ଦିନେ ତାଙ୍କ କବିତା ଚୋରି କରିନେଉଥିଲେ, ଆଜି ନିଜ ନାଁରେ ସେ ଜୋଡିଲେ ‘କେନ୍ଦ୍ର ସାହିତ୍ୟ ଏକାଡେମୀ’ ପୁରସ୍କାର

କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଛନ୍ତି ଲେଖିକା ଡ. ଗାୟତ୍ରୀବାଳା ପଣ୍ଡା। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଅଭିନନ୍ଦନ ଜଣାଇବା ସହ ସମ୍ମାନିତ କରିଛନ୍ତି। କବିତା ସଂକଳନ ଦୟାନଦୀ ପାଇଁ ଏହି ପୁରସ୍କାର ପାଇଛନ୍ତି ଡ. ଗାୟତ୍ରୀବାଳା । ତେବେ ପିଲାଟି ଦିନୁ ଲେଖା ଲେଖି ପ୍ରତି ଋଚି ରଖୁଥିଲେ ସେ। ପିଲାଦିନରୁ ହିଁ କବିତା ଲେଖୁଥିଲେ। ଥରେ ତାଙ୍କ କବିତାକୁ ଜଣେ ଚୋରି କରି ନିଜ ନାଁରେ ପତ୍ରିତାରେ ପ୍ରକାଶ କରିଦେଲା। ସେବେଠୁ ସେ ଲେଖା ପ୍ରକାଶ କରିବାର ନିଷ୍ପତ୍ତି ନେଲେ। ଦୟାନଦୀକୁ ନେଇ ତାଙ୍କର ଏକ କବିତା ଖବର କାଗଜରେ ପ୍ରକାଶ ପାଇବା ପରେ ସେ ଏହିପରି ଅଧିକରୁ ଅଧିକ କବିତା ଲେଖି ପୁସ୍ତକ କରିବାର ନିଷ୍ପତ୍ତି ନେଲେ। ପିଲାଦିନେ ବାପା ବହି ପଢିବା ପ୍ରତି ଉତ୍ସାହିତ କରୁଥିଲେ। ପରିବାରରେ ପଢାର ମାହୋଲ ଥିବାରୁ ସେ ମଧ୍ୟ ଅଧିକ ସମୟ ବହି ସହ ବିତାଇବାକୁ ଚାହୁଁଥିଲେ। ପ୍ରଥମ ପୁସ୍ତକ ଥିଲା ‘ଆହତ ପ୍ରତିଶୃତି’।
ଡ. ପଣ୍ଡା ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପ୍ରିଜରଭେସନ୍, ପ୍ରୋପାଗେସନ୍ ଆଣ୍ଡ ରେଷ୍ଟୋରେସନ୍ ଅଫ୍ ଆନ୍‌ସିଏଂଟ କଲ୍ଚର ଆଣ୍ଡ ହେରିଟେଜ୍ ଅଫ୍ ଇଣ୍ଡିଆ (ପ୍ରାଚୀନ)ର ମୁଖ୍ୟ। ଜଗତସିଂହପୁର ଜିଲ୍ଲାର ସାଦେଇପୁର ଠାରେ ୧୯୭୭ରେ ଜନ୍ମ ହୋଇଥିବା କବି ଡ. ଗାୟତ୍ରୀବାଳା ପଣ୍ଡା ଛାତ୍ରୀ ଜୀବନରୁ ସାହିତ୍ୟ ସାଧନାରେ ରତ ଅଛନ୍ତି । କବିତା, ଗଳ୍ପ, ପ୍ରବନ୍ଧ, ଉପନ୍ୟାସ ରଚନା କରିବା ସହିତ ସାଂପ୍ରତିକ ପ୍ରସଙ୍ଗ ଭିତିକ ଫିଚର ରଚନା କରନ୍ତି । ଗ୍ରନ୍ଥାଗାର ଓ ସୂଚନା ବିଜ୍ଞାନରେ ପିଏଚ୍‌ଡି ହାସଲ କରିଥିବା ଡ. ପଣ୍ଡା ସାମ୍ବାଦିକତାକୁ ନିଜର ବୃତିଭାବରେ ଗ୍ରହଣ କରିଥିଲେ । ଏଯାବତ ତାଙ୍କର ୧୧ଟି କବିତା ସଂକଳନ, ୨ଟି ଗଳ୍ପ ସଂକଳନ, ଖଣ୍ଡିଏ ପ୍ରବନ୍ଧ ପୁସ୍ତକ, ୨ଟି ଉପନ୍ୟାସ ପ୍ରକାଶ ହୋଇସାରିଥିବା ବେଳେ ୨ଟି ଯନ୍ତ୍ରସ୍ଥ ରହିଛି । ଡ. ପଣ୍ଡାଙ୍କର ହିନ୍ଦୀରେ ଅନୁବାଦ ହୋଇଥିବା ୪ଟି ଓ ଇଂରାଜୀରେ ଅନୁବାଦ ହୋଇଥିବା ଖଣ୍ଡିଏ କବିତା ସଂକଳନ ମଧ୍ୟ ପ୍ରକାଶ ପାଇଛି ।
୨୦୧୧ରେ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ଯୁବ ପୁରସ୍କାର ପାଇବା ସହିତ ଡ. ପଣ୍ଡା ଅନେକ ଜାତୀୟ ଓ ରାଜ୍ୟସ୍ତରୀୟ ପୁରସ୍କାର ପାଇଛନ୍ତି । ଏହା ବ୍ୟତୀତ ସେ ଅନେକ ଜାତୀୟ ଓ ଆନ୍ତର୍ଜାତୀକ ସାହିତ୍ୟ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଛନ୍ତି । ୨୦୧୫ରେ ସେ ଅତିଥି ଲେଖକ ଭାବରେ ରାଷ୍ଟ୍ରପତି ଭବନରେ ସତର ଦିନ ଅବସ୍ଥାନ କରିଥିଲେ । କେବଳ ସାହିତ୍ୟ ରଚନା ନୁହେଁ ସାମ୍ବାଦିକତା ପାଇଁ ମଧ୍ୟ ସେ ସ୍ୱର୍ଣ୍ଣପଦକ ପାଇଛନ୍ତି । ଡ. ପଣ୍ଡା ସଂପ୍ରତି ସାହିତ୍ୟ ପତ୍ରିକା “ଅନ୍ୟା”ର ସଂପାଦକ ଅଟନ୍ତି । ପୁରାତନ ସଂସ୍କୃତି ଓ ପରମ୍ପରାର ସଂରକ୍ଷଣ, ପ୍ରଚାର ଓ ପୁନଃରୁଦ୍ଧାର କରିବା ଉଦ୍ଦେଶ୍ୟରେ ସୋଆରେ ଆରମ୍ଭ ହୋଇଥିବା ପ୍ରାଚୀନ କେନ୍ଦ୍ରର ମୁଖ୍ୟ ଡ. ପଣ୍ଡା ଅନେକ ସୃଜନଶୀଳ କାର୍ଯ୍ୟ ହାତକୁ ନେଇଛନ୍ତି ।

Post Views3 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!