ଅନୀଲ ଅମ୍ବାନୀଙ୍କ କମ୍ପାନୀ ଏକାଧିକ ଠିକଣାରେ ଇଡି ରେଡ୍‌

ଶିଳ୍ପପତି ଅନୀଲ ଅମ୍ବାନୀଙ୍କ କମ୍ପାନୀ ସହ ଜଡ଼ିତ ମୁମ୍ବାଇରେ ଥିବା ଏକାଧିକ ଠିକଣାରେ ଆଜି ସକାଳୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି ରେଡ୍‌ ଆରମ୍ଭ କରିଛି। ଏହାର କିଛି ଦିନ ପୂର୍ବରୁ ଭାରତୀୟ ଷ୍ଟେଟ ବ୍ୟାଙ୍କ(ଏସବିଆଇ) ରିଲାଏନ୍ସ କମ୍ୟୁନିକେସନ ଓ ଏହାର ପ୍ରମୋଟର-ନିର୍ଦ୍ଦେଶକ ଅନୀଲ ଡି ଅମ୍ବାନୀଙ୍କୁ ‘ଠକ’ ଭାବେ ଘୋଷଣା କରିଥିଲା। ଏସିବିଆଇର ଏପରି ପଦକ୍ଷେପ ପରେ ଆଜି ଇଡି ପକ୍ଷରୁ ରେଡ ଆରମ୍ଭ କରାଯାଇଛି।

ରେଡରୁ ଅମ୍ବାନୀଙ୍କ ବ୍ୟକ୍ତିଗତ ଘରକୁ ବାଦ ଦିଆଯାଇଛି। ହେଲେ ଦିଲ୍ଲୀ ଓ ମୁମ୍ବାଇର ଇଡି ଟିମ ଅମ୍ବାନୀଙ୍କ କମ୍ପାନୀ ଅଧୀନରେ ଥିବା ଏକଧିକ ଠିକଣାରେ ସର୍ଚ୍ଚ ଅପରେସନ କରିଛନ୍ତି। ରିଲାଏନ୍ସ ଅନୀଲ ଅମ୍ବାନୀ ଗ୍ରୁପ କମ୍ପାନୀ ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ଇଡି ଏପରି ତଦନ୍ତ କରିଥିବା ଜଣାପଡ଼ିଛି।

ନ୍ୟାଶନାଲ ହାଉସିଂ ବ୍ୟାଙ୍କ, ସେବି, ନ୍ୟାଶନାଲ ଫାଇନାନସିଆଲ ରିପୋର୍ଟିଂ ଅଥୋରିଟୀ, ବ୍ୟାଙ୍କ ଅଫ ବରୋଦା ଦେଇଥିବା ତଥ୍ୟ ଓ ସିବିଆଇ ରୁଜୁ କରିଥିବା ୨ଟି ଏଫଆଇଆର ଆଧାରରେ ଇଡି ଆକ୍ସନ ମୋଡକୁ ଆସିଛି। ଅନୀଲ ଅମ୍ବାନୀଙ୍କ ଗ୍ରୁପ ସହ ଜଡ଼ିତ ଥିବା ବରିଷ୍ଠ ବ୍ୟବସାୟିକ କାର୍ଯ୍ୟନିର୍ବାହୀମାନେ ମଧ୍ୟ ତଦନ୍ତ ପରିସର ଭୁକ୍ତ ହୋଇଛନ୍ତି।

