ନୂଆବର୍ଷର ଆରମ୍ଭ ସହ ଜାନୁଆରୀ ୧ରୁ ଆମ ଦେଶରେ ବଦଳିଯିବ ଅନେକ ଆର୍ଥିକ ନିୟମ । ଯାହା ବିଷୟରେ ନ ଜାଣିବେ ଆପଣ ବଡ ହଇରାଣରେ ପଡିବେ । ଅଚଳ ହୋଇଯିବ ପାନ୍ କାର୍ଡ । ବଢିଯିବ କାର୍ ଦାମ୍ । ଏଲପିଜି ଠାରୁ ବ୍ୟାଙ୍କ ନିୟମ, ବେତନ, ପେନସନ୍ ଯାଏଁ ଅନେକ ବଡ ବଡ ପରିବର୍ତ୍ତନ ହେବ ।
ନୂଆବର୍ଷରୁ କାମ କରିବନି ପ୍ୟାନ୍ କାର୍ଡ: ଯଦି ଏ ଯାଏଁ ଆପଣ ପ୍ୟାନ୍-ଆଧାର ଲିଙ୍କ୍ କରିନାହାନ୍ତି, ତାହେଲେ ସମସ୍ୟାରେ ପଡିବେ । ଆଧାର ସହ ପ୍ୟାନ୍ କାର୍ଡ ଲିଙ୍କ୍ କରିବାର ଡିସେମ୍ବର ୩୧ ବା ଆଜି ହେଉଛି ଶେଷ ଦିନ । କାଲିଠୁ ବା ଜାନୁଆରୀ ୧ରୁ ଆପଣଙ୍କ ପ୍ୟାନ୍ କାର୍ଡ ଆଉ କାମ ନକରିପାରେ । ଡିଆକ୍ଟିଭ ହୋଇଯାଇପାରେ । ଯାହାଦ୍ୱାରା ଆପଣ ଆଇଟିଆର ରିଫଣ୍ଡ, ରସିଦ୍ ଓ ବିଭିନ୍ନ ବ୍ୟାଙ୍କିଙ୍ଗ୍ ସୁବିଧା ପାଇପାରିବେ ନାହିଁ । ଏହାସହ ପାନ୍ କାର୍ଡ ନିଷ୍କ୍ରିୟ ହେବା ଯୋଗୁଁ ଅନେକ ସରକାରୀ ସୁବିଧାର ଲାଭ ପାଇବାରୁ ବି ବଞ୍ଚିତ ହୋଇପାରନ୍ତି ।
ମହଙ୍ଗା ହୋଇଯିବ କାର୍ :୨୦୨୬ରେ ନୂଆ କାର୍ କିଣିବାକୁ ପ୍ଲାନ୍ କରିଛନ୍ତି କି ? ତାହେଲେ ଆପଣଙ୍କୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡିବ । କାରଣ ୨୦୨୬ ଜାନୁଆରୀରୁ ଅଟୋ ମୋବାଇଲ କମ୍ପାନୀଗୁଡିକ ନିଜର କାର୍ ଦାମ୍ ବଢାଇବାକୁ ଚିନ୍ତା କରୁଛନ୍ତି । ହୋଣ୍ଡା ଗାଡିର ଦାମ୍ ୧ରୁ ୨ ପ୍ରତିଶତ ବଢିପାରେ । ମର୍ସିଡିଜ୍-ବେଞ୍ଜ ଭଳି ବ୍ରାଣ୍ଡେଡ କାର ମୂଲ୍ୟ ୨ରୁ ୩ ପ୍ରତିଶତ ବଢିପାରେ । ନିସାନ୍, ବିଏମଡବ୍ଲୁ କାର୍ ୩ ପ୍ରତିଶତ ଯାଏଁ ମହଙ୍ଗା ହୋଇପାରେ ।
ଅଷ୍ଟମ ବେତନ କମିସନ ଲାଗୁ: ନୂଆବର୍ଷର ପ୍ରଥମ ଦିନକୁ କେନ୍ଦ୍ରୀୟ କର୍ମଚାରୀ ଓ ପେନସନଭୋଗୀମାନେ ଅତି ଉତ୍ସାହର ସହ ଅପେକ୍ଷା କରିଛନ୍ତି । କାରଣ ସରକାର ୨୦୨୬ ଜାନୁଆରୀ ୧ରୁ ଅଷ୍ଟମ ବେତନ କମିସନ ଲାଗୁ କରିପାରନ୍ତି । ଯଦିଓ ଏହାକୁ ଲାଗୁ କରିବାକୁ ଅଧିକ ସମୟ ଲାଗିପାରେ । କିନ୍ତୁ ଅଷ୍ଟମ ବେତନ କମିଶନ ଲାଗୁ ହେବା ପରେ କର୍ମଚାରୀଙ୍କ ଦରମା ଓ ପେନସନ ୨୦୨୬ ଜାନୁଆରୀ ୧ରୁ ହିସାବ କରି ଦିଆଯିବ । କହିରଖୁଛୁ କି, ସପ୍ତମ ବେତନ କମିସନର ଅବଧି ଡିସେମ୍ବର ୩୧ରେ ଶେଷ ହେଉଛି ।

