ସମଲେଶ୍ବରୀ ପ୍ରକଳ୍ପ-୨ରେ ଖର୍ଚ୍ଚ କରିବ ଜେଏସ୍‌ଡବ୍ଲ୍ୟୁ

ସମଲେଶ୍ବରୀ ପ୍ରକଳ୍ପ-୨ରେ ଖର୍ଚ୍ଚ କରିବ ଜେଏସ୍‌ଡବ୍ଲ୍ୟୁ। ବିଜୟା ଦଶମୀ ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହିତ ଅଧିଷ୍ଠାତ୍ରୀ ଦେବୀ ମା’ସମଲେଶ୍ବରୀଙ୍କ ଦର୍ଶନ କରିବା ପରେ ଏହି ସୂଚନା ଦେଇଛନ୍ତି ଜେଏସ୍‌ଡବ୍ଲ୍ୟୁ ଷ୍ଟିଲ୍‌ର ପରିଚାଳନା ନିର୍ଦ୍ଦେଶକ ସଜ୍ଜନ ଜିନ୍ଦଲ। ଏହି ଅବସରରେ ସଜ୍ଜନ ଜିନ୍ଦଲଙ୍କ ପତ୍ନୀ ମଧ୍ୟ ଉପସ୍ଥିତ ଥିଲେ। ସେ ଆହୁରି କହିଛନ୍ତି, ଆଗାମୀ ଦିନରେ ସମ୍ବଲପୁରର ମହିଳା, ବୁଣାକାର, ସଂସ୍କୃତି, ସଂଗ୍ରହାଳୟ ଏବଂ ବୁଣାକାରମାନଙ୍କ ପାଇଁ କିଭଳି କାର୍ଯ୍ୟ କରାଯାଇ ପାରିବ ସେ ଦିଗରେ ଆଲୋଚନା କରାଯାଇଛି। ଅନ୍ୟଦିଗରେ ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ବର ବଳିରାମ ବୋନ୍ଦର କହିଛନ୍ତି, ୮୩ କୋଟି ଟଙ୍କା ବିନିମୟରେ ସମଲେଶ୍ବରୀ ପ୍ରକଳ୍ପ-୨ ନିର୍ମାଣ କାର୍ଯ୍ୟ ଚାଲିଛି। ଏହାର ଗୋଟିଏ ଅଂଶରେ ଜେଏସ୍‌ଡବ୍ଲ୍ୟୁ ଖର୍ଚ୍ଚ କରିବ। କିନ୍ତୁ ନିର୍ଦ୍ଦି‌ଷ୍ଟ କେଉଁ ଦିଗରେ ଖର୍ଚ୍ଚ କରିବ ତାହା ସ୍ପଷ୍ଟ ହୋଇ ନାହିଁ।

ସମ୍ବଲପୁର ଜିଲ୍ଲା ରେଙ୍ଗାଲିସ୍ଥିତ ଭୂଷଣ ଷ୍ଟିଲ୍‌କୁ ଅକ୍ତିଆର କରିଛି ଜେଏସ୍‌ଡବ୍ଲୁ। ଏହି ପରିପ୍ରେକ୍ଷୀରେ ସଜ୍ଜନ ଜିନ୍ଦଲ ସମଲେଶ୍ବରୀ ମନ୍ଦିର ଗମ୍ଭୀରା ଭିତରକୁ ଯାଇ ଦର୍ଶନ ଏବଂ ସମଲେଶ୍ବରୀ ପ୍ରକଳ୍ପ-୨ ଖର୍ଚ୍ଚ ବାବଦରେ ଘୋଷଣା କରିବା ଖୁବ୍‌ ଗୁରୁତ୍ବପୂର୍ଣ୍ଣ ମନେ କରାଯାଉଛି। ଜିଲ୍ଲାରେ ଆହୁରି ବିଭିନ୍ନ ପ୍ରକଳ୍ପରେ ଜିନ୍ଦଲ ଗ୍ରୁପ୍‌ର ଭାଗିଦାରୀ ବଢ଼ିବା ନେଇ ଆକଳନ କରାଯାଉଛି। ସଜ୍ଜନ ଜିନ୍ଦଲଙ୍କ ଗସ୍ତ ଅବସରରେ କେନ୍ଦ୍ରମନ୍ତ୍ରୀ, ଜିଲ୍ଲାପାଳଙ୍କ ସହିତ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ, ପୂର୍ବତନ ବିଧାୟକ ନାଉରୀ ନାଏକ, ସମଲେଶ୍ବରୀ ଟ୍ରଷ୍ଟବୋର୍ଡ ସଭାପତି ସଞ୍ଜୟ ବାବୁଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ। ଏହି ଅବସରରେ ସମ୍ବଲପୁରରେ ମହିଳା ବିପିଓ କେନ୍ଦ୍ର ଖୋଲିବା ନେଇ ମଧ୍ୟ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପ୍ରସ୍ତାବ ଦେଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ୨୦୨୪ ମସିହାରେ ୨୦୦ କୋଟି ଟଙ୍କା ବିନିମୟରେ ନିର୍ମାଣ ହୋଇଥିବା ସମଲେଶ୍ବରୀ ପ୍ରକଳ୍ପ-୧କୁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିଥିଲେ। ପ୍ରକଳ୍ପ-୨ ଅନ୍ତର୍ଗତ କଲ୍ୟାଣ ମଣ୍ଡପ, ଭକ୍ତ ନିବାସ ନିର୍ମାଣ ଏବଂ ଜଳାଶୟ ଉନ୍ନତୀକରଣ କାର୍ଯ୍ୟ କରାଯାଉଛି। ଫିସରି ବନ୍ଧର ପରିପାର୍ଶ୍ବରେ ଥିବା ୨୪ଟି ବନ୍ଧକୁ ମିଶାଇ ବଡ଼ ବନ୍ଧ କରାଯାଉଥିବାବେଳେ ନିର୍ମାଣ କାର୍ଯ୍ୟ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି।

Post Views4 Total Count

Apply Now


This will close in 0 seconds

error: Content is protected !!