ବେହେରା କୁଆଡେ ଏହି ଅର୍ଥ ଦାବି କରିଥିଲେ ବୋଲି କୁହାଯାଉଛି। ପ୍ରଥମେ ସେ ୨ କୋଟି ଟଙ୍କା ଦାବି କରିଥିଲେ। ପ୍ରଥମ ପର୍ଯ୍ୟାୟରେ ୫୦ ଲକ୍ଷରୁ ଆଜି ୨୦ଲକ୍ଷ ଟଙ୍କା ଆଣିବା ବେଳେ ମଧ୍ୟସ୍ଥି ବେହେରା ଧରାପଡ଼ିଥିଲେ। ସେ ଖଣି ମାଲିକ ଶ୍ରୀ ରାଉତଙ୍କୁ ରାଜଧାନୀ ଉପକଣ୍ଠସ୍ଥିତ ଏକ ନିର୍ଦ୍ଦିଷ୍ଟ ଜାଗାକୁ ଡାକିଥିଲେ। କିନ୍ତୁ ଏହା ପୂର୍ବରୁ ଖଣି ମାଲିକ ଶ୍ରୀ ରାଉତ ସିବିଆଇରେ ଅଭିଯୋଗ କରିସାରିଥିଲେ ଏବଂ ସିବିଆଇ ଜାଲ ବିଛାଇଥିଲା। ଇଡି ଅଧିକାରୀ ଶ୍ରୀ ରଘୁବଂଶୀ କିନ୍ତୁ ଏସବୁର ଟେର୍‌ ପାଇନଥିଲେ। ସେ ଆଜି ବାରମ୍ବାର ଫୋନ୍‌ କରି ଦଲାଲ ଭକ୍ତି ବେହେରାକୁ ଟଙ୍କା ଆଣିବା ପାଇଁ କହିଥିଲେ। ସନ୍ଧ୍ୟା ୫ଟା ବେଳେ ଖଣି ମାଲିକ ଶ୍ରୀ ରାଉତଙ୍କ ହାତରୁ ଦଲାଲ ଭକ୍ତି ବେହେରା ୨୦ ଲକ୍ଷ ଟଙ୍କା ଗ୍ରହଣ କରୁଥିବା ବେଳେ ସିବିଆଇ ଟିମ୍‌ ମାଡ଼ି ବସିଥିଲା। ପରେ ସିବିଆଇ ଟିମ୍‌ ଶ୍ରୀ ବେହେରାଙ୍କୁ ଜେରା କରି ଶ୍ରୀ ରଘୁବଂଶୀଙ୍କ ପାଖରେ ପହଞ୍ଚିଥିଲା। ସିବିଆଇର ଜଣେ ଅଧିକାରୀ କହିଛନ୍ତି, ଏହି ମାମଲାର ଅଧିକ ତଦନ୍ତ ଜାରି ରହିଛି। ସୂଚନାଯୋଗ୍ୟ ଯେ ଶ୍ରୀ ରଘୁବଂଶୀ ୨୦୧୩ ମସିହା ବ୍ୟାଚ୍‌ର ଭାରତୀୟ ରାଜସ୍ବ ସେବା (ଆଇଆର୍‌ଏସ୍‌) ଅଫିସର୍‌।

Post Views33 Total Count

Apply Now


This will close in 0 seconds

error: Content is protected !!