ଇଡି ଦାବି କରିଛି ଯେ ସର୍ବସାଧାରଣ ପାଣ୍ଠିକୁ ବେଶ ଚତୁରତାର ଅନ୍ୟତ୍ର ଡାଇଭର୍ଟ କରିବା ପାଇଁ ହୋଇଥିବା ଗୋଟିଏ ଯୋଜନାବଦ୍ଧ ସ୍କିମର ପର୍ଦ୍ଦାଫାସ ହୋଇଛି। ବ୍ୟାଙ୍କ, ଅଂଶିଦାର, ନିବେଶକ ଓ ସର୍ବସାଧାରଣ ପ୍ରତିଷ୍ଠାନ ସମେତ ଅନେକ ଲୋକଙ୍କୁ ବିଭ୍ରାନ୍ତ କିମ୍ବା ଠକେଇ କରାଯାଇଥିବା ତଦନ୍ତରୁ ଇଡି ଜାଣିବାକୁ ପାଇଛି।୨୦୧୭ରୁ ୨୦୧୯ ମଧ୍ୟରେ YES ବ୍ୟାଙ୍କରୁ ନିଆଯାଇଥିବା ୩ ହଜାର କୋଟିର ଋଣକୁ ବେଆଇନ ଭାବେ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିବା ଏବେ ପୂରା ତଦନ୍ତ ପ୍ରକ୍ରିୟାର ଫୋକସରେ ରହିଛି। ଇଡି ଅଧିକାରୀଙ୍କ କହିବା କଥା ଯେ ଗ୍ରୁପ ଅଧୀନରେ ଥିବା କମ୍ପାନୀଗୁଡ଼ିକୁ ଋଣ ଟଙ୍କା ପଠାଯିବାର କିଛି ସମୟ ପୂର୍ବରୁ ହିଁ ଅର୍ଥକୁ ବ୍ୟାଙ୍କ ପ୍ରମୋଟର୍ସଙ୍କ ସହ ଜଡ଼ିତ ସଂସ୍ଥାଗୁଡ଼ିକୁ ପଠାଇ ଦିଆଯାଇଥିଲା। ରିଲାଏନ୍ସ ହୋମ ଫାଇନାନ୍ସ ଲିଃ(ଆରଏଚଏଫଏଲ) ସମ୍ପର୍କରେ ମିଳିଥିବା କିଛି ସାଂଘାତିକ ତଥ୍ୟକୁ ଅଧିକାରୀମାନେ ଇଡି ସହ ଶେୟାର କରିଛନ୍ତି।

କର୍ପୋରେଟ ଋଣର ପରିମାଣ ୨୦୧୭-୧୮ରେ ୩,୭୪୨.୬୦ କୋଟି ଟଙ୍କା ଥିବା ବେଳେ ହଠାତ ଏହା ୨୦୧୮-୧୯ରେ ୮,୬୭୦.୮୦ କୋଟି ଟଙ୍କାକୁ ବୃଦ୍ଧି ପାଇବା ସମସ୍ତଙ୍କ ମନରେ ସନ୍ଦେହ ସୃଷ୍ଟି କରିଛି। Yes Bankର ପୂର୍ବତନ ପ୍ରମୋଟର୍ସ ଲାଞ୍ଚ ନେଇ ଏପରି କରିଥିବା ଆଶଙ୍କା ପ୍ରକାଶ ପାଇଛି।ନିକଟରେ ଏସବିଆଇ ଅନୀଲ ଅମ୍ବାନୀ ଓ ତାଙ୍କ କମ୍ପାନୀ ରିଲାଏନ୍ସ କମ୍ୟୁନିକେସନକୁ ଠକ ଭାବେ ଘୋଷଣା କରିବା ପରେ ଇଡି ରେଡ ଆରମ୍ଭ କରିଛି। ଠକେଇ ଆଶଙ୍କାକୁ ପରିଚାଳନା କରିବା ପାଇଁ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ଜାରି କରିଥିବା ଗାଇଡଲାଇନ ଓ ଏହାର ଆଭ୍ୟନ୍ତରୀଣ ନୀତି ଅନୁସାରେ ଏସବିଆଇ ୨୦୨୫ ମସିହା ଜୁନ ୧୩ରେ ରିଲାଏନ୍ସ କମ୍ୟୁନିକେସନ ଓ ଏହାର ପ୍ରମୋଟରଙ୍କ ବିରୋଧରେ ଏପରି ପଦକ୍ଷେପ ନେଇଥିଲା।ଏ ସମ୍ପର୍କରେ ଏସବିଆଇ ୨୦୨୫ ଜୁନ ୨୪ରେ ଆରବିଆଇକୁ ଜଣାଇଥିଲା। ଏବେ ବ୍ୟାଙ୍କ ଠକେଇ ନେଇ ସିବିଆଇରେ ବିଧିବଦ୍ଧ ଅଭିଯୋଗ କରିବାକୁ ପ୍ରସ୍ତୁତି ଆରମ୍ଭ କରିଥିବା ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ଲୋକସଭାକୁ ଅବଗତ କରାଇଥିଲେ।

Post Views91 Total Count

Apply Now


This will close in 0 seconds

error: Content is protected !!