ୱାର୍ଲ୍ଡ ସ୍କିଲ ସେଣ୍ଟର ଠାରେ ବିଶ୍ବ ଯୁବ ଦକ୍ଷତା ଦିବସ ପାଳନ ହୋଇଯାଇଛି। ଓଡିଶାକୁ ଦକ୍ଷ ମାନବ ସମ୍ବଳର କେନ୍ଦ୍ରରେ ପରିଣତ କରିବା ପାଇଁ ଆମ ସରକାର ପ୍ରତିଶୃତିବଦ୍ଧ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଦକ୍ଷତା ବିକାଶ ପାଇଁ ଏକ ରୋଡମ୍ୟାପ ପ୍ରସ୍ତୁତ କରାଯାଇଛି । ଆଗାମୀ ୨-୩ ବର୍ଷ ମଧ୍ୟରେ ଆମର ଯୁବ ପିଢି ସେମାନଙ୍କର ଆଗ୍ରହ ଆଧାରରେ ଦକ୍ଷତା ପାଠ୍ୟକ୍ରମରେ ପ୍ରବେଶ କରିପାରିବେ ଏବଂ ଶିଳ୍ପର ଚାହିଦା ଅନୁଯାୟୀ ଯୋଗ୍ୟତା ହାସଲ କରି ନିଯୁକ୍ତି ପାଇପାରିବେ ।
ଆମର ଯୁବପିଢି ଓଡିଶାର ଭବିଷ୍ୟତ । ସେମାନଙ୍କ ଦକ୍ଷତା ଓ ପ୍ରତିଭା ଜରିଆରେ ଓଡିଶା ଏକ ସମୃଦ୍ଧ ରାଜ୍ୟରେ ପରିଣତ ହେବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ଆମ ସରକାରଙ୍କ ପ୍ରାଥମିକତା ଅଟେ। ଆଗାମୀ ବଜେଟରେ ଆମେ ଦକ୍ଷତା କ୍ଷେତ୍ରରେ ଗୁଣାତ୍ମକ ଉନ୍ନତି ଉପରେ ଗୁରୁତ୍ବ ଦିଆଯିବ ବୋଲି ସେ କହିଥିଲେ।ଏ ଅବସରରେ ମୁଖ୍ୟମନ୍ତ୍ରୀ ଅନେକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଆତିଥେୟତା କ୍ଷେତ୍ରରେ ପ୍ରଶିକ୍ଷଣ ପାଇଁ ପ୍ରଥମ କୌଶଳ ଭବନ ଉଦ୍ଘାଟିତ ହୋଇଥିଲା। ଆଗାମୀ ଦିନରେ ୯ ଟି କୌଶଳ କେନ୍ଦ୍ର ଖୋଲାଯିବ । ଏହାଦ୍ବାରା ଯୁବକମାନେ ଆତିଥେୟତା ଏବଂ ଆନୁଷଙ୍ଗିକ କ୍ଷେତ୍ରରେ ତାଲିମ ପାଇବାର ସୁଯୋଗ ପାଇବେ ।
ଓଡିଶାକୁ ପର୍ଯ୍ୟଟନର ଏକ ହବ୍ ଭାବେ ପ୍ରତିଷ୍ଠା କରିବା କ୍ଷେତ୍ରରେ ଏହି କୌଶଳ ଭବନ ଗୁଡିକ ଦକ୍ଷ ମାନବ ସମ୍ବଳର ଚାହିଦା ପୂରଣ କରିବାରେ ସକ୍ଷମ ହେବେ । ଦକ୍ଷତାରେ ଗୁଣବତ୍ତା ହାସଲ କରି ଯୁବବର୍ଗଙ୍କୁ ନିଯୁକ୍ତିଯୋଗ୍ୟ କରିବା ପାଇଁ ମୁଖ୍ୟମନ୍ତ୍ରୀ ଆସ୍ପାୟର ଯୋଜନାର ଘୋଷଣା ମଧ୍ୟ କରିଥିଲେ।