ଯାଜପୁର ଜିଲ୍ଲାରେ ଦେଖାଦେଇଥିବା ଡାଇରିଆ ସ୍ଥିତିରେ ଆସୁଛି ସୁଧାର। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏନେଇ ସ୍ପଷ୍ଟ କରାଯାଇଛି। ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ରଙ୍କ ସୂଚନା ଅନୁଯାୟୀ, ଜିଲ୍ଲାରେ ନୂଆ ରୋଗୀଙ୍କ ସଂଖ୍ୟା କମିଛି। ହସ୍ପିଟାଲରୁ ରୋଗୀ ସୁସ୍ଥ ହୋଇ ଘରକୁ ଫେରୁଛନ୍ତି । ତେବେ ନୂଆ ଅଞ୍ଚଳ କଲେରାରେ ପ୍ରଭାବିତ ହୋଇଥିବାର ସୂଚନା ମିଳିନାହିଁ । ହେଲଥ୍ ଟିମ୍ ଓ ରାପିଡ୍ ଆକ୍ସନ ଟିମ୍ ୨୪ ଘଣ୍ଟା କାମ କରୁଛନ୍ତି । ବର୍ତ୍ତମାନ ସୁଦ୍ଧା ୧,୫୧୬ ଜଣ ଡାଇରିଆରେ ଆକ୍ରାନ୍ତ ଥିବାବେଳେ ୧୩ ଶହ ୬ ଜଣ ଆରୋଗ୍ୟ ହୋଇଛନ୍ତି । ୨୧୦ ଜଣଙ୍କ ଚିକିତ୍ସା ଚାଲିଛି ।
ଅପରପକ୍ଷେ ଆଜି ଯାଜପୁର ଜିଲ୍ଲା ଓ କେନ୍ଦୁଝରର ଆନନ୍ଦପୁର ଯିବେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ। ପ୍ରଥମେ ଯାଜପୁରର ବଡ଼ଚଣା, ଧର୍ମଶାଳା, ମଧୁବନ ହସ୍ପିଟାଲ ଯିବେ। ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଯାଇ ସ୍ଥିତି ସମୀକ୍ଷା କରିବେ। ଏହାପରେ ଆନନ୍ଦପୁର ହସ୍ପିଟାଲ ମଧ୍ୟ ଯିବେ ସ୍ବାସ୍ଥ୍ୟମନ୍ତ୍ରୀ। ଏସବୁ ଭିତରେ ୩ଟି କେନ୍ଦ୍ରୀୟ ବିଶେଷଜ୍ଞ ଟିମ୍ ଆସୁଛନ୍ତି ଓଡ଼ିଶା। ଏହି ଟିମ ଆଜି ଗ୍ରାଉଣ୍ଡ ଜିରୋରେ କରିବେ ସ୍ଥିତି ସମୀକ୍ଷା। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଏକ ୭ ଜଣିଆ ଟିମ୍ ଏବଂ ୩ ଜଣିଆ ଖାଦ୍ୟ ନିରାପତ୍ତା ଟିମ୍ ଜିଲ୍ଲା ଗସ୍ତ କରିବେ ।

