ମୋଦିଙ୍କ ୬୦ ହଜାର କୋଟିର ପ୍ରକଳ୍ପ ଭେଟି

ଓଡ଼ିଶାବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଦଶହରା ଭେଟି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଝାରସୁଗୁଡ଼ା ଗସ୍ତରେ ଆସି ୬୦,୦୦୦ କୋଟି ଟଙ୍କାର ଭିତ୍ତିପ୍ରସ୍ତର ସ୍ଥାପନ ଓ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶୁଭ ଉଦଘାଟନ କରିଛନ୍ତି ।ଏହି ଅବସରରେ ମୋଦି କହିଛନ୍ତି,”ବର୍ତ୍ତମାନ ନବରାତ୍ର ପର୍ବ ଚାଲିଛି, ଏହି ସମୟରେ ମା’ ସମଲେଶ୍ବରୀ ଓ ରାମଚଣ୍ଡୀଙ୍କ ଭୂଇଁରେ ପାଦ ଦେଇ ମୁଁ ଭାଗ୍ୟବାନ ମନେ କରୁଛି । ବିକଶିତ ଓଡ଼ିଶାର ସଂକଳ୍ପ ନେଇ ଆପଣମାନେ ଡବଲ ଇଞ୍ଜିନ ସରକାର ଗଢ଼ିଛନ୍ତି । ଯେଉଁ ସରକାର ଜନତାଙ୍କ ହିତ ପାଇଁ କାର୍ଯ୍ୟ କରୁଛି । ଆଜି ଅନେକ ବର୍ଗଙ୍କ ସ୍ବପ୍ନ ପୁରଣ ହେବ । ବଡ଼ ବଡ଼ ଶିଳ୍ପ ସଂସ୍ଥା ଓଡ଼ିଶାରେ ପ୍ରବେଶ କରିବେ ଏବଂ ରୋଜଗାର ଯୋଗାଇବେ ।ଏହି ପ୍ରକଳ୍ପଗୁଡ଼ିକ ଦୂରସଞ୍ଚାର, ରେଳବାଇ, ଶିକ୍ଷା, ସ୍ୱାସ୍ଥ୍ୟ, ଦକ୍ଷତା ବିକାଶ, ଗ୍ରାମୀଣ ଗୃହ ନିର୍ମାଣ କ୍ଷେତ୍ର ସମେତ ଅନ୍ୟାନ୍ୟ କ୍ଷେତ୍ର ସହ ଜଡ଼ିତ ।” ସେପଟେ କଂଗ୍ରେସ ଉପରେ ପ୍ରବଳ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି,”ଦେଢ଼ ବର୍ଷ ପୂର୍ବରୁ ବିଧାନସଭା ନିର୍ବାଚନରେ ଆପଣମାନେ ନୂଆ ସଂକଳ୍ପ ନେଇ ଆଗକୁ ବଢିବାକୁ ନିଷ୍ପତ୍ତି ନେଇଥିଲେ । ଏହି ସଂକଳ୍ପ ଥିଲା ବିକଶିତ ଭାରତର । ଆଜି ମୁଁ ଦେଖିଛି ଓଡ଼ିଶା ଡବଲ ଇଞ୍ଜିନ ସ୍ପିଡ଼ରେ ଆଗକୁ ବଢୁଛି । ଆଜି ଓଡ଼ିଶା ଏବଂ ଦେଶ ପାଇଁ ହଜାର ହଜାର କୋଟିର କାମ ଆରମ୍ଭ ହୋଇଛି । ଆଜି ବିଏସଏନଏଲ 4ଜି ଶୁଭାରମ୍ଭ ହେଲା । ଆଇଆଇଟି ଭିତ୍ତିଭୂମି ସମ୍ପ୍ରସାରଣ ମଧ୍ୟ ଆରମ୍ଭ ହୋଇଛି। ବ୍ରହ୍ମପୁର ସୁରଟ ଆଧୁନିକ ଅମୃତ ଭାରତକୁ ଶୁଭରମ୍ଭ କରାଯାଇଛି। ସୁରତ ସହ ଓଡ଼ିଶାର ଯୋଡିବା ଗୁରୁତ୍ୱପୂର୍ଣ୍ଣ । ପଶ୍ଚିମବଙ୍ଗ ପରେ ଗୁଜୁରାଟ ସୁରଟରେ ଅଧିକ ଓଡ଼ିଆ ଲୋକ ରୁହନ୍ତି । ବିଜେପି ସରକାର ଗରିବଙ୍କ ସେବା ଏବଂ ସଶକ୍ତ କରିବା ସରକାର । ଆମ ସରକାର 4 କୋଟିରୁ ଅଧିକ ପରିବାରକୁ ପକ୍କା ଘର ଦିଆଯାଇଛି। ପକ୍କା ଘର ଦେବାକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ତାଙ୍କ ଟିମ ପ୍ରଶଂସନୀୟ କାମ କରୁଛନ୍ତି । ”

