ପୂର୍ବ ଓ ପୂର୍ବୋତ୍ତର ରାଜ୍ୟରୁ ନିବେଶ ହାସଲ କରିବା ତଥା ରାଜ୍ୟର ପଛୁଆ ଓ ସୀମାବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଶିଳ୍ପାୟନର ନୂଆ ଯୁଗ ଆରମ୍ଭ କରିବା ଲକ୍ଷ୍ୟ ନେଇ ରାଜ୍ୟ ସରକାର ‘ଗୋ-ଇଷ୍ଟ’ ପ୍ଲାଟ୍ଫର୍ମ ପ୍ରସ୍ତୁତ କରିଛନ୍ତି। ସିଆଇଆଇ ପୂର୍ବାଞ୍ଚଳ ପରିଷଦ ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ପ୍ଲାଟ୍ଫର୍ମକୁ ଉନ୍ମୋଚନ କରିଛନ୍ତି।
‘ଓଡ଼ିଶା ସରକାର: ଇଷ୍ଟର୍ଣ୍ଣ ଇନ୍ଭେଷ୍ଟମେଣ୍ଟ୍ ଆସେଲରେଟର ଆଣ୍ଡ୍ ସ୍ପେସିଆଲ୍ ଟାସ୍କ ଫୋର୍ସ’ (ଗୋ-ଇଷ୍ଟ) ଅଧୀନରେ ରାଜ୍ୟରେ ଏକ ଉଚ୍ଚସ୍ତରୀୟ ଟାସ୍କଫୋର୍ସ ଗଠନ କରାଯିବ। ତାହା ସବୁ ନିବେଶ ପ୍ରକଳ୍ପକୁ ତ୍ବରାନ୍ବିତ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେବ। ଇକିପଲ୍ରେ ଏକ ସ୍ବତନ୍ତ୍ର ‘ଗୋ-ଇଷ୍ଟ ପ୍ରକୋଷ୍ଠ’ ମଧ୍ୟ ଗଠନ କରାଯିବ। ନିବେଶ ପ୍ରକ୍ରିୟା ଓ ମଞ୍ଜୁରି ସ୍ଥିତିର ବାସ୍ତବ ସ୍ଥିତି ନିରୀକ୍ଷଣ ଓ ଟ୍ରାକିଂ ପାଇଁ ସ୍ବତନ୍ତ୍ର ‘ଗୋ-ସ୍ବିଫ୍ଟ’ ମଡ୍ୟୁଲ୍ ମଧ୍ୟ ସୃଷ୍ଟି କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, ଏହି ପଦକ୍ଷେପ ଦ୍ବାରା ଓଡ଼ିଶାର ସୀମାବର୍ତ୍ତୀ ଜିଲ୍ଲାଗୁଡ଼ିକରେ ସର୍ବାଧିକ ପୁଞ୍ଜିନିବେଶ ହେବ ଓ ସେଠାରେ ନୂଆ ଶିଳ୍ପ ବିକାଶ କେନ୍ଦ୍ର ଗଢ଼ି ଉଠିବ। ଆଗାମୀ ପାଞ୍ଚ ବର୍ଷରେ ଓଡ଼ିଶା ଶିଳ୍ପାୟନ ଓ ଅଭିବୃଦ୍ଧି କ୍ଷେତ୍ରରେ ପୂର୍ବ ଭାରତର ଶ୍ରେଷ୍ଠ ରାଜ୍ୟରେ ପରିଣତ ହେବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଥିଲେ। ଶିଳ୍ପ ନୀତି ୨୦୨୨ରେ କରାଯାଇଥିବା ଗୁୁରୁତ୍ବପୂର୍ଣ୍ଣ ସଂଶୋଧନ ଉପରେ ଆଲୋକପାତ କରି ସେ କହିଥିଲେ ଯେ ବଲାଙ୍ଗୀର, କଳାହାଣ୍ଡି, ନୂଆପଡ଼ା, କନ୍ଧମାଳ, ବୌଦ୍ଧ ଓ ଗଜପତି ଭଳି ରାଜ୍ୟର ୧୫ଟି ଜିଲ୍ଲାକୁ ଅଗ୍ରାଧିକାର ଶ୍ରେଣୀ (ଥ୍ରଷ୍ଟ ସେକ୍ଟର)ରେ ସାମିଲ କରାଯିବ। ସେଠାରେ ଅଣ ଖଣିଜ ଭିତ୍ତିକ ଶିଳ୍ପ ପ୍ରତିଷ୍ଠାକୁ ଗୁରୁତ୍ବ ଦିଆଯିବ।
ସେ କହିଲେ, ପୂର୍ବରୁ ଶିଳ୍ପ ପ୍ରତିଷ୍ଠା କରିବାକୁ ୪୦୦ ଦିନ ସମୟ ଲାଗୁଥିଲା। ତାହା ଏବେ ୧୬୦ ଦିନକୁ ହ୍ରାସ ପାଇଛି। ଆଗକୁ ତାହାକୁ ୧୦୦ ଦିନ ପର୍ଯ୍ୟନ୍ତ ହ୍ରାସ କରିବାକୁ ଲକ୍ଷ୍ୟ ରଖାଯାଇଛି। ୨୦୨୪ ଜୁନ ପରଠାରୁ ସରକାର ପ୍ରାୟ ୯.୫ ଲକ୍ଷ କୋଟି ଟଙ୍କାର ୪୭୭ଟି ପ୍ରୋଜେକ୍ଟକୁ ମଞ୍ଜୁରୀ ଦେଇଛନ୍ତି, ଯାହା ଦ୍ୱାରା ୬ ଲକ୍ଷ ଲୋକଙ୍କ ପାଇଁ ରୋଜଗାର ସୃଷ୍ଟି ହେବ। ଏଥିମଧ୍ୟରୁ ୩.୧୧ ଲକ୍ଷ କୋଟିରୁ ଅଧିକ ନିବେଶ ସହିତ ୧୨ଟି ପ୍ରୋଜେକ୍ଟର ଗ୍ରାଉଣ୍ଡିଂ ସରି ପ୍ରକଳ୍ପଗୁଡ଼ିକ ଉଦ୍ଘାଟନ ପର୍ଯ୍ୟାୟରେ ପହଞ୍ଚିଛି। ଓଡ଼ିଶା ଏବେ କେବଳ ଖଣିଜ-ଭିତ୍ତିକ ଅର୍ଥନୀତିରେ ସୀମିତ ନ ରହି ଷ୍ଟିଲ୍, ଆଲୁମିନିୟମ, କେମିକାଲ୍ସ, ପେଟ୍ରୋକେମିକାଲ୍ସ ସହ ସେମିକଣ୍ଡକ୍ଟର ଓ ଇଲେକ୍ଟ୍ରୋନିକ୍ସ ଭଳି ଭବିଷ୍ୟତର ଉଦ୍ୟୋଗ ଉପରେ ଗୁରୁତ୍ବାରୋପ କରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ପଛୁଆ ଓ ସୀମାବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଶିଳ୍ପାୟନର ନୂଆ ଯୁଗ ଆରମ୍ଭ କରିବ ‘ଗୋ-ଇଷ୍ଟ’ ପ୍ଲାଟ୍ଫର୍ମ

