ଓଡ଼ିଶାରେ ବାତ୍ୟା ‘ମୋନ୍ଥା’ ର ବିଶେଷ ପ୍ରଭାବ ନାହିଁ

ବାତ୍ୟା ‘ମୋନ୍ଥା’ ନେଇ ଅଧିକ ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶକ ମନୋରମା ମହାନ୍ତି। ସେ କହିଛନ୍ତି,୧୫ କିମି ପ୍ରତିଘଣ୍ଟାରେ ଗତି କରୁଛି ବାତ୍ୟା ‘ମୋନ୍ଥା’ । ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶକ ମନୋରମା ମହାନ୍ତି ଆହୁରି କହିଛନ୍ତି, ଭୀଷଣ ବାତ୍ୟାରୁ ବାତ୍ୟାର ରୂପ ନେଇଛି। ଉତ୍ତର ଉତ୍ତର ପଶ୍ଚିମ ଦିଗକୁ ଗତି କରିବା ସହ ଦୁର୍ବଳ ହୋଇ ଆଗକୁ ୩ଘଣ୍ଟା ମଧ୍ୟରେ ଗଭୀର ଅବପାତ ଓ ତାର ୬ ଘଣ୍ଟା ପରେ ଏହା ଅବପାତରେ ପରିଣତ ହେବ । ରାଜ୍ୟରେ ବିଶେଷ ପ୍ରଭାବ ନାହିଁ । ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ଗଜପତି, ଗଞ୍ଜାମ, ରାୟଗଡ଼ା, ସୁନ୍ଦରଗଡ଼, କେଉଁଝର, ମୟୁରଭଞ୍ଜ, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ମାଲକାନଗିରି ଓ କୋରାପୁଟ ଜିଲ୍ଲାରେ ପବନର ଗତି ୪୫-୫୫ କିମି ପ୍ରତି ଘଣ୍ଟା ଓ ଝଟକା ପବନର ବେଗ ୬୫ କିଲୋମିଟର ପ୍ରତି ଘଣ୍ଟା ରହିବ। ନବରଙ୍ଗପୁର, କଳାହାଣ୍ଡି, ଗଜପତି, ରାୟଗଡ଼ା ୩୫-୪୫ କିମି ପ୍ରତି ଘଣ୍ଟା ପବନର ବେଗ ରହିବ ଓ ଝଟକା ପବନ ୫୫ କିମି ପ୍ରତିଘଣ୍ଟା ରହିବ । ପାଣିପାଗ ବିଭାଗର ଆକଳନ ଅନୁସାରେ ସନ୍ଧ୍ୟା ୭ ରୁ ରାତି ୧ ପର୍ଯ୍ୟନ୍ତ ଥିଲା ଲ୍ୟାଣ୍ଡଫଲ ପ୍ରକ୍ରିୟା ।

ମୟୂରଭଞ୍ଜରେ ସର୍ବାଧିକ ବର୍ଷା ୧୦୫ ମିମ ରେକର୍ଡ କରାଯାଇଛି। ଏହାଛଡ଼ା ବାଲେଶ୍ୱରରେ ୯୩.୮ ମିମି, 93.8 ମିମି,  ଚାନ୍ଦବାଲିରେ ୭୪.୪ ଓ ଖୋର୍ଦ୍ଧାରେ ୯୮ ମିମି ବର୍ଷା ରେକର୍ଡ କରାଯାଇଛି । ରାଜ୍ୟର ଅଧିକାଂଶ ଜିଲ୍ଲାରେ ବିଜୁଳି ଘଡଘଡି ସହ ଆଜି ବର୍ଷା ହୋଇପାରେ ଏଥିପାଇଁ ସତର୍କ କରାଯାଇଛି । ଆଜି ମଧ୍ୟ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ବାରଣ । ଟ୍ଵିନ ସିଟିରେ ମଧ୍ୟ ବର୍ଷା ସମ୍ଭାବନା ରହିଛି ।

ଆନ୍ଧ୍ରପ୍ରଦେଶ‌ ଉପକୂଳରେ ମାଡ଼ ହୋଇଛି ଭୀଷଣ ବାତ୍ୟା ‘ମୋନ୍ଥା’। ମଙ୍ଗଳବାର ରାତି ପ୍ରାୟ ୭ଟାରେ ମଛଲିପଟନମ୍‌-କଳିଙ୍ଗପଟନମ୍‌ ମଧ୍ୟରେ କାକିନାଡ଼ା ଦକ୍ଷିଣ ଦିଗକୁ ନର୍ସାପୁରମ୍‌ଠାରେ ସ୍ଥଳଭାଗ ଛୁଇଁଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ମୁତାବକ ପାଖାପାଖି ୫ ଘଣ୍ଟା ଧରି ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ଜାରି ରହିଥିଲା। ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୯୦ରୁ ୧୦୦ କିଲୋମିଟର ରହିଥିବାବେଳେ ୧୧୦ କିମି ପର୍ଯ୍ୟନ୍ତ ପବନ ଝଟକା ଅନୁଭୂତ ହୋଇଥିଲା। ଏହାର ପ୍ରଭାବରେ ଉପକୂଳବର୍ତ୍ତୀ ମଛଲିପଟନମ୍‌, କାକିନାଡ଼ା, ରାଜମହେନ୍ଦ୍ରୀ, ବାପାଟିଆ, କାଭାଲି, ଉଲାଭାପାଡୁ, ନେଲୋର ପ୍ରଭୃତି ଅଞ୍ଚଳରେ ପ୍ରବଳ ବର୍ଷାପବନ ଲାଗିରହିଛି। ଆନ୍ଧ୍ର ଉପକୂଳ ଅଶାନ୍ତ ହେବା ସହ ସମୁଦ୍ରରେ ଉଚ୍ଚ ଢେଉ କୂଳ ଲଂଘିଛି। କେଉଁଠି ୨୦୦ ମିଟର ତ ଆଉ କେଉଁଠି ୫ ଶହ ମିଟର ପର୍ଯ୍ୟନ୍ତ ସ୍ଥଳଭାଗକୁ ସମୁଦ୍ର ମାଡ଼ି ଆସିଥିଲା। ତେବେ ବାତ୍ୟା ସଂକ୍ରାନ୍ତରେ ପାଣିପାଗ ବିଭାଗ ଓ ବିଶେଷଜ୍ଞମାନେ ପୂର୍ବରୁ ଯାହା ସବୁ ଆକଳନ କରିଥିଲେ ସେହି ଅନୁଯାୟୀ ହୋଇନାହିଁ।

Post Views22 Total Count

Apply Now


This will close in 0 seconds

error: Content is protected !!