ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ପଦକ୍ଷେପ ନେଇ ଆମେରିକାର ଆମଦାନୀ ଉପରେ ୧୦%ଶୁଳ୍କ ଲାଗୁ କରିଛନ୍ତି । ଆମେରିକାର ସୁପ୍ରିମକୋର୍ଟଙ୍କଠାରୁ ଝଟକା ପାଇବା ପରେ ଟ୍ରମ୍ପ ଏକ ନୂତନ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶରେ ସ୍ବାକ୍ଷର କରିଛନ୍ତି ।
ସେ କହିଛନ୍ତି ଯେ, ଶୁଳ୍କ ତୁରନ୍ତ କାର୍ଯ୍ୟକାରୀ ହେବ ଏବଂ ସମସ୍ତ ଦେଶରୁ ଆମେରିକାକୁ ଆସୁଥିବା ସାମଗ୍ରୀ ଉପରେ ୧୦% ଶୁଳ୍କ ଲାଗୁ ହେବ । ଆମେରିକାର ସୁପ୍ରିମକୋର୍ଟଙ୍କ ଶୁଳ୍କ ଉପରେ ନିଷ୍ପତ୍ତି ଶୁଣାଣିର କିଛି ଘଣ୍ଟା ପରେ ଟ୍ରମ୍ପ ଏହି ପଦକ୍ଷେପ ନେଇଛନ୍ତି । ଯାହାକୁ ଟ୍ରମ୍ପ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମରେ ସେୟାର କରିଛନ୍ତି ।
ଟ୍ରମ୍ପ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ, ଟ୍ରୁଥ୍ ସୋସିଆଲରେ ନୂତନ ଶୁଳ୍କ ବିଷୟରେ ସୂଚନା ସେୟାର କରିଛନ୍ତି । ସେ ଲେଖିଛନ୍ତି ଯେ, “ଏହା ମୋ ପାଇଁ ବହୁତ ଗର୍ବର ବିଷୟ ଯେ ମୁଁ ଓଭାଲ୍ ଅଫିସରୁ ସମସ୍ତ ଦେଶ ଉପରେ ବିଶ୍ୱବ୍ୟାପୀ ୧୦% ଶୁଳ୍କ ସ୍ୱାକ୍ଷର କରିଛି । ଯାହା ପ୍ରାୟ ତୁରନ୍ତ କାର୍ଯ୍ୟକାରୀ ହେବ।” ଟ୍ରମ୍ପଙ୍କ ପୋଷ୍ଟର ଏକ ସ୍କ୍ରିନସଟ୍ ସେୟାର କରି ହ୍ୱାଇଟ୍ ହାଉସର X ହ୍ୟାଣ୍ଡେଲ ଲେଖିଛନ୍ତି ଯେ, “ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସମସ୍ତ ଦେଶ ଉପରେ ୧୦% ବିଶ୍ୱବ୍ୟାପୀ ଶୁଳ୍କ ଲାଗୁ କରିଛନ୍ତି ।”

