‘ମା’ ମାଟିକୁ ଦେବାକୁ ଆସିଛି ନେବାକୁ ନୁହେଁ’

ରାଜ୍ୟ ରାଜନୀତିରେ ବେଶ୍ ଗୁରୁତ୍ବବହନ କରେ କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ନିର୍ବାଚନମଣ୍ଡଳୀ । ୯୦ ଦଶକରେ ଆଦିବାସୀ ବହୁଳ ଏହି ନିର୍ବାଚନମଣ୍ଡଳୀରେ କଂଗ୍ରେସର ଦବଦବା ରହିଥିଲା । ଏଇଠୁ ୪ ଥର ନିର୍ବାଚିତ ହେବା ସହ ପରବର୍ତ୍ତୀ ସମୟରେ ପିସିସି ସଭାପତି ଭାବେ ଦାୟିତ୍ବ ନେଇଥିଲେ ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନା । ମାତ୍ର ୨୦୦୯ ମସିହାରୁ ଏଠାରେ କଂଗ୍ରେସର ପତନ ଘଟିଛି ଏବଂ ବିଜେଡି ଖାତାକୁ ଆସନ ଚାଲିଯାଇଛି । ୨୦୨୪ ସାଧାରଣ ନିର୍ବାଚନକୁ ହାତରେ ଆଉ ବର୍ଷେ । ଏବେଠୁ ନେତାମାନେ ପାଗଭିଡ଼ା ଆରମ୍ଭ କରିଦେଲେଣି । ଏଭଳି ସ୍ଥିତିରେ କଂଗ୍ରେସ ପୁଣିଥରେ କ୍ଷମତାକୁ ଫେରିବାକୁ ଅଣ୍ଟା ଭିଡିଛି । ଏଥର ଜୟଦେବ ଜେନା ନୁହଁନ୍ତି ବରଂ ତାଙ୍କ ସୁପୁତ୍ର ଇଂ ମନୋଜ କୁମାର ଜେନା ମଇଦାନକୁ ଓହ୍ଲାଇବାକୁ ସ୍ଥିର କରିସାରିଛନ୍ତି । ଏନେଇ ଓଡିଶା କଂଗ୍ରେସର ସାଧାରଣ ସମ୍ପାଦକ ମନୋଜ କୁମାର ଜେନା ସହିତ ଇଣ୍ଟରଭ୍ୟୁ ଟାଇମ୍ସର ସ୍ବତନ୍ତ୍ର ସାକ୍ଷାତକାର…

ପ୍ରଶ୍ନ-୨୦୨୪ ନିର୍ବାଚନରେ ମନୋଜ ଆନନ୍ଦପୁରରେ ଡେଭ୍ଯୁ କରୁଛନ୍ତି ?

ଉତ୍ତର-ପ୍ରାର୍ଥୀ ହେବା ନହେବା ନେଇ ଦଳ ନିଷ୍ପତ୍ତି ନେବ । ଆନନ୍ଦପୁରବାସୀ ଯାହା ଚାହିଁବେ ସେୟା ହେବ । ବାପା ଆନନ୍ଦପୁରର ସେବା କରିଆସିଛନ୍ତି । ପ୍ରାର୍ଥିତ୍ବ ଆମ ପାଇଁ ବଡ଼ ନୁହେଁ ବରଂ ଲୋକଙ୍କ ସେବା କରିବା ଆମ ପାଇଁ ବଡ଼ । ଚାରି ଦଶନ୍ଧି ଧରି ଜାରି ରହିଥିବା ସେବା ଆଗକୁ ବି ଚାଲିବ ।

ପ୍ରଶ୍ନ- ବ୍ୟବସାୟରୁ ରାଜନୀତିର ଯାତ୍ରା କାହିଁକି ? ଇଚ୍ଛା ଥିଲା ନା ଜେନା ଲିଗାସିକୁ ଆଗକୁ ନେବାକୁ ?

ଉତ୍ତର-ରାଜନୀତିକୁ ଆସିବି ବୋଲି କେବେ ଭାବିନଥିଲି । ବଡ଼ ଭାଇ ରାଜନୀତିରେ ସକ୍ରିୟ ଥିଲେ । ତାଙ୍କର ଅକାଳ ବିୟୋଗ ପରେ ଆମ ପରିବାର ଓ ଆନନ୍ଦପୁରବାସୀ ଭାଙ୍ଗିପଡ଼ିଥିଲେ । ବିଭିନ୍ନ ସ୍ଥାନରେ ଲୋକମାନେ ମୋତେ ଦାୟିତ୍ବ ତୁଲାଇବାକୁ ପରାମର୍ଶ ଦେଲେ । ସର୍ବଶେଷରେ ଆନନ୍ଦପୁରର ବୁଦ୍ଧିଜୀବୀ , ମାଆ, ଯୁବପିଢିଙ୍କ ଇଚ୍ଛାକୁ ସମ୍ମାନ ଦେଇ ମୁଁ ମଇଦାନକୁ ଓହ୍ଲାଇଛି । ଲୋକଙ୍କ ସହିତ ସୁଖଦୁଃଖରେ ଠିଆ ହେଉଛି ।

ପ୍ରଶ୍ନ- ବିଜେଡିକୁ କେମିତି ମୁକାବିଲା କରିବେ ?

