ଅଗଷ୍ଟ ୧୫ ଠାରୁ, ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (ଏନଏଚଏଆଇ) ବାର୍ଷିକ ଫାଷ୍ଟାଗ୍ ପାସ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ଯାଉଛି, ଯାହା ଟୋଲ୍ ଦେୟକୁ ସହଜ ଏବଂ ଶସ୍ତା କରିବ। ଏବେ ଆପଣ ଫାଷ୍ଟାଗ୍ ମାଧ୍ୟମରେ ଗୋଟିଏ ବର୍ଷ ପାଇଁ ଟୋଲ୍ ପାସ୍ କିଣିପାରିବେ – ତାହା ମଧ୍ୟ ମାତ୍ର ୩୦୦୦ ରେ ।
ସୂଚନା ଅନୁସାରେ ଏନଏଚଏଆଇ ବ୍ୟକ୍ତିଗତ ଯାନବାହାନ (କାର, ଜିପ୍, ଭ୍ୟାନ) ପାଇଁ ଏକ ଫାଷ୍ଟାଗ୍ ବାର୍ଷିକ ପାସ୍ ଲଞ୍ଚ କରିଛି, ଯାହା ଗୋଟିଏ ବର୍ଷ ପାଇଁ କିମ୍ବା ୨୦୦ ମାଗଣା ଟୋଲ୍ ଯାତ୍ରା ପାଇଁ ବୈଧ ହେବ । ଅର୍ଥାତ ଆପଣ ଯଦି ଗୋଟିଏ ବର୍ଷରେ ଯଦି ୨୦୦ରୁ ଅଧିକ ଟୋଲ୍ ଯାତ୍ରା କରୁଛନ୍ତି, ତେବେ ୨୦୧ତମ ଟୋଲଯାତ୍ରାଠାରୁ ଶୁଳକ ଦେବାକୁ ହେବ ।
ଅନ୍ୟପ୍ରକାରେ କହିଲେ ୩୦୦୦ ଟଙ୍କାରେ, ଆପଣ ଜାତୀୟ ରାଜପଥ ଏବଂ ଏକ୍ସପ୍ରେସୱେରେ ଟୋଲ୍ ନ ଦେଇ ୨୦୦ ଥର କିମ୍ବା ଏକ ବର୍ଷ ପାଇଁ ଯାତ୍ରା କରିପାରିବେ। ଏହା ପ୍ରତିଦିନ ରାଜପଥରେ ଉପରକୁ ଏବଂ ତଳକୁ ଯାତ୍ରା କରୁଥିବା ଲୋକଙ୍କୁ ବହୁତ ଆଶ୍ୱସ୍ତି ପ୍ରଦାନ କରିବ – ଯେପରିକି ଅଫିସ ଯାଉଥିବା ଲୋକ, ଛୋଟ ସହରରୁ ମେଟ୍ରୋ ସହରକୁ ପ୍ରତିଦିନ ଯାତ୍ରା କରୁଥିବା ଲୋକ, କିମ୍ବା ଯାତ୍ରା ବ୍ୟବସାୟ ସହିତ ଜଡିତ ଲୋକ।ତେବେ ଏହି ବାର୍ଷିକ ପାସ୍ କେବଳ ଏନଏଚଏଆଇ ପରିଚାଳିତ ଟୋଲଗୁଡ଼ିକରେ ଲାଗୁ ହେବ । ମାତ୍ର ରାଜ୍ୟ ସରକାର, ପୌରସଂସ୍ଥାମାନଙ୍କ ଦ୍ବାରା ପରିଚାଳିତ ଟୋଲଗେଟଗୁଡ଼ିକରେ ଲାଗୁ ହେବ ନାହିଁ ।

