ଉତ୍କେଲା-ଭୁବନେଶ୍ୱର ମଧ୍ୟରେ ବିମାନ ଚଳାଚଳ ଆରମ୍ଭ ହୋଇଛି । ଉତ୍କେଲା ଓ ଭୁବନେଶ୍ବର ମଧ୍ୟରେ ସପ୍ତାହରେ ଦୁଇ ଥର ବିମାନ ଚଳାଚଳ କରିବ । ମଙ୍ଗଳବାର ଓ ଗୁରୁବାର ଉଡ଼ିବ ବିମାନ । ଏହି ବିମାନ ସେବା ଆରମ୍ଭ ହେବା ପରେ କଳାହାଣ୍ଡି ଜିଲ୍ଲାର ଶିକ୍ଷା, ସ୍ୱାସ୍ଥ୍ୟ, ବାଣିଜ୍ୟ ଓ ଅର୍ଥନୀତିରେ ବହୁ ପରିଵର୍ତ୍ତନ ଆସିବ ବୋଲି ଆଶା କରାଯାଉଛି ।
ଗତ ୭ରେ ଡିଜିସିଏ ପକ୍ଷରୁ ଉତ୍କେଲା ବିମାନବନ୍ଦରକୁ ଲାଇସେନ୍ସ ମିଳିଛି । ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ପାଇଁ ସରକାରଙ୍କ ଏ ପଦକ୍ଷେପ ଯୋଗାଯୋଗ କ୍ଷେତ୍ରରେ ଏକ ମାଇଲ ଖୁଣ୍ଟ ସ୍ଥାପନ କରିଛି ।
ମାତ୍ର ୧ ଘଣ୍ଟା ୧୦ ମିନିଟରେ ଭୁବନେଶ୍ବରରୁ ପହଞ୍ଚିବେ କଳାହାଣ୍ଡିରେ। କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଭର୍ଚୁଆଲରେ ବିମାନ ଚଳାଚଳର ଶୁଭାରମ୍ଭ କରିଛନ୍ତି । ଆଜି ଭୁବନେଶ୍ବରରୁ ଉତ୍କେଲା ମଧ୍ୟରେ ପ୍ରଥମ ବିମାନ ପୂର୍ବାହ୍ନ ୧୦ଟାରେ ଉଡ଼ିଛି । ଇଣ୍ଡିଆ ୱାନ ଏୟାର ପକ୍ଷରୁ ୯ ସିଟ୍ ବିଶିଷ୍ଟ ବିମାନ ଉତ୍କେଲା ଓ ଭୁବନେଶ୍ବର ମଧ୍ୟରେ ଚଳାଚଳ କରିଛି । ଭୁବନେଶ୍ୱର ଏୟାରପୋର୍ଟରେ ଉପସ୍ଥିତ ରହି ବିମାନ ସେବାର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ବିମାନ ଯାତ୍ରା ପାଇଁ ଟିକେଟର ଦାମ ରହିଛି ୯୯୯ ଟଙ୍କା । ପରବର୍ତ୍ତୀ ପର୍ଯ୍ୟାୟରେ ଏହା ଛତିଶଗଡ଼କୁ ସମ୍ପ୍ରସାରିତ ହୋଇପାରେ ।