ଉତ୍ତର- ଟଙ୍କା ଓ ବାହୁବଳରେ ବିଜେଡି କ୍ଷମତାକୁ ଆସିଛି । ହେଲେ ବାରମ୍ବାର ଲୋକଙ୍କୁ ବୋକା ବନାଯାଇପାରିବନି । ଜନତା ସବୁକିଛି ଜାଣୁଛନ୍ତି । ଆଜି ଆନନ୍ଦପୁର ସମସ୍ୟା ଘେରରେ । ସ୍କୁଲ କଲେଜରେ ଶିକ୍ଷକ ନାହାନ୍ତି, ରାସ୍ତା ମରଣଯନ୍ତା ପାଲଟିଛି । ଦୀର୍ଘବର୍ଷ ଧରି ଡାକ୍ତର ଦେଖିନାହାନ୍ତି ଲୋକ । ଆନନ୍ଦପୁରର ବିକାଶ ଫଳକରେ ସୀମିତ ରହିଛି । ଏଭଳି ସ୍ଥିତିରେ ବିଜେଡିର ଚାଲ୍ କାମ ଦେବନି । କଂଗ୍ରେସ ଏକ ହୋଇଛି ଏବଂ ଲଢିକି ଜିତିବ ।

ପ୍ରଶ୍ନ- ଅଭିଜ୍ଞ ବନାମ ନବାଗତ: ରାସ୍ତା ସହଜ ହେବ ?

ଉତ୍ତର- ମୁଁ ପ୍ରବୀଣ ନୁହେଁ କି ନବାଗତ ବି ନୁହେଁ । ଆଗକୁ ନିର୍ବାଚନ ଲଢିବା ମୋ ପାଇଁ ନୂଆ ହୋଇପାରେ ହେଲେ ନିର୍ବାଚନ ସହିତ ବହୁତ ଆଗରୁ ଜଡ଼ିତ ଅଛି । ବାପାଙ୍କ ସହିତ ପିଲାଟି ଦିନରୁ ଲୋକଙ୍କ ପାଖକୁ ଯାଉଛି । କିଛି ପାଇବା ପାଇଁ ଆମେ ରାଜନୀତିକୁ ଆସିନୁ । ଲୋକଙ୍କ ସେବା କରିବାର ସଂକଳ୍ପ ନେଇଛୁ । ଆନନ୍ଦପୁରବାସୀ ଆମକୁ ଆଶୀର୍ବାଦ କରିଛନ୍ତି । ମୁଁ ଆନନ୍ଦପୁରବାସୀଙ୍କୁ ଦେବାକୁ ଆସିଛି, ନେବାକୁ ନୁହେଁ ।


ପ୍ରଶ୍ନ- ଗ୍ରାଉଣ୍ଡରେ ମନୋଜଙ୍କ ପ୍ରତି ଲୋକଙ୍କର ରେସପନ୍ସ କେମିତି ?

ଉତ୍ତର- କଂଗ୍ରେସ ବିଗତ ଦିନରେ ଦୁର୍ବଳ ଥିଲା । ଏବେ କିନ୍ତୁ ସେ ସ୍ଥିତି ନାହିଁ । ଆମ ତ୍ରୁଟିରୁ ଆମେ ଶିକ୍ଷାଲାଭ କରିଛୁ । ଲୋକଙ୍କ ପାଖକୁ ଗଲାବେଳେ ଅଦ୍ଭୁଦପୂର୍ବ ସମର୍ଥନ ମିଳୁଛି । ନୂଆ ଆନନ୍ଦପୁର ଗଢିବାକୁ ଲୋକମାନେ ସ୍ବତଃପ୍ରବୃତ ଭାବେ ଆସୁଛନ୍ତି । ନିଷ୍କ୍ରିୟ ହୋଇଥିବା କଂଗ୍ରେସ କର୍ମୀ ଏବେ ସକ୍ରିୟ ହେଲେଣି । ଆନନ୍ଦପୁରକୁ ବିକାଶଧାରାକୁ ଫେରାଇ ଆଣିବାକୁ ସମସ୍ତେ ଆଗକୁ ଆସିବା ଦରକାର ।

ପ୍ରଶ୍ନ- ଆନନ୍ଦପୁର ପାଇଁ କଣ କରିଛି କଂଗ୍ରେସ ?