କଂଗ୍ରେସକୁ କଡ଼ା ସମାଲୋଚନା କରି ମୋଦି କହିଛନ୍ତି,”ପୂର୍ବରୁ କଣ ସ୍ଥିତି ଥିଲା, କଂଗ୍ରେସ ଲୁଟିବାର ସୁଯୋଗକୁ ଛାଡେ ନାହିଁ । ଆମେ ଦେଶକୁ କଂଗ୍ରେସ ଲୁଟ ତନ୍ତ୍ରରୁ ବାହାରକୁ ଆଣିଲୁ । ବିଜେପି ସରକାରରେ ଡବଲ ବଛାତ ଡବଲ କମାଇ ସମୟ । କଂଗ୍ରେସ ସରକାର ସମୟରେ ଦୁଇ ଲକ୍ଷ ଆୟ କଲେ ବି ଇନକମ ଟାସ୍କ ଦେବାକୁ ପଡୁଥିଲା । କିନ୍ତୁ ଆମ ସରକାରରେ 12 ଲକ୍ଷ ପର୍ଯ୍ୟନ୍ତ ଇନକମ ଟାସ୍କ ଦେବାକୁ ପଡୁନାହିଁ । କଂଗ୍ରେସ ସମୟରେ ଲକ୍ଷେ ଟଙ୍କା ଖର୍ଚ୍ଚ କଲେ 20ରୁ 25 ହଜାର ଟାସ୍କ ଦେବାକୁ ପଡୁଥିଲା ।ଏବେ ଲକ୍ଷ ଖର୍ଚ୍ଚ କଲେ 5ରୁ 6ହଜାର ଦେବାକୁ ପଡିବ । ଓଡ଼ିଶା ଚାଷୀଙ୍କ ରାଜ୍ୟ । କଂଗ୍ରେସ ସମୟରେ ଟ୍ରାକ୍ଟର କିଣିଲେ 70 ହଜାର ଟାସ୍କ ଦେବାକୁ ପଡୁଥିଲା । ଏବ ନୂଆ ଜିଏସଟି ଫଳରେ 40 ହଜାର ବଞ୍ଚାଇ ପାରୁଛି ଚାଷୀ । ଧାନ ରୁଆ ମେସିନରେ 15000,ପାୱାର ତିଳର ପାଇଁ 10000 ବଞ୍ଚାଇ ପାରିବ । ଓଡ଼ିଶାରେ ଆଦିବାସୀଙ୍କ ପାଇଁ କେନ୍ଦୁ ପାତ୍ର ତୋଳାଳିଙ୍କ ପାଇଁ ଜିଏସଟି ସଂସ୍କାର ଫଳରେ ଆୟ ବଢିବ । କଂଗ୍ରେସ ଏବେ ବି ତାର ଅଭ୍ୟାସ ଛାଡି ନାହିଁ । ଏବେ ବି ଲୁଟିବାରେ ଲାଗିଛି । ମୋ ପାଖେ ପ୍ରମାଣ ଅଛି । ପୁରା ଦେଶ ଲାଭ ପାଉଛି । ବୟାନ ବାଜି କରୁଥିବା ଲୋକଙ୍କ କାମ ଦେଖନ୍ତୁ।”

