ବିହାରରେ ସମ୍ରାଟ ଚୌଧାରୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାର ୨୨ ଦିନ ପରେ ଗୁରୁବାର ତାଙ୍କ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ହେବାକୁ ଯାଉଛି। ୩୧ ନୂଆ ମନ୍ତ୍ରୀଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯିବ। ଏଥିରେ ବିଜେପିରୁ ୧୪ ଓ ଜେଡିୟୁର ୧୩ ବିଧାୟକ ରହିବେ। ଏନ୍ଡିଏର ଛୋଟ ସହଯୋଗୀ ଦଳ ଚିରାଗ ପାଶୱାନଙ୍କ ଲୋକ ଜନଶକ୍ତି ପାର୍ଟି (ରାମ ବିଳାସ), ଜିତନ ରାମ ମାଞ୍ଝିଙ୍କ ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚା, ଉପେନ୍ଦ୍ର କୁଶୱାହାଙ୍କ ରାଷ୍ଟ୍ରୀୟ ଲୋକ ମୋର୍ଚ୍ଚା ମଧ୍ୟ ମନ୍ତ୍ରିମଣ୍ଡଳରେ ସାମିଲ ହେବେ। ତେବେ ଏଥର ମନ୍ତ୍ରିମଣ୍ଡଳର ସବୁଠୁ ଚର୍ଚ୍ଚିତ ଚେହେରା ରହିବେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ମୁଖ୍ୟ ନୀତୀଶ କୁମାରଙ୍କ ପୁଅ ନିଶାନ୍ତ କୁମାର। ନିଶାନ୍ତ ମନ୍ତ୍ରିମଣ୍ଡଳରେ ସାମିଲ ହେବାକୁ ସ୍ଥିର କରିଛନ୍ତି ଓ ଆଜି ହେବାକୁ ଥିବା ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣରେ ଶପଥ ଗ୍ରହଣ କରିବେ। ନିଶାନ୍ତ ପୂର୍ବରୁ ରାଜନୀତି କିମ୍ବା ସରକାରରେ କୌଣସି ଭୂମିକା ଗ୍ରହଣ କରିବାକୁ ଆଗ୍ରହୀ ନଥିଲେ।
ଜେଡିୟୁର ଅନ୍ୟମାନଙ୍କ ମଧ୍ୟରେ ରାହୁଲ ରଞ୍ଜନ, ନବୀନ କୁମାର ମଣ୍ଡଳ, ଚେତନ ଆନନ୍ଦ, କୋମଲ ସିଂହ, ଋତୁରାଜ କୁମାର, ଅତିରେକ୍ କୁମାର, ଆଦିତ୍ୟ କୁମାର ଓ ଅଭିଷେକ ଆନନ୍ଦଙ୍କ ନାଁ ମନ୍ତ୍ରିମଣ୍ଡଳରେ ସାମିଲ ହେବାକୁ ନେଇ ଚର୍ଚ୍ଚା ହେଉଛି। ବିଜେପିରୁ ବରିଷ୍ଠ ନେତା ମଙ୍ଗଳ ପାଣ୍ଡେ, ନିରଜ କୁମାର ସିଂହ ବବ୍ଲୁ, ବିଜୟ କୁମାର ସିହ୍ନା ଓ ରାମ କୃପାଳ ଯାଦବଙ୍କ ନାଁକୁ ନେଇ ଚର୍ଚ୍ଚା ହେଉଛି। ପାଟନାର ଗାନ୍ଧୀ ମୈଦାନ ଏକ ମେଗା ଇଭେଣ୍ଟରେ ମନ୍ତ୍ରୀମାନେ ପଦ ଓ ଗୋପନୀୟତାର ଶପଥ ନେବେ। ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଗୃହ ମନ୍ତ୍ରୀ ଅମିତ ଶାହ ଓ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଧ୍ୟ ସାମିଲ ହେବେ।