ଉତ୍ତର- ଆନନ୍ଦପୁରବାସୀ ଜାଣିଛନ୍ତି କଂଗ୍ରେସ କଣ କରିଛି । ଆଜି ଆନନ୍ଦପୁରରେ ଯାହାକିଛି ଅଛି ସବୁ କଂଗ୍ରେସ କରିଛି । ସ୍କୁଲ, କଲେଜଠୁ ଆରମ୍ଭ କରି ବ୍ୟାରେଜ, ନଦୀବନ୍ଧ, ଡାକ୍ତରଖାନା ସବୁ କଂଗ୍ରେସ କରିଛି । ଲୋକଙ୍କ ସମ୍ମାନର ସହିତ ବଞ୍ଚିବା ଶିଖାଇଛି । କେନ୍ଦୁଝର ଜିଲ୍ଲା ରାଜ୍ୟକୁ ସବୁଠୁ ବେଶୀ ରେଭିନ୍ୟୁ ଦେଉଛି , ପ୍ରତିବଦଳରେ ଧୂଳି ଓ ଧୂଆ ଖାଉଁଛି । ବିଜେଡି ସରକାରର କମ୍ପାନୀପ୍ରୀତି ଲୋକଙ୍କ ଜୀବନକୁ ଦୁର୍ବିସହ କରିଦେଇଛି ।

ପ୍ରଶ୍ନ- ଆନନ୍ଦପୁରପାଇଁ ସ୍ବପ୍ନ କଣ ?
ଉତ୍ତର-ନୂଆ ଆନନ୍ଦପୁର ଗଠନ ଆମର ପ୍ରଥମ ଲକ୍ଷ୍ୟ । ଆନନ୍ଦପୁରବାସୀଙ୍କ ଆଶୀର୍ବାଦ ହିଁ ଆନନ୍ଦପୁରକୁ ଆଗେଇନେବ । ଯାହା ବିଗତ ୧୫ ବର୍ଷରେ ବିଜେଡି ସରକାର କରିପାରିନି ତାହା ଆମେ ବର୍ଷରେ କରି ଦେଖାଇବୁ । ବରବାଦ ହୋଇଯାଇଥିବା ଭିତ୍ତିଭୂମିକୁ ସୁଦୃଢ କରିବୁ । ଲୋକଙ୍କ ମୌଳିକ ଆବଶ୍ୟକତା ପୂରଣ କରିବା ଆମର ପ୍ରାଥମିକତା । ସ୍କୁଲ କଲେଜରେ ଶିକ୍ଷକ ଡାକ୍ତରଙ୍କୁ ପ୍ରାଥମିକ ଭିତ୍ତିରେ ନିଯୁକ୍ତି ଦିଆଯିବ । ଲୋକଙ୍କର ସବୁ ସମସ୍ୟାର ସମାଧାନ କରିବାକୁ ଆମେ ପ୍ରତିଶ୍ରୁତି ଦେଉଛୁ ।

ପ୍ରଶ୍ନ- ୨୦୨୪ରେ କଂଗ୍ରେସର ପରାଜୟ ଭାଙ୍ଗିବ କି ?
ଉତ୍ତର- ନିଶ୍ଚୟ ଭାଙ୍ଗିବ । ଲୋକମାନେ ବିଜେଡିର ବିନାଶ ଦେଖିସାରିଲେଣି । ପରାଜୟ ଧାରା ଲୋକ ହିଁ ଭାଙ୍ଗିବେ ।

ପ୍ରଶ୍ନ- ଆନନ୍ଦପୁରବାସୀଙ୍କୁ କଣ ଅପିଲ କରିବେ ?
ଉତ୍ତର- ବିକାଶ ସହିତ ଠିଆ ହୁଅନ୍ତୁ । ଏମିତି ନେତା ଚୟନ କରନ୍ତୁ ଯାହାକୁ ନେତା ବୋଲି କହିପାରିବେ । ବିଧାନସଭାରେ ଯିଏ ଆନନ୍ଦପୁରର ଦାବିକୁ ଦୃଢ ଭାବେ ଉପସ୍ଥାପନ କରିପାରିବ । ସୁଖଦୁଃଖରେ ପାଖରେ ଠିଆ ହେଲାଭଳି ନେତାଙ୍କୁ ବାଛିବା ଆବଶ୍ୟକ ।

Post Views4 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!