ମମତାଙ୍କ ହାତ ଛାଡିଲେ ଟିଏମସିର ରାଜ୍ୟସଭା ସାଂସଦ ତଥା ଟଲିଉଡ ଲୋକପ୍ରିୟ ଅଭିନେତ୍ରୀ କୋଏଲ ମଲ୍ଲିକ । ତାଙ୍କ ଇସ୍ତଫା ପରେ ପଶ୍ଚିମବଙ୍ଗ ରାଜନୀତିରେ ନୂଆ ଚର୍ଚ୍ଚା ଦେଖିବାକୁ ମିଳିଛି । ରାଜ୍ୟସଭାରୁ ଇସ୍ତଫା ଦେବା ପରେ କୋଏଲ ମଲ୍ଲିକ କେନ୍ଦ୍ର ମନ୍ତ୍ରୀ ଭୂପେନ୍ଦ ଯାଦବଙ୍କୁ ସାକ୍ଷାତ କରିଛନ୍ତି ।
ପଶ୍ଚିମବଙ୍ଗ ସିନେମାର ଭେଟେରାନ ଅଭିନେତା ରଞ୍ଜିତ ମଲ୍ଲିକଙ୍କ ଝିଅ କୋଏଲ୍ ମଲ୍ଲିକ ଦୀର୍ଘ ୨୦ ବର୍ଷ ଧରି ପଶ୍ଚିମବଙ୍ଗ ସିନେ ଇଣ୍ଡଷ୍ଟ୍ରୀରେ ରାଜ କରୁଥିଲେ । ସିନେମା ନାୟିକା ଭାବେ ରାଜ୍ୟରେ ସେ ଖୁବ୍ ଲୋକପ୍ରିୟ ଥିବାରୁ ଟିଏମ୍ସି ଏହାର ଫାଇଦା ନେଇ ତାଙ୍କୁ ରାଜ୍ୟସଭା ପଠାଇଥିଲା ।
ତେବେ ଏହାରି ଭିତରେ ସାୟୋନୀ ଘୋଷ, ରଚନା ବାନାର୍ଜୀ, ମିମି ଚକ୍ରବର୍ତ୍ତୀ, ଦେବ, ରାଜ ଚକ୍ରବର୍ତ୍ତୀ, ଦେବଶ୍ରୀ ରୟ ଆଦି ଅନେକ ନେତା ଟିଏମ୍ସି ଛାଡ଼ି ଦେଇସାରିଲେଣି । ଆଉ ଏବେ ଟିଏମ୍ସି ରାଜ୍ୟସଭା ସାଂସଦ ତଥା ଲୋକପ୍ରିୟ ବଙ୍ଗୀୟ ଅଭିନେତ୍ରୀ କୋଏଲ୍ ମଲ୍ଲିକ ମଧ୍ୟ ରାଜ୍ୟସଭାରୁ ଇସ୍ତଫା ଦେଇଛନ୍ତି । ମାତ୍ର ୪ ମାସ ତଳେ କୋଏଲ୍ ଟିଏମ୍ସିରୁ ରାଜ୍ୟସଭାକୁ ଯାଇଥିଲେ । ସଂସଦର ମୌସୁମୀ ଅଧିବେଶନକୁ ଆଉ ମାତ୍ର ୪ ଦିନ ଥିବାରୁ କୋଏଲ ଇସ୍ତଫା ଦେଇଛନ୍ତି । ରାଜ୍ୟସଭାରେ ଟିଏମ୍ସି ସଦସ୍ୟ ସଂଖ୍ୟା ୧୩ ରୁ ମାତ୍ର ୯କୁ ଖସି ଆସିଛି ।
ମମତାଙ୍କ ବିଶ୍ୱସ୍ତ ନେତା ତଥା ଅଭିଜ୍ଞ ତୃଣମୂଳ ବିଧାୟକ ମଦନ ମିତ୍ର ଗତକାଲି ରୀତବ୍ରତ ବାନାର୍ଜୀଙ୍କ ନେତୃତ୍ୱରେ ବିଦ୍ରୋହୀ ତୃଣମୂଳ ଶିବିରରେ ଯୋଗ ଦେଇଥିଲେ । ଆଉ ଏବେ କୋଏଲ ଇସ୍ତଫା ଦେଲେ । ତା ପୂର୍ବରୁ ଟିଏମସି ରାଜ୍ୟସଭା ସାଂସଦ ଭାବରେ ସୁଖେନ୍ଦୁ ଶେଖର ରାୟ, ସୁସ୍ମିତା ଦେବ ଏବଂ ପ୍ରକାଶ ଚିକ୍ ବାରାଇକ ମଧ୍ୟ ଇସ୍ତଫା ଦେଇ ସାରିଥିଲେ ।

