ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତ ରାୟ ଙ୍କ ଫାର୍ମ ହାଉସ ରେ ଗଡିଲା ବୁଲ୍ଡୋଜର । ଆରମ୍ଭ ହେଲା ବେଆଇନ ଜମି ଜବର ଦଖଲ ଉଚ୍ଛେଦ ପ୍ରକ୍ରିୟା। ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ ଙ୍କ ପନ୍ତୁରି ଫାର୍ମ ହାଉସ ରେ ଆଜି ସରକାରୀ ଭାବେ ବୁଲ୍ଡୋଜର ଚାଲିଛି।
କିଛି ଦିନ ତଳେ ଏହି ଫାର୍ମ ହାଉସ ରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇ ଗଣ୍ଡଗୋଳ ହୋଇଥିଲା। ଏହା ପରେ ପ୍ରଣବ ଏହି ଫାର୍ମ ହାଉସ ତାଙ୍କର ବୋଲି କହିବା ପରେ ଧର୍ମଶାଳା ତହସିଲ ପକ୍ଷରୁ ବେଆଇନ ଦଖଲ କରିଥିବା ନେଇ ପ୍ରଣବ କିମ୍ବା ତାଙ୍କର ପ୍ରତିନିଧି ହାଜର ହୋଇ ପକ୍ଷ ରଖିବାକୁ ନିର୍ଦ୍ଦେଶ ଜାରି ହୋଇଥିଲା। ତେବେ ତହସିଲ ପକ୍ଷରୁ ପ୍ରଣବଙ୍କୁ ଏକ ତିରିଶ ଦିନିଆ ନୋଟିସ ଜାରି କରାଯାଇଥିଲା।
ଏହି ନୋଟିସ ପାଇବା ପରେ ପ୍ରଣବ ଓକିଲ ଜରିଆରେ ହାଇକୋର୍ଟ ରେ ଆବେଦନ କରିବା ସହ ତାଙ୍କର ୧୨ଏକର ୮୮ ଡିସିମିଲ ଜମି ଚିହ୍ନଟ କରିବାକୁ ପ୍ରାର୍ଥନା କରିଥିଲେ। ଏଥି ସହିତ ପ୍ରଣବ ଙ୍କ ଜମି ଚିହ୍ନଟ ନ ସରିବା ପର୍ଯ୍ୟନ୍ତ କୌଣସି ପ୍ରକାର ଉଚ୍ଛେଦ ନ କରିବାକୁ ହାଇକୋର୍ଟ ରେ ପ୍ରାର୍ଥନା କରିଥିଲେ। ଏହା ପରେ ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ତହସିଲ ପକ୍ଷରୁ ମାପଚୁପ ଗତ ୧୭ ତାରିଖରୁ ଆରମ୍ଭ ହେଇଥିବା ବେଳେ ଆଜି ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ଆଜିର ଏହି ଉଚ୍ଛେଦ ପ୍ରକ୍ରିୟା ରେ ଧର୍ମଶାଳା, ବଡ଼ଚଣା ତହସିଲ ସହ ଜେନାପୁର ପୋଲିସ ଓ ଏକ ପ୍ଲାଟୁନ୍ ପୋଲିସ୍ ଫୋର୍ସ ଉପସ୍ଥିତ ଅଛନ୍ତି। ତେବେ ପ୍ରଣବ ଙ୍କ ପାଚେରୀ ଭିତରେ ଏକ ଏକର ରୁ ଅଧିକ ସରକାରୀ ଜମି ଥିବା ଜଣା ପଡ଼ିଛି।