ଦୂରସଞ୍ଚାର ସଂଯୋଗ କ୍ଷେତ୍ରରେ, ପ୍ରଧାନମନ୍ତ୍ରୀ ସ୍ୱଦେଶୀ ପ୍ରଯୁକ୍ତିବିଦ୍ୟା ସହିତ ପ୍ରାୟ 37,000 କୋଟି ଟଙ୍କା ବ୍ୟୟରେ ନିର୍ମିତ 97,500ରୁ ଅଧିକ ମୋବାଇଲ୍ 4ଜି ଟାୱାରକୁ ଲୋକାର୍ପଣ କରିଛନ୍ତି । ଏଥିରେ ବିଏସଏନଏଲ ଦ୍ୱାରା 92,600ରୁ ଅଧିକ 4ଜି ଟେକ୍ନୋଲୋଜି ସାଇଟ୍ ଅନ୍ତର୍ଭୁକ୍ତ । ଡିଜିଟାଲ୍ ଭାରତ ନିଧି ଅଧିନରେ 18,900ରୁ ଅଧିକ 4ଜି ସାଇଟ୍ ପାଇଁ ପାଣ୍ଠି ଯୋଗାଇ ଦିଆଯାଇଛି, ଯାହା ଦୂରଦୂରାନ୍ତ, ସୀମାନ୍ତ ଏବଂ ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ଅଞ୍ଚଳର ପ୍ରାୟ 26,700 ଅପହଞ୍ଚ ଗ୍ରାମକୁ ସଂଯୋଗ କରିବ । ଏଥିସହ 20 ଲକ୍ଷରୁ ଅଧିକ ନୂତନ ଗ୍ରାହକଙ୍କୁ ସେବା ଯୋଗାଇବ । ଏହି ଟାୱାରଗୁଡ଼ିକ ସୌରଶକ୍ତି ଦ୍ୱାରା ପରିଚାଳିତ, ଫଳରେ ଏଗୁଡ଼ିକ ଭାରତର ସର୍ବବୃହତ ସବୁଜ ଦୂରସଞ୍ଚାର ସାଇଟ୍ କ୍ଲଷ୍ଟର କରିବ ଏବଂ ସ୍ଥାୟୀ ଭିତ୍ତିଭୂମିକୁ ସୁଦୃଢ କରିବ।

ପ୍ରଧାନମନ୍ତ୍ରୀ ଏହି ଅବସରରେ ଗୁରୁତ୍ୱପୂର୍ଣ୍ଣ ରେଳ ପ୍ରକଳ୍ପଗୁଡ଼ିକର ଶିଳାନ୍ୟାସ ଏବଂ ଦେଶକୁ ଉତ୍ସର୍ଗ କରିଛନ୍ତି । ଯାହା ଯୋଗାଯୋଗ ଏବଂ ଆଞ୍ଚଳିକ ବିକାଶକୁ ତ୍ୱରାନ୍ୱିତ କରିବ । ଏଥିରେ ସମ୍ବଲପୁର-ସରଲା ରେଳ ଫ୍ଲାଏ ଓଭର ପାଇଁ ଶିଳାନ୍ୟାସ, କୋରାପୁଟ-ବୈଗୁଡ଼ା ଲାଇନର ଦୋହରୀକରଣ ଏବଂ ମାନାବାର-କୋରାପୁଟ-ଗୋରାପୁର ଲାଇନକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକର୍ପଣ ସାମିଲ ରହିଛି । ଏହି ପ୍ରକଳ୍ପଗୁଡ଼ିକ ଓଡ଼ିଶା ଏବଂ ପଡ଼ୋଶୀ ରାଜ୍ୟଗୁଡ଼ିକରେ ମାଲ ପରିବହନ ଏବଂ ଯାତ୍ରୀ ପରିବହନରେ ଉଲ୍ଲେଖନୀୟ ଉନ୍ନତି ଆଣିବା ସହ ସ୍ଥାନୀୟ ଶିଳ୍ପ ଏବଂ ବାଣିଜ୍ୟକୁ ସୁଦୃଢ଼ ​​କରିବ । ଏହାସହ ପ୍ରଧାନମନ୍ତ୍ରୀ ବ୍ରହ୍ମପୁର-ଉଧନା (ସୁରଟ) ମଧ୍ୟରେ ଅମୃତ ଭାରତ ଏକ୍ସପ୍ରେସକୁ ମଧ୍ୟ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି, ଯାହା ଉଭୟ ରାଜ୍ୟ ମଧ୍ୟରେ ସୁଲଭ ଏବଂ ଆରାମଦାୟକ ଯୋଗାଯୋଗ ପ୍ରଦାନ କରିବ, ପର୍ଯ୍ୟଟନ ବିକାଶରେ ସହାୟ ହେବ, ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ଏବଂ ପ୍ରମୁଖ ଆର୍ଥିକ ଜିଲ୍ଲାଗୁଡ଼ିକୁ ସଂଯୋଗ କରିବ ।

