ବାଲିଯାତ୍ରା ରେ ଉଡ଼ିବନି ଡ୍ରୋନ୍‌

ବାଲିଯାତ୍ରାକୁ ନିମନ୍ତ୍ରିତ ଭିଭିଆଇପି ଅତିଥିଙ୍କ ସମେତ ଯାତ୍ରା ପଡ଼ିଆରେ ସମବେତ ଲକ୍ଷାଧିକ ସାଧାରଣ ଜନତାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହାର ୫ କିଲୋମିଟର ପରିଧି ଅଞ୍ଚଳକୁ ‘ଡ୍ରୋନ୍‌ମୁକ୍ତ ଅଞ୍ଚଳ’ ଘୋଷଣା କରାଯାଇଛି । ବାଲିଯାତ୍ରା ଉପର ଏବଂ ତଳ ପଡ଼ିଆ ଉପରେ କେବଳ ଡ୍ରୋନ୍‌ ନୁହେଁ, ପାରା ଗ୍ଲାଇଡର୍‌, ପାରା ମୋଟର୍ସ, ପାୱାର୍‌ ହ୍ୟାଙ୍ଗ୍‌ ଗ୍ଲାଇଡର୍‌, ମାଇକ୍ରୋ ଲାଇଟ୍‌ ଏୟାରକ୍ରାଫ୍‌ଟ, ହଟ୍‌ ଏୟାର ବେଲୁନ୍‌, ୟୁଏଭି ଆଦି ଉଡ଼ାଣ ଉପରେ ମଧ୍ୟ କଟକଣା ଜାରି କରାଯାଇଛି । କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ଶିନ୍ଦେ ଆଜି ଏହି ମର୍ମରେ ନିର୍ଦ୍ଦେଶନାମା ଜାରି କରିଛନ୍ତି ।

ଆସନ୍ତା ନଭେମ୍ବର ୫ ତାରିଖରୁ ୧୨ ତାରିଖ ପର୍ଯ୍ୟନ୍ତ ଐତିହାସିକ ବାଲିଯାତ୍ରା କଟକ ୨୦୨୫ ମହୋତ୍ସବ ଆୟୋଜନ କରାଯାଉଛି । ଏଥିରେ ପ୍ରତିବର୍ଷ ୬୦ରୁ ୭୦ ଲକ୍ଷ ଦର୍ଶକଙ୍କ ସମାଗମ ହୋଇଥାଏ । ଚଳିତ ବର୍ଷ ଐତିହାସିକ ବାଲିଯାତ୍ରା ମହୋତ୍ସବ ଉଭୟ ତଳ ଏବଂ ଉପର ବାଲିଯାତ୍ରା ପଡ଼ିଆରେ ୬୦ ଏକରରୁ ଅଧିକ ସ୍ଥାନରେ ବିଶାଳ ଆକାରରେ ଆୟୋଜିତ ହେବ । ଏହି କାର୍ଯ୍ୟକ୍ରମ ସମୟରେ ଅନେକ ଭିଭିଆଇପି ଏବଂ ଭିଆଇପି ଅତିଥି ଐତିହାସିକ ମହୋତ୍ସବ ଦେଖିବା ପାଇଁ ଆସିବାର ସମ୍ଭାବନା ରହିଛି । ସେମାନଙ୍କ ସୁରକ୍ଷା ଏବଂ ନିରାପତ୍ତା ଦୃଷ୍ଟିରୁ ଏହି ନିଷ୍ପତ୍ତି ନିଆଯାଇଥିବା ଜିଲ୍ଲାପାଳ କହିଛନ୍ତି । ୨୦୨୫ ନଭେମ୍ବର ୧ ତାରିଖଠାରୁ ୧୫ ତାରିଖ ପର୍ଯ୍ୟନ୍ତ ଏହି ଡ୍ରୋନ୍‌ ମୁକ୍ତ ଅଞ୍ଚଳ ଉପରେ ସବୁ ପ୍ରକାରର ଉଡ଼ାଣକୁ କଡ଼ାକଡ଼ି ନିଷିଦ୍ଧ କରାଯାଇଛି । ଆଦେଶ ଉଲ୍ଲଂଘନ କଲେ ଏନ୍‌ଫୋର୍ସମେଣ୍ଟ୍‌ ଦଳ ଦ୍ୱାରା ଉକ୍ତ ସାମଗ୍ରୀ ଜବତ କରାଯିବ । ଆଇନ ଅନୁଯାୟୀ ଦଣ୍ଡ ବିଧାନ ମଧ୍ୟ କରାଯିବ । ତେଣୁ ନିର୍ଦ୍ଦିଷ୍ଟ ଅଞ୍ଚଳ ଏବଂ ପରିଧି ମଧ୍ୟରେ ଏପରି କୌଣସି ଉପକରଣ ପରିଚାଳନା କରିବା ପୂର୍ବରୁ କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ନ୍ୟାୟିକ ବିଭାଗରୁ ଆବଶ୍ୟକ ଅନୁମତି ନେବାକୁ କୁହାଯାଇଛି ।

Post Views1 Total Count

Apply Now


This will close in 0 seconds

error: Content is protected !!