ରାଜ୍ୟସଭା ନିର୍ବାଚନରେ ବାଜି ମାରିଲେ ବିଜେପିର ମନମୋହନ ସାମଲ, ସୁଜିତ କୁମାର, ବିଜେଡିର ସନ୍ତୁପ୍ତ ମିଶ୍ର ଓ ସ୍ବାଧୀନ ପ୍ରାର୍ଥୀ ଦିଲୀପ ରାୟ । କଂଗ୍ରେସ ଓ ବିଜେଡି ମିଳିତ ପ୍ରାର୍ଥୀ ଦତ୍ତେଶ୍ବର ହୋତା ଦିଲ୍ଲୀପଙ୍କ ଠାରୁ ପରାଜିତ ହୋଇଛନ୍ତି। ପ୍ରଥମ ପସନ୍ଦ ଭୋଟରେ ମନମୋହନ ସାମଲ ୩୫, ସୁଜିତ କୁମାର ୩୫ ଓ ସନ୍ତୁପ୍ତ ମିଶ୍ର ୩୧ ଖଣ୍ଡ ଭୋଟ ମିଳିଥିଲା। ପ୍ରଥମ ପସନ୍ଦ ଭୋଟରେ ବିଜେପିର ମନମୋହନ, ସୁଜିତ ଓ ବିଜେଡିର ସନ୍ତୁପ୍ତ ବିଜୟୀ ହୋଇଥିଲେ।
ତେବେ ୪ର୍ଥ ଆସନ ପାଇଁ ବିଜେଡି ଓ କଂଗ୍ରେସର ମିଳିତ ପ୍ରାର୍ଥୀ ଦତ୍ତେଶ୍ବର ହୋତା ଓ ବିଜେପି ସମର୍ଥିତ ସ୍ବାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟ ମଧ୍ୟରେ ଲଢେଇ ହୋଇଥିଲା। ବିଜେଡି ଓ କଂଗ୍ରେସର ମିଳିତ ପ୍ରାର୍ଥୀ ଦତ୍ତେଶ୍ବର ହୋତାଙ୍କୁ ୨୩ ଖଣ୍ଡ ପ୍ରଥମ ପସନ୍ଦ ଭୋଟ ମିଳିଥିଲା। ସେହିପରି ବିଜେପି ସମର୍ଥିତ ସ୍ବାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କୁ ମଧ୍ୟ ୨୩ ଖଣ୍ଡ ଭୋଟ ମିଳିଥିଲା। କିନ୍ତୁ ବିଧାୟକଙ୍କ ଦ୍ବିତୀୟ ପସନ୍ଦ ଭୋଟରେ ବାଜି ଓଲଟିଥିଲା। ବିଧାୟକଙ୍କ ଦ୍ବିତୀୟ ପସନ୍ଦ ଭୋଟରେ ଦିଲ୍ଲୀପ ବାଜି ମାରିଥିଲେ। ଦତ୍ତେଶ୍ବର ପରାଜୟ ହୋଇଥିଲେ।
ରାଜ୍ୟସଭା ନିର୍ବାଚନରେ ଦିଲ୍ଲୀପ ଓ ଦତ୍ତେଶ୍ବରଙ୍କ ମଧ୍ୟରେ କଡା ଟକ୍ଟର ଦେଖିବାକୁ ମିଳିଥିଲା। ବିଜେଡି ଓ କଂଗ୍ରେସ ଦତ୍ତେଶ୍ବରଙ୍କୁ ଜିତାଇବା ପାଇଁ ରଣନୀତି ପ୍ରସ୍ତୁତ କରିଥିଲେ। ଅନ୍ୟପକ୍ଷରେ ଦିଲ୍ଲୀପଙ୍କୁ ଜିତାଇବା ପାଇଁ ବିଜେପି ମଧ୍ୟ ରଣ କୌଶଳ ତିଆରି କରିଥିଲା। ବିଜେପି ଓ ଦିଲ୍ଲୀପଙ୍କ ରଣ କୌଶଳ ଆଗରେ ବିଜେଡି ଓ କଂଗ୍ରେସର ରଣ ନୀତି ଫିକା ପଡିଯାଇଥିଲା। କଂଗ୍ରେସ ଓ ବିଜେଡି ବିଧାୟକଙ୍କ କ୍ରସ ଭୋଟିଂ ସବୁ ଅଙ୍କ ବିଗାଡି ଦେଇଥିଲା। କଂଗ୍ରେସର ୩ ବିଧାୟକ ଓ ବିଜେଡିର ୮ ବିଧାୟକ କ୍ରସ ଭୋଟିଂ କରିଥିଲେ। କଂଗ୍ରେସର ରମେଶ ଜେନା, ଦାଶରଥୀ ଗମାଙ୍ଗ, ସୋଫିଆ ଫିର୍ଦୋଷ କ୍ରସ ଭୋଟିଂ କରିଥିଲେ। ସେହିପରି ବିଜେଡିର ଚକ୍ରମଣି କହଁର, ସୌଭିକ ବିଶ୍ବାଳ, ନବ କିଶୋର ମଲ୍ଲିକ, ସୁବାସିନୀ ଜେନା, ଦେବୀ ରଞ୍ଜନ ତ୍ରିପାଠୀ, ରମାକାନ୍ତ ଭୋଇ, ନିଲମ୍ବିତ ବିଧାୟକ ସନାତନ ମହାକୁଡ, ଅରବିନ୍ଦ ମହାପାତ୍ର କ୍ରସ ଭୋଟିଂ କରିଥିଲେ। ୧୧ ବିଧାୟକଙ୍କ କ୍ରସ ଭୋଟିଂରେ ଦିଲ୍ଲୀପ ରାଜ୍ୟସଭା ଆସନ ହାତେଇଛନ୍ତି ।