ସମ୍ବଲପୁର-ସରଲାରେ ରେଳ ଫ୍ଲାଏଓଭର ଶିଳାନ୍ୟାସ
କୋରାପୁଟ-ବୈଗୁଡ଼ା ଲାଇନର ଦୋହରୀକରଣ
ମାନାବାର-କୋରାପୁଟ-ଗୋରାପୁର ଲାଇନ ଲୋକର୍ପଣ
ବ୍ରହ୍ମପୁର-ଉଧନା, ଅମୃତ ଭାରତ ଏକ୍ସପ୍ରେସ ଶୁଭାରମ୍ଭ
ସମ୍ପ୍ରସାରିତ ହେବ ଆଠଟି ଆଇଆଇଟି:

ପ୍ରଧାନମନ୍ତ୍ରୀ ପ୍ରାୟ 11,000କୋଟି ଟଙ୍କା ନିବେଶରେ ଆଠଟି ଆଇଆଇଟି ଯଥା;- ତିରୁପତି, ପଲକଡ଼, ଭିଲାଇ, ଜମ୍ମୁ, ଧାରୱାଡ, ଯୋଧପୁର, ପାଟନା ଏବଂ ଇନ୍ଦୋରର ସମ୍ପ୍ରସାରଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ସମ୍ପ୍ରସାରଣ ଆଗାମୀ ଚାରି ବର୍ଷ ମଧ୍ୟରେ 10,000 ନୂତନ ଛାତ୍ରଛାତ୍ରୀଙ୍କ ପାଇଁ କ୍ଷମତା ସୃଷ୍ଟି କରିବ ଏବଂ ଆଠଟି ଅତ୍ୟାଧୁନିକ ଗବେଷଣା ପାର୍କ ପ୍ରତିଷ୍ଠା କରିବ, ଯାହା ଦ୍ୱାରା ଭାରତର ନବସୃଜନ ଇକୋସିଷ୍ଟମ ସୁଦୃଢ଼ ​​ହେବ ଏବଂ ଗବେଷଣା ଓ ବିକାଶକୁ ବଡ଼ ପ୍ରୋତ୍ସାହନ ମିଳିବ ।

ପ୍ରଧାନମନ୍ତ୍ରୀ ଦେଶବ୍ୟାପୀ 275ଟି ରାଜ୍ୟ ଇଞ୍ଜିନିୟରିଂ ଏବଂ ପଲିଟେକ୍ନିକ୍ ପ୍ରତିଷ୍ଠାନରେ ଗୁଣବତ୍ତା, ସମାନତା, ଗବେଷଣା ଏବଂ ନବସୃଜନକୁ ଉନ୍ନତ କରିବା ପାଇଁ ଡିଜାଇନ୍ କରାଯାଇଥିବା ମେରିଟ ଯୋଜନାର ଶୁଭାରମ୍ଭ କରିଛନ୍ତି । ପ୍ରଧାନମନ୍ତ୍ରୀ ଓଡ଼ିଶା ଦକ୍ଷତା ବିକାଶ ପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟାୟ ମଧ୍ୟ ଆରମ୍ଭ କରିଛନ୍ତି, ଯାହା ସମ୍ବଲପୁର ଏବଂ ବ୍ରହ୍ମପୁରରେ ବିଶ୍ୱ ଦକ୍ଷତା କେନ୍ଦ୍ର ପ୍ରତିଷ୍ଠା କରାଯିବ । ଏଥିରେ କୃଷି-ପ୍ରଯୁକ୍ତି, ଅକ୍ଷୟ ଶକ୍ତି, ସାମୁଦ୍ରିକ କ୍ଷେତ୍ର ଏବଂ ଆତିଥେୟ ଭଳି ପ୍ରଗତିଶୀଳ କ୍ଷେତ୍ରଗୁଡ଼ିକୁ ସାମିଲ ହେବ ।

