ପ୍ରତି ପଞ୍ଚାୟତରେ ଖୋଲିବ ବ୍ୟାଙ୍କ; ଗଡ଼ିବ ଯାତ୍ରୀବାହୀ ବସ୍

ତିନି ବର୍ଷ ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜନ ହୋଇଥିବା ବରିଷ୍ଠ ଅଧିକାରୀ ସମ୍ମିଳନୀ ଶେଷ ହୋଇଛି।

କୋଣାର୍କର ଇକୋ ରିଟ୍ରିଟ୍ରେ ଆୟୋଜିତ ଏହାର ଉଦ୍ଯାପନୀ ଦିବସରେ ୧୦ଟି ବିଭାଗର ଅତିରିକ୍ତ ମୁଖ୍ୟ ସଚିବ, ପ୍ରମୁଖ ସଚିବ ଓ ସଚିବମାନେ ସେମାନଙ୍କ ବିଭାଗର ସଫଳତା ଏବଂ ଆଗାମୀ ଯୋଜନା ବିଷୟରେ କହିଥିଲେ।

ରାଜ୍ୟ ସରକାରଙ୍କ ଫୋକସ୍ରେ ଗ୍ରାମାଞ୍ଚଳ ଥିବାବେଳେ ‘ଓଡ଼ିଶା ଯୋଡ଼’କୁ ପ୍ରଧାନ୍ୟ ଦେବାକୁ ନିଷ୍ପତ୍ତି ହୋଇଛି।

ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଓଡ଼ିଶା ଯୋଡ଼କୁ ଭିତ୍ତି କରି ପରିବହନ ବ୍ୟବସ୍ଥାକୁ ସୁଦୃଢ କରାଯିବ। ଏଥିରେ ବିଜୁ ଗାଁ ଗାଡ଼ି ଯୋଜନାକୁ ଆହୁରି ମଜବୁତ୍ କରିବା ପାଇଁ ପ୍ରତି ଗ୍ରାମପଞ୍ଚାୟତକୁ ସଂଯୋଗ କରି ବସ୍ ଚାଲିବ। ବ୍ଲକ ମୁଖ୍ୟାଳୟ ଏବଂ ଜିଲ୍ଲା ମୁଖ୍ୟାଳୟକୁ ସଂଯୋଗ କରି ବସ୍ ରୁଟ୍ ସ୍ଥିର କରାଯିବ। ଏହାସହ ବିଜୁ ଗାଁ ଗାଡ଼ି ଯୋଜନାକୁ ଆହୁରି ମଜବୁତ୍ କରିବା ପାଇଁ ଆଭ୍ୟନ୍ତର ଜଳ ପରିବହନକୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ।

ଏଥିରେ ଜଳପଥରେ ଯାତାୟତକୁ ପ୍ରାଧାନ୍ୟ ଦିଆଯିବ। ଅଧିକ ଜେଟି ସ୍ଥାପନ ସହ ଯାତ୍ରୀବାହୀ ଡଙ୍ଗା, ଲଞ୍ଚ ଚଲାଯିବ।ବିଭାଗର ପ୍ରମୁଖ ସଚିବ ଉଷା ପାଢ଼ୀ ଆଜି ଓଡ଼ିଶା ଯୋଡ଼କୁ ଫୋକସ୍ କରି କହିଛନ୍ତି ଯେ, ଆସନ୍ତା କିଛି ବର୍ଷ ମଧ୍ୟରେ ସଡ଼କ, ଜଳ, ରେଳ ଓ ବିମାନ ପରିବହନ ବ୍ୟବସ୍ଥାକୁ ସୁଦୃଢ କରାଯିବ। ରାଜ୍ୟର ୩୦ଟି ଜିଲ୍ଲାକୁ ରେଳ ସଂଯୋଗ କରାଯିବ। ଏଥିପାଇଁ ରାଜ୍ୟ ସରକାର ମାଗଣାରେ ଜମି ଓ ନିର୍ମାଣ ଖର୍ଚ୍ଚ ବହନ କରିବେ। ମାଲ୍ ପରିବହନ ପାଇଁ ଉତ୍ସର୍ଗୀକୃତ ମାଲପରିବହନ କରିଡର ରାଜ୍ୟ ଭିତରେ ଏବଂ ଅନ୍ୟ ରାଜ୍ୟକୁ ସଂଯୋଗ କରି ନିର୍ମାଣ କରାଯିବ।

