ସୁସ୍ଥ ହେଉଛନ୍ତି ମହାପ୍ରଭୁ

ସୁସ୍ଥ ହେଉଛନ୍ତି ମହାପ୍ରଭୁ । ଅଣସର ତାଟିରେ କ୍ଷୀଣ ଆଲୋକ ଭିତରେ ସେବାରେ ଲାଗିଛନ୍ତି ଦଇତାପତି। ଜ୍ଵର ଉପଶମ ପାଇଁ ପ୍ରଥମେ ଫୁଲୁରି ତେଲ, ଷଷ୍ଠୀରେ ଓଷୁଅ ଲାଗି କରାଯାଇଥିଲା। ଆଜି ଅଣସରର ଦଶମୀ ତିଥୀରେ ଚକାବିଜେ କରିବେ ଶ୍ରୀଜିଉ। ସେପଟେ ରାଜବୈଦ୍ୟଙ୍କ ଦ୍ବାରା ପ୍ରସ୍ତୁତ ହୋଇଛି ଦଶମୂଳ ମୋଦକ। ରାଜବୈଦ୍ୟମାନେ ଦଶ ପ୍ରକାରର ଚେର ମୂଳିରୁ ପ୍ରସ୍ତୁତ କରିଛନ୍ତି ଦଶ ମୂଳାରିଷ୍ଟ। ଶାଳପର୍ଣ୍ଣି, ବେଲ, ଖଣିବଧୂ, ପାଟଳି, ଅଙ୍କରାନ୍ତି, ଗୋଖରା, ଲମ୍ବାଗୋତି, ଗମ୍ଭାରୀ, ଫଣଫଣା, କୃଷ୍ଣପର୍ଣ୍ଣି, କୃଷ୍ଣଚୁଡା, ଲବଙ୍ଗ, ଦେଶୀଘିଅ, ମହୁ, ନବାତ, ଖୁଆ ଆଦି ବିଭିନ୍ନ ଦ୍ରବ୍ୟକୁ ମିଶାଯାଇ ଏହି ଔଷଧ ପ୍ରସ୍ତୁତ କରାଯାଇଛି। ଅତ୍ୟନ୍ତ ଶୁଦ୍ଧପୂତ ଭାବେ ଏହି ଔଷଧକୁ ବୈଦ୍ୟମାନେ ପ୍ରସ୍ତୁତ କରି ଶ୍ରୀମନ୍ଦିର ଗାରଦକୁ ହସ୍ତାନ୍ତର କରିବେ। ତ୍ରୟୋଦଶ ଶତାଦ୍ଦୀରେ ଦ୍ୱିତୀୟ ଅନଙ୍ଗଭୀମ ଦେବଙ୍କ ସମୟରେ ବୈଦ୍ୟ ଓ ଶାସ୍ତ୍ର ବୈଦ୍ୟ ସେବା ସ୍ଥାପିତ ହୋଇଥିଲା।

 

ଅଣବସର ଦଶମୀ ସଂନ୍ଧ୍ୟାରେ ଦଶମୂଳ ମୋଦକ ଶ୍ରୀମନ୍ଦିର ଗାରଦରେ ଦାଖଲ ହେବା ପରେ ଏକାଦଶୀ ଦିନ ଅନ୍ୟ ଭୋଗ ସହ ମହାପ୍ରଭୁଙ୍କୁ ଏହା ଲାଗି ହୁଏ। ଉପଚାର ପରେ ପ୍ରଭୁ ସଂପୂର୍ଣ୍ଣ ସୁସ୍ଥ ହୋଇ ନବଯୌବନ ଦର୍ଶନ ଦିନ ଭକ୍ତଙ୍କୁ ଦର୍ଶନ ଦେବେ। ସେପଟେ ଜୋରସୋରରେ ଚାଲିଛି ରଥ ନିର୍ମାଣ କାମ। ତିନି ରଥରେ ୧୩ ପରସ୍ତ ପୋଟଳ ସେଟିଂ ସରି ଦୁଇଟି ଲେଖାଏଁ ଦୁଆର ବେଢ଼ା ନିର୍ମାଣ କାର୍ଯ୍ୟ ମଧ୍ୟ ସମ୍ପନ୍ନ ହୋଇଛି। ରୂପକାର ସେବକ ମାନେ ଖୋଦେଇ କରୁଥିବା ବେଳେ ଚିତ୍ରକର ସେବକ ରଥର ବାହ୍ୟ ଅଂଶ ଗୁଡ଼ିକରେ ରଙ୍ଗ ଦେଉଛନ୍ତି।

Post Views3 Total Count

Apply Now


This will close in 0 seconds

error: Content is protected !!