ମିଶନ ଶକ୍ତି ବିଭାଗ ରିପୋର୍ଟ କାର୍ଡର ସମୀକ୍ଷା କରିଛନ୍ତି ମିଶନ ଶକ୍ତି ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ ଓ ମିଶନ ଶକ୍ତି ସଚିବ ସୁଜାତା ଆର୍. କାର୍ତ୍ତିକେୟନ । ଏସଏଚଜି ମାଆଙ୍କ ପାଇଁ ସ୍ବତନ୍ତ୍ର ପାଣ୍ଠି । ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠି ଢାଞ୍ଚାରେ ହେବ କାର୍ଯ୍ୟକାରୀ । ରାଜ୍ୟସ୍ତରୀୟ ନେତୃତ୍ବ ପାଇଁ ଗଠନ ହେବ ଏସଏଚଜି ଫେଡେରେସନ । ୮ ବର୍ଷରେ ଏସଏଚଜିଙ୍କୁ ଋଣ ସହାୟତା ୧୯ ଗୁଣ ବୃଦ୍ଧି । ମହିଳାମାନଙ୍କୁ ସବୁ ବିଭାଗରେ ନେତୃତ୍ବ ଦେବା ପାଇଁ ରାଜ୍ୟ ସ୍ତରୀୟ ଏସଏଚଜି ଫେଡେରେସନ ଗଠନ ହେବ ବୋଲି କହିଛନ୍ତି ସଚିବ ସୁଜାତା ଆର୍. କାର୍ତ୍ତିକେୟନ ।
ମିଶନ ଶକ୍ତି ମାଆମାନଙ୍କୁ ନେଇ ବିଭିନ୍ନ ଯୋଜନାରେ କିଭଳି ଅଧିକ କାମ କରିହେବ, ସେନେଇ ଫେଡେରେସନ୍ କାମ କରିବ । ପୂର୍ବରୁ ଜିଲ୍ଲାସ୍ତରରେ ଫେଡେରେସନ କାମ କରୁଛି ।୪ଟି ବଡ଼ ସଫଳତାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଶଂସା କରିଛନ୍ତି । ପ୍ରଥମ ବଡ଼ ସଫଳତା ହେଲା- ଆଠ ବର୍ଷରେ ଏସଏଚଜିଙ୍କୁ ଋଣ ସହାୟତା ୧୯ ଗୁଣ ବୃଦ୍ଧି କରାଯାଇଛି । ଏସଏଚଜି ଋଣ ସହାୟତା ୨୦୧୪-୧୫ରେ ୫୦୦ କୋଟି ଟଙ୍କା ଥିଲା ।
୨୦୨୨-୨୩ରେ ୧୧ ହଜାର କୋଟି ଟଙ୍କାରେ ପହଞ୍ଚିଛି । ସେହିପରି ଏସଏଚଜିଙ୍କ ଋଣ ପରିଶୋଧରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି ଓଡ଼ିଶା । ଏସଏଚଜିଙ୍କ ଅନାଦେୟ ଋଣ ବା ଏନପିଏ ମାତ୍ର ୧ ଦଶମିକ ୯୯ ପ୍ରତିଶତ ରହିଛି । ଏଥିଲାଗି କେନ୍ଦ୍ରଠାରୁ ପ୍ରଶଂସା ପାଇଛି ଓଡ଼ିଶା । ବିନାସୁଧରେ 5ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ସହାୟତା ପ୍ରଦାନ କରାଯାଉଛି। ଓଡ଼ିଶାର ୮୬ ଦଶମିକ ୫ ପ୍ରତିଶତ ମହିଳାଙ୍କର ବ୍ୟାଙ୍କ ଖାତା ଅଛି । ଯାହାକି ଜାତୀୟ ହାର ୭୮ଦଶମିକ ୬ ପ୍ରତିଶତଠାରୁ ଢେର୍ ଅଧିକ । ଦ୍ବିତୀୟ ବଡ଼ ସଫଳତା ହେଲା- ମହିଳାମାନଙ୍କ କାର୍ଯ୍ୟକ୍ରମ ବଢ଼ିଛି । ବ୍ଲକରେ ମିଶନ ଶକ୍ତି କାଫେ, ବିଭିନ୍ନ କ୍ଷେତ୍ରରେ ନେତୃତ୍ୱ, ମାଛଚାଷ, ହର୍ଟି କଲଚର, ବିଦ୍ୟୁତ ବିଲ୍ ଆଦାୟ ଓ ଅଧିକାଂଶ ବିଭାଗରେ ମିଶନ ଶକ୍ତି ମହିଳା କାର୍ଯ୍ୟ କରୁଛନ୍ତି । ତୃତୀୟରେ ମହିଳା ସଂଗଠନଗୁଡିକୁ ସଶକ୍ତ କରିବା ସହ ଭିତ୍ତିଭୂମି ଯୋଗାଇ ଦିଆଯାଉଛି ।
ପ୍ରତି ବ୍ଲକରେ ମିଶନ ଶକ୍ତି ଗୃହ ନିର୍ମାଣ କରାଯାଇଛି । ମିଶନ ଶକ୍ତି ବିଭାଗର ଚତୁର୍ଥ ସଫଳତା ହେଲା- କୋଭିଡ୍ ସମୟରେ ମିଶନ ଶକ୍ତି ମହିଳାମାନେ ଉଲ୍ଲେଖଯୋଗ୍ୟ କାମ କରିଥିଲେ। ୨ କୋଟି ମିଲ୍ ସହ ୭୫ ଲକ୍ଷ ମାସ୍କ ପ୍ରସ୍ତୁତ କରିଥିଲେ ଏସଏଚଜି ମହିଳା। ଏସଏସଜି ମାଆଙ୍କ ଦ୍ବାରା ମିଶନ ଶକ୍ତି କାଫେ ଲୋକଙ୍କୁ ଉତ୍ତମ ମାନର ସୁସ୍ବାଦୁ ଖାଦ୍ୟ ଯୋଗାଇଦେଉଛି । ଏବେ ୨୫ଟି ଜିଲ୍ଲାରେ ୧୦୨ଟି ମିଶନ ଶକ୍ତି କାଫେ ଅଛି । ସେହିପରି କୃଷି ଉତ୍ପାଦନ କ୍ଲଷ୍ଟର, ଏସଏସଜିଙ୍କୁ ଏସଏମଇ କରିବା, ମିଶନ ଶକ୍ତି ବଜାର ବ୍ୟବସ୍ଥା, ବଜେଟରେ ନୂତନ ସ୍କୁଟର ଯୋଜନା ସ୍ଥାନ ପାଇବା ଓ ଏଥିଲାଗି ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଉପରେ ସୁଧ ରାଜ୍ୟ ସରକାର ବହନ କରିଛନ୍ତି ।