ଯୁବକ ଯୁବତୀମାନଙ୍କୁ ନିଯୁକ୍ତି ଯୋଗ୍ୟ କରିବା ପାଇଁ ଦକ୍ଷତାରେ ଗୁଣବତ୍ତା ହାସଲ ଖୁବ ଗୁରୁତ୍ବପୂର୍ଣ୍ଣ। ଶିଳ୍ପ ଗୁଡିକର ଆବଶ୍ୟକତା ଅନୁଯାୟୀ ଉନ୍ନତମାନର ଦକ୍ଷତା ହାସଲ କରିପାରିବେ। କେନ୍ଦ୍ର ରକାରଙ୍କ ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟ ଦ୍ବାରା ସ୍ଥାପିତ ମଡେଲ କ୍ୟାରିୟର ସେଣ୍ଟରଗୁଡିକୁ ସୁଦୃଢ କରିବା, ଯୁବକଯୁବତୀ ମାନଙ୍କ ପାଇଁ ନିଯୁକ୍ତି ଯୋଗ୍ୟ ଦକ୍ଷତା ସୃଷ୍ଟି କରିବା, ଉଦ୍ଭାବନ ଏବଂ ଗବେଷଣାର ଭାବନା ସୃଷ୍ଟି କରିବା ଏବଂ ଓଡିଆ ଯୁବକଯୁବତୀ ମାନଙ୍କୁ ବିଦେଶର ସର୍ବୋତ୍ତମ ଅନୁଷ୍ଠାନରେ ଉଚ୍ଚ ବୈଷୟିକ ଶିକ୍ଷା ଗ୍ରହଣ କରିବାର ସୁଯୋଗ ଦେବା ଉପରେ ଗୁରୁତ୍ବ ଦିଆଯିବ। ଭିତ୍ତିଭୂମି କ୍ଷେତ୍ରରେ ପୁଞ୍ଜିନିବେଶ ବଢୁଥିବାରୁ ଦକ୍ଷ ମାନବ ସମ୍ବଳର ଚାହିଦା ଦ୍ରୁତ ଗତିରେ ବୃଦ୍ଧି ପାଉଛି ।
ଆଗାମୀ ଦିନରେ ଏହାର ଆବଶ୍ୟକତା ଆହୁରି ଅନୁଭୂତ ହେବ। ତେଣୁ ନିର୍ମାଣ କ୍ଷେତ୍ରରେ ଯୁବବର୍ଗଙ୍କୁ ଦକ୍ଷ କରିବା ପାଇଁ ଆମେ ପ୍ରାୟ ୧୦ଟି ବିଶ୍ବକର୍ମା କେନ୍ଦ୍ର ସ୍ଥାପନ କରାଯିବ । ସ୍ଥାନୀୟ ଶିଳ୍ପର (Local Industries) ଆବଶ୍ୟକତାକୁ ପୂରଣ କରିବା ଦିଗରେ ସ୍ଥାନୀୟ ନିଯୁକ୍ତିର ଆବଶ୍ୟକତା ରହିଛି। ଏଥିପାଇଁ ଦକ୍ଷତା ବିକାଶ କାର୍ଯ୍ୟକ୍ରମର ବିକେନ୍ଦ୍ରୀକରଣ ଖୁବ୍ ଗୁରୁତ୍ୱପୂର୍ଣ୍ଣ।ଏହି ଲକ୍ଷ୍ୟରେ ଜିଲ୍ଲାସ୍ତରରେ ‘ନୂଆ ଓଡିଶା ଜିଲ୍ଲା ଦକ୍ଷତା କେନ୍ଦ୍ର’ ଖୋଲା ଯାଉଛି। ଦକ୍ଷତା ବୃଦ୍ଧି ପାଇଁ ଜିଲ୍ଲାଗୁଡିକୁ ସଶକ୍ତ କରିବା ଉପରେ ଗୁରୁତ୍ବ ଦେଉଛନ୍ତି। ଏହା ସହିତ ମୁଖ୍ୟମନ୍ତ୍ରୀ ସ୍କିଲ ଡେଭଲପମେଣ୍ଟ ଫେଲୋସିପ୍ ମଧ୍ୟ ଆରମ୍ଭ ହୋଇଛି। ଜିଲ୍ଲା ପ୍ରଶାସନକୁ ଦକ୍ଷତା ବିକାଶରେ ସହଯୋଗ କରିବା ପାଇଁ ମୁଖ୍ୟମନ୍ତ୍ରୀ ଦକ୍ଷତା ବିକାଶ ଫେଲୋ ମାନଙ୍କର ପ୍ରମୁଖ ଭୂମିକା ରହିବ।