ଏହା ବ୍ୟତୀତ,ପାଞ୍ଚଟି ଆଇଟିଆଇକୁ ଉତ୍କର୍ଷ ଆଇଟିଆଇରେ ଉନ୍ନୀତ କରାଯିବ, 25ଟି ଆଇଟିଆଇକୁ ଉତ୍କର୍ଷ କେନ୍ଦ୍ର ଭାବରେ ବିକଶିତ କରାଯିବ ଏବଂ ବୈଷୟିକ ତାଲିମ ପ୍ରଦାନ ଲାଗି ଏକ ନୂତନ ପ୍ରିସିସନ୍ ଇଞ୍ଜିନିୟରିଂ ଭବନ ପ୍ରତିଷ୍ଠା କରାଯିବ । ରାଜ୍ୟରେ ଡିଜିଟାଲ ଶିକ୍ଷାକୁ ବୃଦ୍ଧି କରିବା ପାଇଁ, ପ୍ରଧାନମନ୍ତ୍ରୀ 130ଟି ଉଚ୍ଚଶିକ୍ଷା ପ୍ରତିଷ୍ଠାନରେ ୱାଇଫାଇ ସୁବିଧାର ଲୋକାର୍ପଣ କରିଛନ୍ତି । ଯାହା ଅଢ଼େଇ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଉପକୃତ କରିବା ପାଇଁ ମାଗଣା ଦୈନିକ ଡାଟା ପ୍ରଦାନ କରିବ । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମୟରେ ଓଡ଼ିଶାରେ ସ୍ୱାସ୍ଥ୍ୟସେବା ଭିତ୍ତିଭୂମିକୁ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରୋତ୍ସାହନ ମିଳିପାରିଛି ।

ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ଏବଂ ସମ୍ବଲପୁରର ଭିମସାରକୁ ବିଶ୍ୱସ୍ତରୀୟ ସୁପର-ସ୍ପେଶାଲିଟି ହସ୍ପିଟାଲରେ ଉନ୍ନତି କରିବା ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଉନ୍ନତ ସୁବିଧାଗୁଡ଼ିକରେ ବର୍ଦ୍ଧିତ ଶଯ୍ୟା କ୍ଷମତା, ଟ୍ରମା କେୟାର ୟୁନିଟ୍, ଡେଣ୍ଟାଲ୍ କଲେଜ,ମାତୃ ଏବଂ ଶିଶୁ ଯତ୍ନ ସେବା ଏବଂ ବିସ୍ତାରିତ ଶୈକ୍ଷିକ ଭିତ୍ତିଭୂମି ଅନ୍ତର୍ଭୁକ୍ତ ହେବ, ଯାହା ଓଡ଼ିଶାର ଲୋକଙ୍କ ପାଇଁ ବ୍ୟାପକ ସ୍ୱାସ୍ଥ୍ୟ ସେବା ସୁନିଶ୍ଚିତ କରିବ ।

ପ୍ରଧାନମନ୍ତ୍ରୀ ମୋଦି ଅନ୍ତ୍ୟୋଦୟ ଗୃହ ଯୋଜନା ଅଧିନରେ 50,000 ହିତାଧିକାରୀଙ୍କୁ ମଞ୍ଜୁରୀ ଆଦେଶ ବଣ୍ଟନ କରିଛନ୍ତି । ଏହି ଯୋଜନା ପକ୍କା ଘର ଏବଂ ଦୁର୍ବଳ ଗ୍ରାମୀଣ ପରିବାର, ଯେପରିକି ଭିନ୍ନକ୍ଷମ ବ୍ୟକ୍ତି, ବିଧବା, ଦୂରାରୋଗ୍ୟ ବ୍ୟାଧିରେ ପୀଡିତ ବ୍ୟକ୍ତି ଏବଂ ପ୍ରାକୃତିକ ବିପର୍ଯ୍ୟୟର ଶିକାର ବ୍ୟକ୍ତିଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଥାଏ । ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଭିଭାଷଣ ଶୁଣିବା ପାଇଁ ପ୍ରବଳ ଜନସାଧାରଣ ଭିଡ଼ ଦେଖାଯାଉଛି ।

 

Post Views26 Total Count

Apply Now


This will close in 0 seconds

error: Content is protected !!