ସୁବର୍ଣ୍ଣପୁର ଜିଲ୍ଲାରେ ଗତ ରାତିରେ ଏକ ଚାଞ୍ଚଲ୍ୟକର ଗୁଳିକାଣ୍ଡ ଘଟଣା ଘଟିଛି । ବିଜେଡି ଜିଲ୍ଲା ଯୁବ ସଭାପତି ତଥା ବିନିକା ବ୍ଲକ ଅଧ୍ୟକ୍ଷାଙ୍କ ସ୍ବାମୀ ଅଶୋକ ନନ୍ଦଙ୍କ ଘର ଉପରକୁ ଦୁର୍ବୃତ୍ତମାନେ ପ୍ରାୟ ୨୦ ରାଉଣ୍ଡ ଗୁଳି ଚାଳନା କରିଥିବା ଅଭିଯୋଗ ହୋଇଛି ।
ସିଂହିଯୁବା ସ୍ଥିତ ଅଶୋକ ନନ୍ଦଙ୍କ ଘରେ ବିଳମ୍ବିତ ରାତିରେ ଏହି ଗୁଳିମାଡ଼ ଘଟିଥିବା ସୂଚନା ମିଳିଛି ।ହଠାତ୍ ଗୁଳି ଚାଳନା ଶବ୍ଦରେ ଅଞ୍ଚଳବାସୀ ଭୟଭୀତ ହୋଇ ପଡ଼ିଥିବାବେଳେ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ଘଟଣା ପରେ ଦୁର୍ବୃତ୍ତମାନେ ଅନ୍ଧକାରର ସୁଯୋଗ ନେଇ ଫେରାର ହୋଇଯାଇଥିବା ଜଣାପଡ଼ିଛି ।
ଗୁଳିକାଣ୍ଡର ପଛରେ କାହାର ହାତ ରହିଛି ଏବଂ କାହିଁକି ଏପରି ଆକ୍ରମଣ ହେଲା, ତାହା ସ୍ପଷ୍ଟ ହୋଇନାହିଁ । ସୂଚନା ପାଇବା ପରେ ପୁଲିସ୍ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି । ଅଞ୍ଚଳରେ ସୁରକ୍ଷା ବଢ଼ାଯାଇଥିବା ବେଳେ ଦୁର୍ବୃତ୍ତଙ୍କୁ ଧରିବା ପାଇଁ ପୁଲିସ୍ର ଅଭିଯାନ ଜାରି ରହିଛି ।

