ଓଡି଼ଶା ହାତୀଙ୍କ ପାଇଁ ମରଣ ଉପତ୍ୟକା, ବାଦ ପଡୁନି ମଣିଷ ଜୀବନ

2012-13 ରୁ 2021-22 ମଧ୍ୟରେ ଓଡିଶାରେ ହାତୀ ଆକ୍ରମଣରେ ଅତି କମରେ 925 ଜଣଙ୍କର ମୃତ୍ୟୁ ଘଟିଛି ବୋଲି ରାଜ୍ୟ ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରଦୀପ ଅମାତ ମଙ୍ଗଳବାର ବିଧାନସଭାରେ ସୂଚନା ଦେଇଛନ୍ତି।

ବିଜେପି ବିଧାୟକ ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ପ୍ରଶ୍ନର ଉତ୍ତର ଦେଇ ଜଙ୍ଗଲ ମନ୍ତ୍ରୀ କହିଛନ୍ତି ଯେ ଗତ 10 ବର୍ଷ ମଧ୍ୟରେ ଓଡିଶାରେ ହାତୀ ଆକ୍ରମଣରେ 925 ଜଣଙ୍କର ମୃତ୍ୟୁ ଘଟିଛି ଏବଂ 212 ଜଣ ଶାରୀରିକ ଅକ୍ଷମ ହୋଇଛନ୍ତି।

ମାନବ ଆହତଙ୍କ ସଂଖ୍ୟା 2012-13 ରେ 80 ରୁ 2017-18 ରେ 105 ଏବଂ 2021-22 ରେ 112 କୁ ବୃଦ୍ଧି ପାଇଛି।

2020-21 ମସିହାରେ ହାତୀ ଆକ୍ରମଣରେ ସର୍ବାଧିକ 139 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 2019-2020 ରେ 117 ଜଣ ଏବଂ 2021-22 ମସିହାରେ 112 ଜଣଙ୍କର ମୃତ୍ୟୁ ଘଟିଥିଲା।

ସେହିଭଳି ହାତୀ ଆକ୍ରମଣରେ ସ୍ଥାୟୀ ଭାବେ ଅକ୍ଷମ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ମଧ୍ୟ 2012-13 ମସିହାରେ ପାଞ୍ଚରୁ 2021-22 ରେ 51 କୁ ବୃଦ୍ଧି ପାଇଛି।

ହାତୀ ଆକ୍ରମଣ ଯୋଗୁଁ କେବଳ ମାନବ ଜୀବନ ହଜିନାହିଁ, ଗତ 10 ବର୍ଷ ମଧ୍ୟରେ ରାଜ୍ୟରେ 784 ଟି ହାତୀର ମୃତ୍ୟୁ ହୋଇଥିବା ମଧ୍ୟ ସୂଚନା ମିଳିଛି।

2012-13 ରେ 82 ଜମ୍ବୁଙ୍କର ମୃତ୍ୟୁ ହୋଇଥିବାବେଳେ ଏହି ସଂଖ୍ୟା 2015-16 ରେ 86, 2018-19 ରେ 93 ଏବଂ 2021-22 ରେ 86 ଥିଲା।

ଏହି ସମୟ ମଧ୍ୟରେ ଓଡିଶା ସରକାର 39 ଟି ହାତୀ ମୃତ୍ୟୁ ଘଟଣାର ତଦନ୍ତ କରିଥିଲେ ଏବଂ 50 ଜଣଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରାଯାଇଥିଲା। ତେବେ ଏହି ମାମଲାରେ କୌଣସି ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୋଇନାହାଁନ୍ତି ବୋଲି ଅମାତ ତାଙ୍କ ଉତ୍ତରରେ ସୂଚନା ଦେଇଛନ୍ତି।

ଅନ୍ୟ ଏକ ଲିଖିତ ବିବୃତ୍ତିରେ ଓଡିଶା ଜଙ୍ଗଲ ମନ୍ତ୍ରୀ କହିଛନ୍ତି ଯେ 2022-23 ମଧ୍ୟରେ 11 ଟି ବଣୁଆ ହାତୀଙ୍କୁ ଶିକାରୀମାନେ ହତ୍ୟା କରିଥିଲେ।

2017 ରେ କରାଯାଇଥିବା ଶେଷ ହାତୀ ଜନଗଣନା ଅନୁଯାୟୀ, ଓଡିଶାରେ 1,976 ହାତୀ ଅଛନ୍ତି।

Post Views31 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!