ଆଜି ରାତିରେ ଆନ୍ଧ୍ରରେ ମାଡ଼ ହେବ ବାତ୍ୟା

ଶକ୍ତିଶାଳୀ ହେଉଛି ବାତ୍ୟା ‘ମୁରାସୁ’ ।  ଘନୀଭୂତ ହୋଇ ଭୀଷଣ ବାତ୍ୟାରେ (ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମ) ପରିଣତ ହୋଇଛି ‘ମୁରାସୁ’  । ଆଜି (ସୋମବାର) ବିଳମ୍ବିତ ରାତି ଓ ମଙ୍ଗଳବାର ଭୋର୍ ମଧ୍ୟରେ ଦକ୍ଷିଣ ଆନ୍ଧ୍ର ଉପକୂଳରେ ମାଡ଼ ହେବ । ଯଦିଓ ଓଡ଼ିଶାରେ ବାତ୍ୟା ପ୍ରଭାବରେ ବିଶେଷ ଜୋର୍ ପବନ ବହିବନି, ତଥାପି ଭୀଷଣ ବର୍ଷିବ । ତୁହାକୁ ତୁହା ବର୍ଷା ଦକ୍ଷିଣ ଓଡ଼ିଶାର ୫ ଜିଲ୍ଲାକୁ ବୁଡ଼ାଇପାରେ । ବନ୍ୟା ବିତ୍ପାତରେ ଲୋକେ ତ୍ରାହି ତ୍ରାହି ଡାକୁଥିବା ବେଳେ ପୁଣି ଥରେ ନୂଆ ବିପଦ ମାଡ଼ି ଆସୁଛି । ଘଣ୍ଟାପ୍ରତି ୨୦ କିଲୋମିଟର ବେଗରେ ଉତ୍ତର-ପଶ୍ଚିମ ଦିଗକୁ ଗତି କରୁଛି।
ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ଆକଳନ କହୁଛି, ଆନ୍ଧ୍ର ଉପକୂଳର ନେଲ୍ଲୋର ଓ ନରସାପୁର ମଝିରେ ‘ମୁରାସୁ’ ସ୍ଥଳଭାଗ ଅତିକ୍ରମ କରିବ । ଲ୍ୟାଣ୍ଡଫଲ ସମୟରେ ୧୦୦ରୁ ୧୧୦ କିମି ବେଗରେ ପବନ ବହିବ । ପବନର ଝଟ୍କା ୧୨୦ କିମି ପର୍ଯ୍ୟନ୍ତ ଛୁଇଁପାରେ । ଲ୍ୟାଣ୍ଡଫଲ୍ ପରେ ଭୀଷଣ ବାତ୍ୟାର ତୀବ୍ରତା ଦୁର୍ବଳ ହୋଇ ବାତ୍ୟାକୁ ଖସିପାରେ । ବାତ୍ୟାର ବାହ୍ୟବଳୟ ମାଲକାନଗିରି ଓ କୋରାପୁଟକୁ ଘଷି ହୋଇ ଯିବାର ଆଶଙ୍କା ରହିଛି । ଏହାର ପ୍ରଭାବରେ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ଆଶଙ୍କା ଅଛି । ବଡ଼ ବର୍ଷା ଆଣିବ ମୁରାସୁ ।  ଭୀଷଣ ରୂପ ନେବା ପରେ ରାଜ୍ୟରେ ପାଗରେ ପରିବର୍ତ୍ତନ ହୋଇଛି । ଝିପି ଝିପି ବର୍ଷା ଆରମ୍ଭ ହୋଇଛି ।
ଦକ୍ଷିଣ ଓଡ଼ିଶାର ୫ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ ବୋଲି ଆଇଏମ୍‌ଡ଼ି ପୂର୍ବାନୁମାନ ଦେଇଛି । ସୋମବାର ଗଜପତି ଓ ଗଞ୍ଜାମ ଦୁଇଟି ଜିଲ୍ଲାରେ ପ୍ରବଳ ବର୍ଷିବ । ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ, ପୁରୀ ଓ ଖୋର୍ଦ୍ଧାରେ ମଧ୍ୟ ଅଧିକ ବର୍ଷା ହୋଇପାରେ । ମଙ୍ଗଳବାର(୩ ତାରିଖ) ଓ ବୁଧବାର(୪ ତାରିଖ) ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି ଓ ଗଞ୍ଜାମ ଜିଲ୍ଲାରେ ଭୀଷଣ ବର୍ଷା ଆଶଙ୍କା ଅଛି । ଏହି ସବୁ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ଅଞ୍ଚଳରେ ଦୁଇ ଦିନ ୫୦ରୁ ୬୦ କିମି ବେଗରେ ପବନ ବହିବା ସହ ଝଟ୍‌କା ପବନ ଘଣ୍ଟାକୁ ୭୦ କିମି ଛୁଇଁପାରେ । ବିଭିନ୍ନ ସ୍ଥାନରେ ବନ୍ୟା ସ୍ଥିତି ସୃଷ୍ଟି ହୋଇପାରେ । ଭାରି ବର୍ଷା ଯୋଗୁ ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ଭୟ ରହିଛି ।

Post Views66 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!