ଲଘୁଚାପଜନିତ ବର୍ଷାକୁ ଆଖିରେ ରଖି ଶୁକ୍ରବାର ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ବନ୍ଦ ରହିବ । ପାଣିପାଗ ବିଭାଗର ସତର୍କ ସୂଚନାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ସୋମେଶକୁମାର ଉପାଧ୍ୟାୟ ଏହା ଘୋଷଣା କରିଛନ୍ତି । କିନ୍ତୁ ସମସ୍ତ ସ୍କୁଲର ପ୍ରଧାନଶିକ୍ଷକ ଶିକ୍ଷୟିତ୍ରୀ, କର୍ମଚାରୀ ଉପସ୍ଥିତ ରହିବେ।
ବଙ୍ଗୋପସାରଗରେ ଲଘୁଚାପ ସୃଷ୍ଟି ହୋଇସାରିଛି । ଶୁକ୍ରବାରକୁ ଏହା ଘନୀଭୂତ ହୋଇ ଅବପାତ ରୂପ ନେଇପାରେ । ମୁହାଁଇବ ଦକ୍ଷିଣ ଓଡ଼ିଶା ଉପକୂଳ ଆଡ଼କୁ । ଦକ୍ଷିଣ ଓଡ଼ିଶା-ଉତ୍ତର ଆନ୍ଧ୍ର ଉପକୂଳ ଅତିକ୍ରମ କରିବ । ପ୍ରବଳ ବର୍ଷିବ ଦକ୍ଷିଣ ଓଡ଼ିଶା ଏବଂ ଉପକୂଳରେ । ସମ୍ଭାବ୍ୟ ବର୍ଷାକୁ ନେଇ ସ୍ୱତନ୍ତ୍ର ରିଲିଫ କମିଶନର ୧୮ଟି ଜିଲ୍ଲା ପ୍ରଶାସନକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ପାଣିପାଗ ବିଭାଗର ପୂର୍ବାନୁମାନ କହୁଛି, ଉତ୍ତର ଓ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ଅବପାତ ରୂପ ନେବ । ୨୭ ତାରିଖ ସକାଳେ ଏହା ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ର ଉପକୂଳ ଦେଇ ଅତିକ୍ରମ କରିବ । ଏହାର ପ୍ରଭାବରେ କୋରାପୁଟ ଓ ମାଲକାନଗିରିରେ ଅତି ପ୍ରବଳ ଓ ଅନ୍ୟାନ୍ୟ ଦକ୍ଷିଣ ଓଡ଼ିଶା ଜିଲ୍ଲାମାନଙ୍କରେ ପ୍ରବଳ ବର୍ଷା ହୋଇପାରେ।