ଦକ୍ଷତା ହେଉଛି ପ୍ରଗତିର ମୂଳଦୁଆ । ଯୁବଶକ୍ତିର ଦକ୍ଷତା ରାଷ୍ଟ୍ରର ଅର୍ଥନୈତିକ ଶକ୍ତିର ମେରୁଦଣ୍ଡ ଏବଂ ଏହା ଏକ ପ୍ରଗତିଶୀଳ ସମାଜର ପରିଚୟ ହେବ। ଚଳିତ ବର୍ଷ ଅନ୍ତରୀଣ ବଜେଟରେ ଦକ୍ଷତା ବିକାଶ ପାଇଁ ପ୍ରାୟ ୩୧ କୋଟି ଟଙ୍କା ଆବଣ୍ଟନ କରିଛୁ ଏବଂ ଆଗାମୀ ବର୍ଷ ଗୁଡିକରେ ଏହାକୁ ଆହୁରି ବୃଦ୍ଧି କରାଯିବ। ଆଗାମୀ ଦିନରେ ଓଡିଶାକୁ ପୁଞ୍ଜିନିବେଶର ଏକ ହବ୍ ଭାବେ ପ୍ରତିଷ୍ଠିତ କରିବା ପାଇଁ ଆମ ସରକାର ପ୍ରତିଶୃତିବଦ୍ଧ । ନୂତନ ଶିଳ୍ପର ଆବଶ୍ୟକତା ସହିତ ଦକ୍ଷତାକୁ ଯୋଡିବା ଦରକାର ।
ଏ ଅବସରରେ ମୁଖ୍ୟମନ୍ତ୍ରୀ ଏକ କୌଶଳ ରଥର ଶୁଭାରମ୍ଭ କରିଥିଲେ। ଏହି କୌଶଳ ରଥ ସାରା ରାଜ୍ୟରେ ଭ୍ରମଣ କରି ଯୁବକମାନଙ୍କ ମଧ୍ୟରେ ଦକ୍ଷତାର ବାର୍ତ୍ତା ପହଞ୍ଚାଇବ । ସରକାର ଏକ ସ୍ଲିଲ ଇକୋସିଷ୍ଟମ ସୃଷ୍ଟି କରିଛନ୍ତି ଏବଂ ଆମର ଯୁବ ପିଢ଼ି ଏହାର ସର୍ବୋତ୍ତମ ଉପଯୋଗ କରିବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏହି କାର୍ଯ୍ୟକ୍ରମରେ ଦକ୍ଷତା ବିକାଶ ଓ ପ୍ରଯୁକ୍ତି ଶିକ୍ଷା ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ଵାଇଁ ଯୋଗ ଦେଇ କହିଲେ ଯେ ରାଜ୍ୟ ସରକାର ଦକ୍ଷତା କ୍ଷେତ୍ରରେ ଓଡିଶାକୁ ଏକ ନୂଆ ସ୍ତରକୁ ନେବା ପାଇଁ ଯୋଜନା ଆରମ୍ଭ କରିଛନ୍ତି। କୌଶଳ କ୍ଷେତ୍ରରେ ଓଡ଼ିଶାର ସମ୍ଭାବନାର ପୁରା ଉପଯୋଗ କରାଯାଇ ଯୁବ ଶକ୍ତିର ବିକାଶ କରାଯିବ ବୋଲି ସେ କହିଥିଲେ। ଆଜି ମୁଖ୍ୟମନ୍ତ୍ରୀ World Skill Centre ର ବିଭିନ୍ନ ଦକ୍ଷତା ଶିକ୍ଷା କେନ୍ଦ୍ର ଗୁଡ଼ିକୁ ବୁଲି ଦେଖିଥିଲେ। ବିଭାଗୀୟ ସଚିବ ଉଷା ପାଢ଼ୀ ଉପସ୍ଥିତ ଥିଲେ।

