କାହିଁକି ହୁଏ ହାତୀ ବେଶ? ଆସନ୍ତୁ ଜାଣିବା..

ସ୍ନାନ ଯାତ୍ରା ମହାପ୍ରଭୂଙ୍କର ଅନନ୍ୟା ଯାତ୍ରା । ଏହି ଯାତ୍ରାରେ ଦିଅଁମାନେ ମାନବୀୟ ଲୀଳା କରିଥାନ୍ତି । ଜ୍ୟେଷ୍ଠ ମାସ ପୂର୍ଣ୍ଣିମା ତିଥିରେ ଏହି ସ୍ନାନ ଅନୁଷ୍ଠିତ ହେଇଥିବାରୁ ଏହି ଯାତ୍ରାର ନାମ ଦେବସ୍ନାନ ପୂର୍ଣ୍ଣିମା । ସ୍ନାନପୂର୍ଣ୍ଣିମା ଦିନ ଦିଅଁମାନେ ଧାଡି ପହଣ୍ଡିରେ ରତ୍ନସିଂହାସନରୁ ସ୍ନାନମଣ୍ଡପକୁ ବିଜେ କରନ୍ତି ।ପ୍ରଥମେ ଶ୍ରୀସୁଦର୍ଶନ ପରେ ଶ୍ରୀବଳଭଦ୍ର,ଦେବୀ ସୁଭଦ୍ରା ,ଶ୍ରୀଜଗନ୍ନାଥ ଓ ଶ୍ରୀମଦନମୋହନ ପହଣ୍ଡି କରି ଆସନ୍ତି ।ମଦନମୋହନଙ୍କୁ କେବଳ ବ୍ରାହ୍ମଣ ସେବାୟତ ଗୋଷ୍ଠୀର ମହାଜନମାନେ ବିଜେ କରାଇଥାନ୍ତି ।ଅନ୍ୟ ଠାକୁରମାନଙ୍କୁ ଦଇତା ସେବକମାନେ ବିଜେ କରାଇଥାନ୍ତି । ଶ୍ରୀଜିଉଙ୍କର ଜଳ ଲାଗି ନୀତି ।ଏହି ନୀତି ପରେ ପରେ ଅନ୍ୟ ଯେଉଁ ସେବା ନୀତିଟି ହୋଇଥାଏ ତାହା ହେଲା ଗଜପତି ମହାରାଜାଙ୍କ ଛେରାପହଁରା ।

ଗଜପତି ତିନିଠାକୁରଙ୍କୁ ପୁଷ୍ପାର୍ଘ୍ୟ ଦେଇସାରିବା ପରେ ଛେରାପହଁରା କରିଥାନ୍ତି ।ଗଜପତି ପ୍ରଥମ ସେବକ ଭାବେ ଆଭିଜାତ୍ୟର ଅଭିମାନକୁ ତ୍ୟାଗ କରି ସମାର୍ଜନୀ ଧରି ପରିଷ୍କାର କରନ୍ତି ।ଏହାପରେ ମହାପ୍ରଭୁଙ୍କର ସେହି ଅପୂର୍ବ ବେଶ ଧାରଣର ସମୟ ଆସିଥାଏ ।ଦିଅଁମାନେ ଗଜାନନ ବେଶରେ ସୁସଜ୍ଜିତ ହୋଇ ଭକ୍ତଜନଙ୍କୁ ଦର୍ଶନ ଦେଇଥାନ୍ତି ।ମହାପ୍ରଭୁ ଏକ ପୁଣି ଅନେକ ।ସେହି ନ୍ୟାୟରେ ତିନିଦିଅଁ ଗଜାନନ ବେଶ ବା ହାତୀ ବେଶ ହୋଇଥାନ୍ତି ଗାଣପତ୍ୟ ଭକ୍ତଙ୍କ ପାଇଁ । ଗଣ ଦେବତା ଜଗନ୍ନାଥଙ୍କର ଏହି ଗଜାନନ ବେଶ ସଂପର୍କରେ ରହିଛି ସୁନ୍ଦର କିମ୍ବଦନ୍ତୀ ।କଥିତ ଅଛି,ମହାରାଷ୍ଟ୍ରର ଗଣପତି ଭଟ୍ଟ,ଯିଏକି ଭଗବାନ ଗଣେଶଙ୍କର ପରମ ଭକ୍ତ ଅଟନ୍ତି ।ସେ ଏକଦା ପୁରୀ ଆସିଥିଲେ ।

ତାଙ୍କର ପାଣ୍ଡିତ୍ୟ ଓ ବାଗ୍ମୀତା ପାଇଁ ସେ ରାଜାଙ୍କ ଦ୍ବାରା ସମ୍ମାନିତ ହେଲେ । ରାଜା ତାଙ୍କୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ଅନୁରୋଧ କଲେ । ସେଦିନ ଥିଲା ସ୍ନାନ ପୂର୍ଣ୍ଣିମା ।ଭଟ୍ଟ ମହାଶୟ ସ୍ନାନ ବେଦିରେ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରି ଗଣେଶଙ୍କ ରୂପ ଲାବଣ୍ୟ ଦୃଶ୍ୟରୁ ବଞ୍ଚିତ ହୋଇ ନିରାଶ ହୋଇ ବାହୁଡି ଗଲେ ।ମହାପ୍ରଭୁ ଭକ୍ତର ମନକଥା ଜାଣିପାରିଲେ । ନିଜ ଭକ୍ତର ମାନକୁ ରକ୍ଷା କରି ଗଣେଶ ଭଗବାନ ବେଶରେ ଗଣପତି ଭଟ୍ଟଙ୍କୁ ଦର୍ଶନ ଦେଇଥିଲେ ।ସେହିଦିନ ଠାରୁ ପବିତ୍ର ସ୍ନାନ ପୂର୍ଣ୍ଣମୀରେ ମହାପ୍ରଭୁ ହାତୀ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଆସୁଛନ୍ତି ।ବିଶ୍ବାସ ଅଛି,ଏହି ବେଶରେ ଦାରୁଦିଅଁଙ୍କୁ ଦର୍ଶନ କଲେ ଅଶେଷ ପୁଣ୍ୟଲାଭ ହୋଇଥାଏ ।ପୁଣି ସ୍ନାନଯାତ୍ରାର ଦିବ୍ୟ ଦୃଶ୍ୟକୁ ଦର୍ଶନ କଲେ ପାପତାପରୁ ମୁକ୍ତି ମିଳିଥାଏ ।

 

Post Views85 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!