ଏବେ ରାଜ୍ୟରେ ଗୋଟିଏ ଅନ୍ତର୍ଜାତୀୟ ଏବଂ ୩ଟି ଘରୋଇ ବିମାନବନ୍ଦର ଥିବାବେଳେ ଖୁବ୍ ଶୀଘ୍ର ଉତ୍କେଲା, ରାସଗୋବିନ୍ଦପୁର, ରଙ୍ଗେଇଲୁଣ୍ଡାରେ ବିମାନବନ୍ଦର କାର୍ଯ୍ୟକ୍ଷମ ପାଇଁ ଲାଇସେନ୍ସ ମିଳିବ ସେହିପରି ଅର୍ଥ ବିଭାଗ ଯୋଜନା କରିଛି ଯେ, ପ୍ରତି ଗ୍ରାମପଞ୍ଚାୟତରେ ବ୍ୟାଙ୍କିଂ ସେବା ପ୍ରଦାନ କରାଯିବ। ରାଜ୍ୟରେ ୬୭୯୪ଟି ଗ୍ରାମପଞ୍ଚାୟତରୁ ୨୬୩୦ଟି ଗ୍ରାମପଞ୍ଚାୟତରେ ୫୬୯୫ଟି ସ୍ଥାୟୀ ଶାଖା ରହିଛି। ବାକି ୪୧୬୦ଟି ଗ୍ରାମାପଞ୍ଚାୟତରେ ବ୍ୟାଙ୍କିଂ କରସ୍ପଣ୍ଡେନ୍ସ/ଗ୍ରାହକ ସେବା କେନ୍ଦ୍ର/ଭାରତୀୟ ଡାକ ପେମେଣ୍ଟ ବ୍ୟାଙ୍କ ଦ୍ବାରା ସେବା ଯୋଗାଇ ଦିଆଯାଉଛି।

ରାଜ୍ୟର ୪ଟି ଗ୍ରାମପଞ୍ଚାୟତରେ କୌଣସି ଆର୍ଥିକ ସେବା କେନ୍ଦ୍ର ନାହିଁ। ଏହାଦ୍ବାରା ଡିବିଟି ସ୍କିମ୍ରେ ଲୋକ ଉପକୃତ ହୋଇପାରୁନାହାନ୍ତି। ପ୍ରତି ପଞ୍ଚାୟତରେ ବ୍ୟାଙ୍କ ଖୋଲିବା ପାଇଁ ରାଜ୍ୟ ସରକାର ଭିତ୍ତିଭୂମି ସହାୟତା ମାଧ୍ୟମରେ ୫ବର୍ଷ ପାଇଁ ନିର୍ଦ୍ଧାରିତ ବାଣିଜ୍ୟିକ ବ୍ୟାଙ୍କଗୁଡ଼ିକୁ ବିନା ଭଡ଼ାରେ ଖାଲିସ୍ଥାନ, ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ବ୍ୟାଙ୍କିଂ କରସ୍ପଣ୍ଡେନ୍ସ ଭାବେ ନିୟୋଜନ, ଶ୍ରେଷ୍ଠ ପ୍ରଦର୍ଶନକାରୀ ବ୍ୟାଙ୍କକୁ ମୁଖ୍ୟମନ୍ତ୍ରୀ ପୁରସ୍କାର ଆଦି ପ୍ରଦାନ କରୁଛନ୍ତି।

ପ୍ରତି ପଞ୍ଚାୟତରେ ଯେପରି ସ୍ଥାୟୀ ବ୍ୟାଙ୍କ ଶାଖା ଖୋଲିବ ସେଥିପାଇଁ ଅର୍ଥ ବିଭାଗ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି, ଭାରତୀୟ ରିଜର୍ଭ ବ୍ୟାଙ୍କ, ନାବାର୍ଡ, ପ୍ରମୁଖ ବ୍ୟାଙ୍କର ମୁଖ୍ୟମାନଙ୍କ ସହ ଆଲୋଚନା କରୁଛି ବୋଲି ଅର୍ଥ ବିଭାଗର ପ୍ରମୁଖ ସଚିବ ବିଶାଲ ଦେବ ସୂଚନା ଦେଇଛନ୍ତି।

ଉଦ୍ଯାପନୀ କାର୍ଯ୍ୟକ୍ରମରେ ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଅସିତ ତ୍ରିପାଠୀ, ଆର୍.ବାଲକ୍ରିଷ୍ଣନ୍, ମୁଖ୍ୟମନ୍ତ୍ରୀଙ୍କ ସଚିବ (୫ଟି) ଭି.କେ ପାଣ୍ଡିଆନଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ଏବଂ ଜିଲ୍ଲାପାଳମାନେ ଉପସ୍ଥିତ ଥିଲେ

Post Views17 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!