ନିଲାମ ହେବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମିଳିଥିବା ବିଭିନ୍ନ ଉପହାର। ଏହି ତାଲିକାରେ ୧୩୦୦ ରୁ ଅଧିକ ଜିନିଷ ରହିଛି। ବୁଧବାର ଦିନ ଏଥିପାଇଁ ଇ-ନିଲାମ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ଜିନିଷ ଗୁଡ଼ିକ ମଧ୍ୟରେ ଦେବୀ ଭବାନୀଙ୍କ ପ୍ରତିମୂର୍ତ୍ତି, ଅଯୋଧ୍ୟାର ରାମ ମନ୍ଦିରର ଏକ ମଡେଲ ଏବଂ ୨୦୨୪ ପାରାଅଲିମ୍ପିକ୍ ଗେମ୍ସର କ୍ରୀଡା ସ୍ମାରକୀ ଅନ୍ତର୍ଭୁକ୍ତ। ଅଧିକାରୀ ମାନେ କହିଛନ୍ତି ଯେ ଅନଲାଇନ୍ ନିଲାମର ସପ୍ତମ ସଂସ୍କରଣ ମୋଦୀଙ୍କ ଜନ୍ମଦିନ ସହିତ ହେଉଛି , ଯାହାକି ବୁଧବାର ଦିନ ୭୫ ବର୍ଷ ବୟସରେ ପାଦ ଦେଇଛନ୍ତି ମୋଦୀ । ତେବେ ଏହି ଇ-ନିଲାମ ଅକ୍ଟୋବର ୨ ପର୍ଯ୍ୟନ୍ତ ଜାରି ରହିବ।
ପିଏମ ମମେଣ୍ଟୋସ୍ ୱେବସାଇଟ୍ ଅନୁଯାୟୀ, ଦେବୀ ଭବାନୀଙ୍କ ପ୍ରତିମୂର୍ତ୍ତିର ମୂଳ ମୂଲ୍ୟ ୧,୦୩,୯୫,୦୦୦, ଟଙ୍କା ଯେତେବେଳେ କି ରାମ ମନ୍ଦିରର ମଡେଲର ମୂଳ ମୂଲ୍ୟ ୫.୫ ଲକ୍ଷ ରହିଛି। ସଂସ୍କୃତି ମନ୍ତ୍ରଣାଳୟର ଅଧିକାରୀ ମାନେ ମଙ୍ଗଳବାର ଦିନ କହିଛନ୍ତି ଯେ, ପାରାଅଲିମ୍ପିକ୍ ପଦକ ବିଜେତାଙ୍କ ତିନି ଯୋଡ଼ା ଜୋତା ସହିତ ଏହି ଦୁଇଟି ଜିନିଷ ଶ୍ରେଷ୍ଠ ପାଞ୍ଚଟି ମଧ୍ୟରେ ରହିଛି। ପ୍ରତ୍ୟେକ ଯୋଡ଼ାର ମୂଳ ମୂଲ୍ୟ ୭.୭ ଲକ୍ଷ ରହିଛି। ଇ-ନିଲାମରେ ଅନ୍ତର୍ଭୁକ୍ତ ଅନ୍ୟାନ୍ୟ ସାମଗ୍ରୀ ମଧ୍ୟରେ ଜମ୍ମୁ ଏବଂ କାଶ୍ମୀରର ଏକ ଏମ୍ବ୍ରୋଡେରୀ ପଶ୍ମିନା ଶାଲ, ରାମ ଦରବାରର ଏକ ତାଞ୍ଜୋର ଚିତ୍ର, ଏକ ଧାତୁ ନଟରାଜ ପ୍ରତିମୂର୍ତ୍ତି, ଜୀବନ ବୃକ୍ଷକୁ ଚିତ୍ରିତ କରୁଥିବା ଗୁଜରାଟର ଏକ ରୋଗନ କଳା ଏବଂ ଏକ ହାତବୁଣା ନାଗା ଶାଲ ଅନ୍ତର୍ଭୁକ୍ତ।
ଏହି ସଂସ୍କରଣର ଏକ ବିଶେଷ ଆକର୍ଷଣ ହେଉଛି ପ୍ୟାରିସ୍ ପାରାଅଲିମ୍ପିକ୍ସ ୨୦୨୪ ରେ ଅଂଶଗ୍ରହଣ କରୁଥିବା ଭାରତୀୟ ପାରା-ଆଥଲେଟ ମାନଙ୍କ ଦ୍ୱାରା ଉପହାରିତ କ୍ରୀଡା ସ୍ମାରକୀ। ସଂସ୍କୃତି ମନ୍ତ୍ରଣାଳୟ ପୂର୍ବରୁ ଏକ ବିବୃତ୍ତିରେ କହିଥିଲା ଯେ ଏହି ସ୍ମାରକୀ ପାରା-ଆଥଲେଟ ମାନଙ୍କ ଲଢ଼ୁଆ ମନୋଭାବ, ଉତ୍କର୍ଷତା ଏବଂ ଅଦମ୍ୟ ମନୋଭାବର ପ୍ରତୀକ । ଇ-ନିଲାମର ପ୍ରଥମ ସଂସ୍କରଣ ଜାନୁଆରୀ ୨୦୧୯ ରେ ଅନୁଷ୍ଠିତ ହୋଇଥିଲା। ସେବେଠାରୁ, ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଦିଆଯାଇଥିବା ହଜାର ହଜାର ଅନନ୍ୟ ଉପହାର ନିଲାମ କରାଯାଇଛି, ନମାମି ଗଙ୍ଗେ ପ୍ରକଳ୍ପର ସମର୍ଥନରେ ୫୦ କୋଟିରୁ ଅଧିକ ସଂଗ୍ରହ କରାଯାଇଛି, ସଂସ୍କୃତି ମନ୍ତ୍ରଣାଳୟ ମଙ୍ଗଳବାର ଦିନ କହିଛି।
କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ମଙ୍ଗଳବାର ଦିନ ସାମ୍ବାଦିକ ମାନଙ୍କୁ କହିଥିଲେ ଯେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପ୍ରାପ୍ତ ୧୩୦୦ରୁ ଅଧିକ ଉପହାର ଅନଲାଇନ୍ରେ ନିଲାମ ହେବ। ପୂର୍ବ ବର୍ଷ ଗୁଡ଼ିକ ପରି, ଇ-ନିଲାମରୁ ସମସ୍ତ ଆୟ ନମାମି ଗଙ୍ଗେ ପ୍ରକଳ୍ପକୁ ଦାନ କରାଯିବ, ଯାହା ଗଙ୍ଗା ନଦୀ ଏବଂ ଏହାର ପରିବେଶକୁ ପୁନର୍ଜୀବିତ, ସଂରକ୍ଷଣ ଏବଂ ସୁରକ୍ଷା କରିବା ପାଇଁ ଭାରତ ସରକାରଙ୍କ ପ୍ରମୁଖ ପଦକ୍ଷେପ।

