ସହଜ ହେଲା ପୁରୁଣା ଆପାର୍ଟମେଣ୍ଟ କିଣାବିକା

ଓଡ଼ିଶା ସରକାର ପୁରୁଣା ଆପାର୍ଟମେଣ୍ଟ ବିକ୍ରି ନିୟମକୁ ସହଜ କଲେ । ‘ଓଡ଼ିଶା ଆପାର୍ଟମେଣ୍ଟ ଆକ୍ଟ, ୨୦୨୩’ ଅଧୀନରେ ଥିବା କଠୋର ନିୟମକୁ କୋହଳ କରିଛନ୍ତି । ଗୃହ ଓ ନଗର ଉନ୍ନୟନ ବିଭାଗ ଜାରି କରିଛି ବିଜ୍ଞପ୍ତି । କଠୋର ନିୟମ ଯୋଗୁଁ ପୁରୁଣା ଫ୍ଲାଟ ବିକ୍ରି ଅଟକି ଯାଇଥିଲା । RERA ନିୟମ ଲାଗୁ ହେବା ପୂର୍ବରୁ ଅର୍ଥାତ ୫ ଅକ୍ଟୋବର ୨୦୧୬ ପୂର୍ବରୁ ବିକ୍ରି ହୋଇଥିବା ଆପାର୍ଟମେଣ୍ଟ ପାଇଁ ଏବେ ଆଉ ନୂଆ କାଗଜପତ୍ର ଦରକାର ନାହିଁ ।

ଫ୍ଲାଟ ବିକ୍ରି ପାଇଁ ଅକୁପାନ୍ସି ସାର୍ଟିଫିକେଟ୍ ଦେବାକୁ ପଡୁଥିଲା । RERA ରେଜିଷ୍ଟ୍ରେସନ୍ ଏବଂ ଆସୋସିଏସନ୍ ରେଜିଷ୍ଟ୍ରେସନ୍ କାଗଜପତ୍ର ମାଗାଯାଉଥିଲା । ୨୦୧୬ ପୂର୍ବରୁ ଆପାର୍ଟମେଣ୍ଟ ପାଖରେ ଏସବୁ କାଗଜପତ୍ର ନଥିଲା । ତେଣୁ ସବ୍-ରେଜିଷ୍ଟ୍ରାର୍ ଅଫିସରେ ଜମି/ଘର ରେଜିଷ୍ଟ୍ରି ହୋଇପାରୁନଥିଲା । ଏଥିପାଇଁ ଭୁବନେଶ୍ୱର ଓ କଟକ ଭଳି ସହରରେ ହଜାର ହଜାର ଫ୍ଲାଟ ବିକ୍ରି ଅଟକି ରହିଥିଲା । ଏବେ ସେଥିରେ ସୁଧାର ଅଣାଯାଇଛି ।

ଯଦି ଆପଣଙ୍କର ମୂଳ ବିକ୍ରି ଦଲିଲ୍ ୫ ଅକ୍ଟୋବର ୨୦୧୬ ପୂର୍ବର ହୋଇଥାଏ, ତେବେ ଆପଣଙ୍କୁ ନୂଆ ନିୟମ ମାନିବାକୁ ପଡ଼ିବ ନାହିଁ । ଫ୍ଲାଟ ବିକ୍ରି କିମ୍ବା ହସ୍ତାନ୍ତର କରିବା ପାଇଁ କେବଳ ପୁରୁଣା ରେଜିଷ୍ଟ୍ରି ଦଲିଲ୍ ଯଥେଷ୍ଟ । ରେଜିଷ୍ଟ୍ରାର୍ ଏହାକୁ ଗ୍ରହଣ କରିବାକୁ ବାଧ୍ୟ । କମନ ଏରିଆ ଯେପରିକି ପାର୍କିଂ, ସିଡ଼ି, ଛାତ, ଲିଫ୍ଟ ଇତ୍ୟାଦି ଉପରେ କାହାର ଅଧିକାର ରହିବ, ସେ ଦ୍ୱନ୍ଦ୍ୱ ଦୂର କରିବାକୁ ନୂଆ ଦଲିଲରେ ଦୁଇଟି ନିର୍ଦ୍ଦିଷ୍ଟ ବାକ୍ୟ ଲେଖିବା ବାଧ୍ୟତାମୂଳକ କରାଯାଇଛି । ଏହାଦ୍ୱାରା କିଣୁଥିବା ବ୍ୟକ୍ତିଙ୍କର ସାଧାରଣ ସ୍ଥାନ ଉପରେ ସମ୍ପୂର୍ଣ୍ଣ ଅଧିକାର ସୁରକ୍ଷିତ ରହିବ ।

Post Views13 Total Count

Apply Now


This will close in 0 seconds

error: Content is protected !!