ମାନବୀୟ ଲିଳା କରୁଛନ୍ତି ଲିଳାମୟ ଠାକୁର । ସ୍ନାନଯାତ୍ରାରେ ଅତ୍ୟଧିକ ସ୍ନାନ କରି ଜ୍ବରରେ ପୀଡିତ ଚତୁର୍ଦ୍ଧାମୂର୍ତ୍ତି । ଶ୍ରୀମନ୍ଦିର ଅଣସର ପିଣ୍ଡିରେ ଚାଲିଛି ଗୁପ୍ତ ଉପଚାର । ଦୀପର କ୍ଷୀଣ ଆଲୋକରେ ସେବାରେ ନିୟୋଜିତ ଦଇତାପତି ସେବାୟତ । ଅଣସରର ଚତୁର୍ଥ ଦିନରେ ଚାଲିଛି ଗୁପ୍ତ ନୀତିକାନ୍ତି । ଜ୍ବରର ଉପଚାର ପାଇଁ ପଥିରେ ଅଛନ୍ତି ଠାକୁର । ଚକଟା ଓ ପଣା ଭୋଗ ଲାଗି କରାଯାଉଛି ।
ସେପଟେ ମହାପ୍ରଭୁଙ୍କ ଅନୁପସ୍ଥିତିରେ ରତ୍ନବେଦୀରେ ପୂଜା ପାଉଛନ୍ତି ପଟି ଦିଅଁ । ଶ୍ରୀଜଗନ୍ନାଥଙ୍କ ସ୍ଥାନରେ ଅନନ୍ତ ନାରାୟଣ, ବଳଭଦ୍ରଙ୍କ ସ୍ଥାନରେ ଅନନ୍ତ ବାସୁଦେବ ଓ ଦେବୀ ସୁଭଦ୍ରାଙ୍କ ସ୍ଥାନରେ ମା’ ଭୁବନେଶ୍ବରୀଙ୍କୁ ପୂଜା କରାଯାଉଛି । ଅନବସର ସମୟରେ ଚୈତନ୍ୟ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବାକୁ ପୁରୀ ଆସିଥିଲେ । କିନ୍ତୁ ମହାପ୍ରଭୁଙ୍କୁ ଦର୍ଶନ ନପାଇ ଅଭିମାନ କରିବାରୁ ତାଙ୍କୁ ଶୂନ୍ୟବାଣୀ ହୋଇଥିଲା ଯେ ଏହି ସମୟରେ ଅଲାରନାଥଙ୍କ ଦର୍ଶନ କଲେ ଜଗନ୍ନାଥଙ୍କ ଦର୍ଶନର ପୁଣ୍ୟ ମିଳିବ । ଅଲାରନାଥ ପୀଠରେ କ୍ଷୀରୀ ଭୋଗର ବିଶେଷ ମହତ୍ତ୍ଵ ରହିଛି ।
ଅନ୍ୟପଟେ ପୁରୀ ରଥଖଳାରେ ଦ୍ରୁତ ଗତିରେ ଆଗେଇ ଚାଲିଛି ରଥ ନିର୍ମାଣ କାମ । ନିର୍ଦ୍ଧାରିତ ସମୟ ପୂର୍ବରୁ ଚାରିନାହାକା, 14ନାହାକା, ଯୋଖା, ପ୍ରଥମ, ଦ୍ବିତୀୟ ଭୂଇଁ ଆଦି 80 ପ୍ରତିଶତ ରଥ କାର୍ଯ୍ୟ ଶେଷ ହୋଇଛି । ପ୍ରତିବର୍ଷ ମହାପ୍ରଭୁଙ୍କ ନୂତନ ରଥ ନିର୍ମାଣ ହେବାର ରହିଛି ଵିଧି ରହିଛି ।
ନିର୍ମାଣ କାର୍ଯ୍ୟରେ ନିୟୋଜିତ ହୋଇଥାନ୍ତି ମହାରଣା, ଭୋଇ, କରତୀ ଓ କମାର ସେବାୟତ । ରଥ ନିର୍ମାଣ ପରେ ଚିତ୍ରକାର ସେବାୟତ ମାନେ ନାଟ ଗୋଡ, କଣ ଗୁଜ, ପଟା ଗୁଜ, ରଥ ଚକ ଓ ପାର୍ଶ୍ୱ ଦେବାଦେବୀଙ୍କ ରଙ୍ଗ କରିଥାନ୍ତି । ଏବେ ରଙ୍ଗ ପ୍ରକ୍ରିୟା ଜାରି ରହିଥିବା ବେଳେ ରଥର ଉପରି ଭାଗକୁ କନା ଜରିଜମ୍ବୁରାରେ ସୁସଜ୍ଜିତ କରିବା ନିମନ୍ତେ ଦର୍ଜୀ ସେବକ ମାନେ ଶୁଭାରମ୍ଭ କରିଛନ୍ତି କନା ସିଲେଇ କାର୍ଯ୍ୟ । ପ୍ରଥମ ଦିନରେ ବତା କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଆଗକୁ ଦ୍ୱାର ଯୋଡ଼ା, ମେଣ୍ଢା ମୁଣ୍ଡିଆ, ବେଳାସ ପଟି, କନକ ମୁଣ୍ଡି, ଚାନ୍ଦୁଆ ଆଦି ନିର୍ମାଣ କରାଯିବ ।

