ବାରଙ୍ଗରେ ହେବ ପ୍ରଥମ ଦୃଷ୍ଟିବାଧିତ ବିଶ୍ବବିଦ୍ୟାଳୟ

ବାରଙ୍ଗର ଗଙ୍ଗେଶ୍ବର ମୌଜାରେ ନିର୍ମାଣ ହେବ ଦେଶର ପ୍ରଥମ ଦୃଷ୍ଟିବାଧିତ ବିଶ୍ବବିଦ୍ୟାଳୟ। ଏଥିପାଇଁ ଜମି ଚିହ୍ନଟ ପ୍ରକ୍ରିୟା ଶେଷ ହୋଇଥିଲା ବେଳେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ (ଏସ୍‌ଏସ୍‌ଇପିଡି)ର ଚୂଡ଼ାନ୍ତ ଅନୁମୋଦନ ଅପେକ୍ଷାରେ ରହିଛି। ଏହି ବିଶ୍ବବିଦ୍ୟାଳୟ ପାଇଁ ଗଙ୍ଗେଶ୍ବର ମୌଜାରେ ୨୯.୭୫ ଏକର ଜମି ଚିହ୍ନଟ କରାଯାଇଛି। ଯଦିଓ ବିଭାଗ ପକ୍ଷରୁ କଟକ ସହର ଭିତରେ ଜମି ବାଛିବା ପାଇଁ କୁହାଯାଇଥିଲା, କିନ୍ତୁ ସହର ଭିତରେ ଏକ ବିଶ୍ବବିଦ୍ୟାଳୟ ନିର୍ମାଣ ପାଇଁ ଆବଶ୍ୟକ ଜମି ମିଳିପାରି ନଥିଲା। ତେଣୁ ସହର ବାହାରେ କୌଣସିଠାରେ ଜମି ଖୋଜା ଯାଇଥିଲା ବେଳେ ପ୍ରାଥମିକ ପର୍ଯ୍ୟାୟରେ ବାରଙ୍ଗରେ ପାଖାପାଖି ୪୦ ଏକର ଜମି ଅଧିଗ୍ରହଣ ପାଇଁ ବଛାଯାଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ବିଶ୍ବବିଦ୍ୟାଳୟ ପାଇଁ ପାଖାପାଖି ୩୦ ଏକର ଜମି ଚିହ୍ନଟ ହୋଇଥିଲା। ଏହି ଜମିକୁ ଏସ୍‌ଏସ୍‌ଇପିଡି ନାମକୁ ଆଣିବା ପାଇଁ ଏବେ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥିପାଇଁ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ସଂଯୋଜକ ଭାବେ ଦାୟିତ୍ବ ଦିଆଯାଇଛି। ଜମି ଆବଣ୍ଟନ ପ୍ରକ୍ରିୟା ଶେ‌ଷ କରିବାକୁ ବିଭାଗ ଦାୟିତ୍ବ ନ୍ୟସ୍ତ କରିଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ଏହି କେନ୍ଦ୍ରୀୟ ଦୃଷ୍ଟିବାଧିତ ବିଶ୍ବବିଦ୍ୟାଳୟକୁ ସନ୍ଥ କବି ଭୀମଭୋଇଙ୍କ ନାମରେ ନାମିତ କରିବା ପାଇଁ ରାଜ୍ୟ ସରକାର ସୁପାରିସ କରିଛନ୍ତି। ପୂର୍ବରୁ ଜମି ଚୟନ ସମୟରେ ‌ଏକ କେନ୍ଦ୍ରୀୟ ପ୍ରତିନିଧି ଦଳ କଟକ ଓ ଭୁବନେଶ୍ବରର ବିଭିନ୍ନ ସ୍ଥାନ ବୁଲି ଦେଖିଥିଲେ। ତେବେ ଏହି ଶିକ୍ଷାନୁଷ୍ଠାନର ଜାତୀୟସ୍ତରରେ ଗୁରୁତ୍ବଥିବାରୁ କଟକ-ଭୁବ‌ନେଶ୍ବରର ମଧ୍ୟବର୍ତ୍ତୀ ଅଞ୍ଚଳକୁ ବଛାଯାଇଥିଲା। ଅନ୍ୟପକ୍ଷରେ ରାଜ୍ୟରେ ବର୍ତ୍ତମାନ ପାଖାପାଖି ୨୬ଟି ଦୃଷ୍ଟିବାଧିତ ବିଦ୍ୟାଳୟ ଅଛି। ଏହି ବିଦ୍ୟାଳୟମାନଙ୍କରେ ପଢ଼ୁଥିବା ଛାତ୍ରଛାତ୍ରୀମାନେ ଆଗକୁ ଦୃଷ୍ଟିବାଧିତ ବିଶ୍ବବିଦ୍ୟାଳୟ ଦ୍ବାରା ଅଧିକ ଉପକୃତ ହୋଇପାରିବେ ବୋଲି ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ମନୋଜ କୁମାର ରଥ ପ୍ରକାଶ କରିଛନ୍ତି।

Post Views24 Total Count

Apply Now


This will close in 0 seconds

error: Content is protected !!